ଦିଗପହଣ୍ଡି, ୦୩/୧୦:  ଗଞ୍ଜାମ ଜିଲ୍ଲା ଘୋଡ଼ାହାଡ଼ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି । ଗୁରୁବାର ସନ୍ଧ୍ୟା ପ୍ରାୟ ୬ ଟାରୁ ଘୋଡ଼ାହାଡ଼ ନଦୀର ପାଟପୁର ପଳାଶପୁର ବ୍ରିଜ୍‌ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଯାହା ଫଳରେ ଆସିକା, ପାଟପୁର ଦିଗପହଣ୍ଡିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ସେହିପରି ହରିଣା ଗ୍ରାମ ନିକଟ ଘୁଷୁରୀ ନାଳ ବ୍ରିଜ୍‌କୁ ସଂଯୋଗ କରୁଥିବା ଖୁଲୁଡ଼ି ନୂଆଗଡ଼ ରାସ୍ତା ବର୍ଷା ଜଳରେ ଧୋଇ ହୋଇଯାଇଥିବାରୁ ଯାତାୟାତ ବନ୍ଦ ରହିଛି । ଭୀଷ୍ମଗିରି ଗ୍ରାମ ନିକଟରେ ଚାଲିଥିବା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତା ନିର୍ମାଣ କରୁଥିବା ଠିକାଦାର କ୍ୟାମ୍ପରେ ବର୍ଷା ଜଳ ପଶିଯିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି। କ୍ୟାମ୍ପ ସମ୍ମୁଖରେ ଥିବା ଗାଡ଼ି, ଯନ୍ତ୍ରାଂଶ ଓ ସିମେଣ୍ଟ ମିକ୍ସର ମେସିନ ଭାସି ଯାଇଥିବା ଜଣାପଡିଛି । ​​​​​​​