କାଳ ହେଲା କୋଇଲା ଚୁଲି...

ଧୂଆଁ ପାଇଁ ପ୍ରାଣହାନୀ ଘଟିଥିବା ସୂଚନା...

ବନ୍ଦ କୋଠରୀରୁ ମିଳିଲା ସମସ୍ତ ମୃତଦେହ...

ନୂଆଦିଲ୍ଲୀ: କୋଇଲା ଚୂଲିରୁ ନିର୍ଗତ ଧୂଆଁ ନେଲା ୫ ଜୀବନ। ହରିୟାଣାର କୁରୁକ୍ଷେତ୍ର ଜିଲ୍ଲାରୁ ଏକ ସମ୍ବେଦନଶୀଳ ଘଟଣା ଏବେ ସାମ୍ନାକୁ ଆସିଛି। ଏଠାରେ ଏକ ହୋଟେଲ ରୁମ୍ରୁ ୫ ଜଣଙ୍କ ଶବ ଜବତ କରାଯାଇଛି, ଯେଉଁମାନଙ୍କ କି କୋଇଲା ଧୂଆଁ ପାଇଁ ପ୍ରାଣହାନୀ ଘଟିଥିବା କୁହାଯାଉଛି। ସମସ୍ତେ ଉତ୍ତର ପ୍ରଦେଶର ବୋଲି ଜଣାପଡିଛି। ସେମାନଙ୍କ ମଧ୍ୟରୁ ଚାରି ଜଣ ଶ୍ରମିକ ଏବଂ ଜଣେ ଠିକାଦାର ଭାବରେ ଚିହ୍ନଟ ହୋଇଛନ୍ତି। ସନ୍ଦେହ କରାଯାଉଛି ଯେ, ସେମାନଙ୍କର ମୃତ୍ୟୁ ଶ୍ୱାସରୁଦ୍ଧ ହୋଇ ହୋଇଛି। ପୋଲିସ ବର୍ତ୍ତମାନ ଘଟଣାର ତଦନ୍ତ କରୁଛି। ସମସ୍ତେ ହୋଟେଲ ରୁମରେ ମୃତ ଅବସ୍ଥାରେ ଥିଲେ ।

କିଏ ଏହି ଶ୍ରମିକ ମାନେ ?

ପୋଲିସ ଅନୁଯାୟୀ, ମୃତକ ମାନେ ଉତ୍ତର ପ୍ରଦେଶର ସହାରନପୁରର ବାସିନ୍ଦା। ସେମାନେ ଜିଲ୍ଲା ଜେଲ ନିକଟରେ ଥିବା ଏକ ହୋଟେଲରେ ରଙ୍ଗ କାମ କରିବାକୁ କୁରୁକ୍ଷେତ୍ର ଆସିଥିଲେ। ମଙ୍ଗଳବାର ସକାଳେ କୋଠରୀ ବନ୍ଦ ରହିବା ପରେ, ହୋଟେଲ କର୍ମଚାରୀ ମାନେ ସେମାନଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ। ହେଲେ ଯେତେବେଳେ ଭିତରୁ କୌଣସି ପ୍ରତିକ୍ରିୟା ମିଳିଲା ନାହିଁ, ହୋଟେଲ ପରିଚାଳକ ଏବଂ ପୋଲିସକୁ ସୂଚନା ଦିଆଯାଇଥିଲା। କୋଠରୀ ଖୋଲିବା ପରେ, ସମସ୍ତ ପାଞ୍ଚ ଜଣଙ୍କୁ ଅଚେତ ଅବସ୍ଥାରେ ପାଇଥିଲେ ଏବଂ ପରେ ମୃତ ଘୋଷଣା କରାଯାଇଥିଲା।

କୋଠରୀରେ ମିଳିଛି କୋଇଲା ଚୁଲି ...

ବନ୍ଦ କୋଠରୀ ଭିତରୁ ଏକ କୋଇଲା ଚୁଲି ମିଳିଛି ଏବଂ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ମୃତ୍ୟୁ ବିଷାକ୍ତ ଗ୍ୟାସ ଯୋଗୁଁ ହୋଇଛି, ଯାହାକି ଶ୍ବାସକ୍ରିୟାରେ ଅସୁବିଧା ସୃଷ୍ଟି କରିଥିଲା। ମୃତଦେହ ଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ପଠାଯାଇଛି। ପୋଲିସ କହିଛି ଯେ, ପୋଷ୍ଟମର୍ଟମ ରିପୋର୍ଟ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ। କୋଠରୀ ଭିତରେ ଜଳୁଥିବା ଚୁଲିରୁ ବାହାରୁଥିବା ଧୂଆଁ ଯୋଗୁଁ ଶ୍ୱାସରୁଦ୍ଧ ହୋଇ ସେମାନଙ୍କର ମୃତ୍ୟୁ ହୋଇଥିବା ପୋଲିସ ସନ୍ଦେହ କରୁଛି।

ଏହା ସହ ପଢନ୍ତୁ : କଳାମୁଖା ପିନ୍ଧି କାର୍ ରୁ ଓହ୍ଲାଇଲେ, ଧାରୁଆ ଅସ୍ତ୍ରରେ ଗଳାକାଟି ଫେରାର ହୋଇଗଲେ...