ପାରାଦୀପ,୦୫/୧୨: ପାରାଦୀପ ଅଠରବାଙ୍କି କାଉଡ଼ିଆ ନଦୀରେ ମାଛ ଧରୁଥିବା ବେଳେ ଅଘଟଣ । ମତ୍ସ୍ୟଜୀବୀ ପ୍ରଫୁଲ୍ଲ ବେହେରା ନଦୀରେ ପଡି ନିଖୋଜ। ପାରାଦୀପ ଏନେଇ ସାମୁଦ୍ରିକ ଥାନା ଓ କୁଜଙ୍ଗ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ମିଳିତ ସହଯୋଗରେ ଖୋଜାଖୋଜି ଜାରି ରହିଛି। ଏପର୍ଯ୍ୟନ୍ତ ନିଖୋଜ ବ୍ୟକ୍ତିଙ୍କ କୌଣସି ସନ୍ଧାନ ମିଳି ନ ଥିବା କୁଜଙ୍ଗ ଅଗ୍ନିଶମ ବିଭାଗ ଅଧିକାରୀ କାର୍ତ୍ତିକ ବିଶ୍ଵାଳ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଶୁକ୍ରବାର ଭୋର ସମୟରେ ମତ୍ସ୍ୟଜୀବୀ ପ୍ରଫୁଲ୍ଲ ବେହେରା କାଉଡ଼ିଆ ନଦୀ ଭିତରେ ମାଛ ଧରୁଥିଲେ। ଜାଲ ପକାଇବା ସମୟରେ ସେହି ଜଳପଥ ଦେଇ କିଛି ବୋଟ ଯାଉଥିଲା। ଭାରସାମ୍ୟ ହରାଇ ଡଙ୍ଗାରୁ ମତ୍ସ୍ୟଜୀବୀ ପ୍ରଫୁଲ୍ଲ ପାଣିକୁ ପଡିଯାଇଥିଲେ । ଫଳରେ ଜୁଆରିଆ ଥିବା ଅଗଭୀର ପାଣିରେ ମତ୍ସ୍ୟଜୀବୀ କୁଆଡେ ନିଖୋଜ ହୋଇଯାଇଥିଲେ। ଏନେଇ ଖବରପାଇ ସାମୁଦ୍ରିକ ଥାନା ବୋଟ, କୁଜଙ୍ଗ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସମେତ ସ୍ଥାନୀୟ ମତ୍ସ୍ୟଜୀବୀ ଜାଲ ଟାଣିବା ସହ ନିଖୋଜ ମତ୍ସ୍ୟଜୀବୀଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି।ବର୍ତ୍ତମାନ ସୁଦ୍ଧା ମତ୍ସ୍ୟଜୀବୀ ନିଖୋଜ ହେବାର ବହୁ ସମୟ ବିତିଯାଇଥିଲେ ମଧ୍ୟ ତାଙ୍କର କୌଣସି ଖବର ମିଳିପାରି ନ ଥିବାବେଳେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ବର୍ତ୍ତମାନ ନଦୀ ଜୁଆରିଆ ରହିଥିବାରୁ ଜୁଆର ଛାଡ଼ ସମୟରେ ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କ ସହଯୋଗରେ ଜାଲ ଟାଣି ନିଖୋଜ ମତ୍ସ୍ୟଜୀବୀକୁ ଉଦ୍ଧାର କରାଯିବ ବୋଲି କୁଜଙ୍ଗ ଅଗ୍ନିଶମ ବିଭାଗ ଅଧିକାରୀ କାର୍ତ୍ତିକ କୁମାର ବିଶ୍ୱାଳ ପ୍ରକାଶ କରିଛନ୍ତି।