ଭୁବନେଶ୍ୱର,୧୧/୦୪: ଚଳିତ ଶିକ୍ଷାବର୍ଷ ଆରମ୍ଭ ହୋଇଛି । ସ୍କୁଲକୁ ବହି ନପହଞ୍ଚିବା ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିନି । ଏହାରି ଭିତରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏକ ତ୍ରୁଟି ଦେଖିବାକୁ ମିଳିଛି । ପଞ୍ଚମ ଶ୍ରେଣୀର ସାମାଜିକ ବିଜ୍ଞାନ ‘ଆମ ବିଚିତ୍ର ବିଶ୍ୱ’ ପାଠ୍ୟପୁସ୍ତକରେ ତ୍ରୁଟି ଦେଖିବାକୁ ମିଳିଛି । ଏହି ପ୍ରସଙ୍ଗର ପୃଷ୍ଠା ନମ୍ବର-୪ରେ ବ୍ରହ୍ମପୁରକୁ ଏକ ଜିଲ୍ଲା ବୋଲି ଉଲ୍ଲେଖ କରାଯାଇଛି । ଏହା ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି ।
ଏହି ପୃଷ୍ଠାର ତୁମେ ଜାଣ କି? ସ୍ତମ୍ଭରେ ତ୍ରୁଟି ଦେଖିବାକୁ ମିଳିଛି । ଏଥିରେ ଉଲ୍ଲେଖ ହୋଇଛି, ଗୁଜରାଟର ଲୁଣିଆ ଅଞ୍ଚଳ ଗୁଡ଼ିକ ଏକ ବିସ୍ତୃତ ସମତଳ ଭୂମି, ଯେଉଁଠାରେ ସମୁଦ୍ର ଜଳକୁ ଶୁଖାଯାଇ ଲୁଣ ସଂଗ୍ରହ କରାଯାଏ । ଏହା ଭାରତର ସବୁଠୁ ବୃହତ ଲୁଣ ଉତ୍ପାଦନକାରୀ ଅଞ୍ଚଳ ମଧ୍ୟରୁ ଗୋଟିଏ । ଆମ ରାଜ୍ୟ ଓଡ଼ିଶାର ବ୍ରହ୍ମପୁର ଜିଲ୍ଲା ‘ହୁମ୍ମା’ଠାରେ ମଧ୍ୟ ଲୁଣ ସଂଗ୍ରହ କରାଯାଉଛି । ଜଣେ ଶିକ୍ଷକ ସାମାଜିକ ଗଣମାଧ୍ୟମରେ ଏହାକୁ ପୋଷ୍ଟ କରି ଉଲ୍ଲେଖ କରିଛନ୍ତି, ଆରମ୍ଭରୁ ବିଚିତ୍ର । ପଞ୍ଚମ ଶ୍ରେଣୀର ସାମାଜିକ ବିଜ୍ଞାନ ବହି ‘ଆମ ବିଚିତ୍ର ବିଶ୍ୱ’ର ପ୍ରଥମ ପ୍ରସଙ୍ଗରେ (ପୃଷ୍ଠା-୪)ରେ ବ୍ରହ୍ମପୁରକୁ ଏକ ଜିଲ୍ଲା ବୋଲି ବର୍ଣ୍ଣନା କରାଯାଇଛି । ବହିଟିର ନାମ କାର୍ଯ୍ୟ ଅନୁଯାୟୀ ଠିକ୍ ଅଛି ବୋଲି ଉପହାସ କରିଛନ୍ତି । ବିଚିତ୍ର କଥା ବିଚିତ୍ର ବହିରେ ବୋଲି କହିଛନ୍ତି । ବ୍ରହ୍ମପୁର ଏକ ଜିଲ୍ଲା ଏହା ବିଚିତ୍ର ନୁହେଁ କି? ବୋଲି ପ୍ରଶ୍ନ କରିଛନ୍ତି ।
ଅଧିକ ପଢ଼ନ୍ତୁ :- ସ୍ୱାମୀର ଚୋରାପୀରତି ଧରିଲା ସ୍ତ୍ରୀ, ବିଚ୍ ରାସ୍ତାରେ ଯୁବତୀଙ୍କୁ ଗୁଡ଼ାଇ ତୁଡ଼ାଇ ପିଟିଲେ ମହିଳା