ବାଲେଶ୍ବର ୪/୮: ବାଲେଶ୍ବର ଫକୀରମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା ନେବ କି ନୂଆ ମୋଡ଼। ସାମ୍ନାକୁ ଆସିଲା ଆଉ ଏକ ନୂଆ ସିସିଟିଭି ଫୁଟେଜ। ଯାହାକୁ ନେଇ ବଢ଼ିଲା ସସ୍ପେନ୍ସ। ଭିଡିଓ ଫୁଟେଜରେ ଦେଖିବାକୁ ମିଳିଥିବା ଛାତ୍ରୀ ଜଣକ ପୀଡ଼ିତା ବୋଲି ସନ୍ଦେହ କରଯାଉଛି। ସେ ଆତ୍ମାହୁତି କରିବା ପୂର୍ବରୁ ପେଟ୍ରୋଲ ପମ୍ପକୁ ଯାଇ ନିଜେ ତେଲ ଆଣିଥିବା ବିଭିନ୍ନ ମହଲରେ ଚର୍ଚ୍ଚା । ତେବେ ଭିଡିଓରେ ପୀଡ଼ିତା ଜଣ ଅଛନ୍ତି ନା ଆଉ କିଏ ତାହା ଏବେ ସ୍ପଷ୍ଟ ଜଣାପଡିନାହିଁ। କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ସିସିଟିଭିକୁ ନେଇ କୌଣସି ସୂଚନା ଦିଆଯାଇନାହିଁ।
ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ଯେ, ଜୁଲାଇ ୧୨ ତାରିଖ ସମୟ ୧୦ଟା ୪୪ ମିନିଟ୍ରେ ଜଣେ ଛାତ୍ରୀ କଲେଜ ୟୁନିଫର୍ମରେ ସାଇକେଲ ଯୋଗେ ଯାଉଛନ୍ତି। ତାଙ୍କ କାନ୍ଧରେ ବ୍ୟାଗ୍ ରହିଛି। କୁହାଯାଉଛି ଯେ, ପୀଡ଼ିତା ଛାତ୍ରୀ ଏକାକୀ ସାଇକେଲ ଯୋଗେ ଫକୀରମୋହନ କଲେଜରୁ ଚାନ୍ଦିପୁର ରାସ୍ତାରେ ନିକଟସ୍ଥ ପେଟ୍ରୋଲ ପମ୍ପକୁ ତେଲ ଆଣିବା ପାଇଁ ଯାଉଥିଲେ । ଏନେଇ ସେମିତି କିଛି ସ୍ପଷ୍ଟ କରିନାହାନ୍ତି ପୁଲିସ କି କ୍ରାଇମବ୍ରାଞ୍ଚ । ତେବେ ପେଟ୍ରୋଲ ପମ୍ପ୍ର ସିସିଟିଭି ଫୁଟେଜରୁ ପୀଡ଼ିତା ପେଟ୍ରୋଲ ଆଣିବାର କିଛି ଫୁଟେଜ ବି ମିଳିନାହିଁ । ଯାହାକୁ ନେଇ ଏବେ ବି ଦ୍ବନ୍ଦ୍ବ ଲାଗିରହିଛି । ଛାତ୍ରୀ ଜଣକ କିଏ ? ପୀଡ଼ିତାଙ୍କୁ କ'ଣ ନିଜେ ପେଟ୍ରୋଲ ଆଣିବାକୁ ଯାଇଥିଲେ କି? ନା ପୀଡ଼ିତାଙ୍କୁ ଆଉ କେଉଁ ଛାତ୍ରୀ ପେଟ୍ରୋଲ ଆଣିଦେଇଥିଲେ। ଏବେ ସମସ୍ତ କଥା ରହସ୍ୟ ହୋଇ ରହିଛି। ତଦନ୍ତକାରୀ ଟିମ୍ ବିଭିନ୍ନ ଦିଗରୁ ଛାନ୍ଭିନ୍ ଚଳାଇଛି।
ଉଲ୍ଲେଖଯୋଗ୍ୟ ଯେ, ଫକୀରମୋହନ ଛାତ୍ରୀ ଆତ୍ମାହୁତି ଘଟଣାରେ ଏବେସୁଦ୍ଧା ୪ ଜଣଙ୍କୁ ପୋଲିସ ଗିରଫ କରିଛି । ରବିବାର ବିଳମ୍ବିତ ରାତିରେ ଛାତ୍ରୀ ଆତ୍ମାହୁତି ମାମଲାରେ ଦୁଇ ଜଣ ଛାତ୍ରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗିରଫ ଦୁଇ ଜଣ ଛାତ୍ର ହେଲେ ଶୁଭ୍ରସମ୍ବିତ ନାୟକ ଓ ଜ୍ୟୋତିପ୍ରକାଶ ବିଶ୍ୱାଳ। ଉଭୟଙ୍କୁ ଗିରଫ ପରେ SDJMଙ୍କ ନିକଟରେ ହାଜର କରାଯାଇଥିଲା। ଏହାପରେ ଉଭୟଙ୍କୁ ୧୫ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଆତ୍ମହତ୍ୟା ପାଇଁ ଉସ୍କାଇବା ଓ ପ୍ରବର୍ତ୍ତାଇବା ଅଭିଯୋଗରେ ଦୁଇ ଛାତ୍ରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ।