ବଲାଙ୍ଗିର,୧୧/୦୪: ସ୍ୱାମୀଙ୍କ ଚୋରାପୀରତି ନେଇ ସନ୍ଦେହ ଥିଲା । ପକ୍କା ଖବର ବି ମିଳିଗଲା । ଏପରିକି ସନ୍ଦେହ ପ୍ରମାଣିତ ହେବା ପରେ ଯୁବତୀଙ୍କୁ ପାନେ ଦେବାକୁ ସ୍ତ୍ରୀ ପ୍ରସ୍ତୁତ ହେଲା । ଆଉ ସିଧାସିଧା ଯାଇ ସଂପୃକ୍ତ ଯୁବତୀଜଣକ କାମ କରୁଥିବା କପଡ଼ା ଦୋକାନରେ ପହଞ୍ଚିଲେ । ସେଠାରେ ପହଞ୍ଚିବା ମାତ୍ରେ କିଛି ଆଲୋଚନା ନାହିଁ କି ଅଭିଯୋଗ ନାହିଁ । ଆଖିବନ୍ଦ କରି ଯୁବତୀଙ୍କୁ ପିଟିବା ଆରମ୍ଭ କଲେ । ଏପରିକି ସ୍ଥାନୀୟ ସମଲେଇ ମନ୍ଦିରଠାରୁ ରାସ୍ତାରେ ପିଟିପିଟି ଟାଉନ ଥାନା ପର୍ଯ୍ୟନ୍ତ ଆଣିଲେ । ରାସ୍ତା ସାରା ଲୋକେ ଦେଖୁଥିଲେ ବି ସମସ୍ତେ ଦେଖଣାହାରୀ ପାଲଟିଥିଲେ । ବଲାଙ୍ଗିର ସହର ଭିତରେ ଗତକାଲି ରାତି ପ୍ରାୟ ୮ଟାରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ।
ସ୍ଥାନୀୟ ସମଲେଶ୍ୱରୀ ମନ୍ଦିର ନିକଟରେ ଥିବା ଏକ କପଡ଼ା ଦୋକାନରୁ ଜଣେ ଯୁବତୀକୁ ଜଣେ ମହିଳା ଜୋରଜବରଦସ୍ତ ଟାଣିଟାଣି ଆଣିଲେ । ରାସ୍ତା ଯାକ ଚପଲରେ ପିଟିପିଟି ଟାଉନ ଥାନାକୁ ଆସିଲେ । ମାଡ଼ ମାରିଥିବା ମହିଳା ଜଣକ ସ୍ଥାନୀୟ ଚିମନିଭାଟି ପଡ଼ାର ବୋଲି କୁହାଯାଉଛି । ତାଙ୍କ ସ୍ୱାମୀଙ୍କ ସହିତ ଯୁବତୀଙ୍କ ଚୋରପୀରତି ଚାଲିଥିବା ମହିଳା ଜଣକ ଅଭିଯୋଗ କରୁଥିଲେ । ଯୁବତୀ ଜଣକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରଥିବା ଜଣାପଡ଼ିଛି ।