ଭୁବନେଶ୍ୱର,୦୧/୨: ଆଉ ମାତ୍ର କିଛି ଘଣ୍ଟାର ବ୍ୟବଧାନ । ଖୋଲିବ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ପେଡ଼ି । ରବିବାର ସଂସଦରେ ଉପସ୍ଥାପନ ହେବ ୨୦୨୬-୨୭ ଆର୍ଥିକ ବର୍ଷ ନିମନ୍ତେ ଦେଶର ଆୟବ୍ୟୟ ଅଟକଳ । ତେବେ ବାହ୍ୟ ଅସ୍ଥିରତା ଏବଂ ଭୂ-ରାଜନୈତିକ ସମସ୍ୟାକୁ ପ୍ରତିହତ କରିବାକୁ ଏଥର ବଜେଟରେ ଅର୍ଥମନ୍ତ୍ରୀ ସୀତାରମଣ ଘରୋଇ ଅର୍ଥବ୍ୟବସ୍ଥାର ଦୃଢ଼ୀକରଣ ପାଇଁ ଭିଡ଼ିପାରନ୍ତି ଅଣ୍ଟା । ପ୍ରତିବର୍ଷ ଭଳି ଅର୍ଥନୀତି, ଯୁବପିଢ଼ି, ମହିଳା, ବେତନଭୋଗୀ ଏବଂ ମଧ୍ୟବିତ୍ତଙ୍କୁ ଦିଆଯାଇପାରେ ପ୍ରାଧାନ୍ୟ । ଫୋକସ୍‌ରେ ରହିବ ଆର୍ଥିକ ବିକାଶ ଓ ନିଯୁକ୍ତି ।

ଆର୍ଥିକ ବିକାଶକୁ ଗତି ଦେବା ପାଇଁ ବଜେଟରେ ଚାକିରି, ଉତ୍ପାଦନ କ୍ଷେତ୍ରକୁ ଗତି ଓ ଭିତ୍ତିଭୂମି ବିକାଶକୁ ପ୍ରାଥମିକତା ଦିଆଯାଇପାରେ । ପ୍ରମୁଖ କଞ୍ଚାମାଲ ଉପରେ ଆମଦାନି ଶୁଳ୍କ ହ୍ରାସ କରାଯାଇପାରେ । ଏହା ମାଧ୍ୟମରେ ଏମ୍ଏସ୍ଏମ୍ଇ, ବିନିର୍ମାଣ, ଇଲେକ୍ଟ୍ରୋନିକ୍ସ ଏବଂ ସବୁଜ ଶକ୍ତି କ୍ଷେତ୍ରକୁ ମିଳିବ ବଳ । ମେକ୍ ଇନ୍ ଇଣ୍ଡିଆକୁ ପ୍ରୋତ୍ସାହନ ଦେବା ପାଇଁ ଅନେକ ଉତ୍ପାଦ ଉପରେ ଶୁଳ୍କ ହ୍ରାସ ପାଇପାରେ । ଇଭି, ସୌର ଉପକରଣ, ପ୍ରତିରକ୍ଷା, ବିନିର୍ମାଣ ଏବଂ ସେମିକଣ୍ଡକ୍ଟର ଆଦି କ୍ଷେତ୍ରକୁ ପ୍ରୋତ୍ସାହନ ମିଳିବା ସମ୍ଭାବନା ରହିଛି ।

ବିଶ୍ୱ ଅନିଶ୍ଚିତତା ଏବଂ ଆମେରିକା ଭଳି ବୃହତ୍ ରାଷ୍ଟ୍ରର ଟାରିଫ୍ ଚାପକୁ ଆଖି ଆଗରେ ରଖି ଭାରତ ସୁଚିନ୍ତିତ ରପ୍ତାନି ନୀତି ଆଣିପାରେ । ଦେଶର ୨୫୦୦୦ କୋଟିର ରପ୍ତାନି ପ୍ରୋତ୍ସାହନ ଅଭିଯାନର ପରିସରକୁ ବଢ଼ାଯାଇପାରେ । ୮୫% ପର୍ଯ୍ୟନ୍ତ କ୍ଷୁଦ୍ର ରପ୍ତାନିକାରୀ ଋଣ ପାଇଁ ସରକାରୀ-ସମର୍ଥିତ ବନ୍ଧକ ଗ୍ୟାରେଣ୍ଟି, ସୁଧ ରିହାତି ଏବଂ ଅନୁପାଳନ ଓ ଲଜିଷ୍ଟିକ୍ସ ଖର୍ଚ୍ଚ କମାଇବାକୁ ‘ଭାରତ ଟ୍ରେଡ୍ ନେଟ୍’ ପାଇଁ ପାଣ୍ଠି ଯୋଗାଣ ଉପରେ କିଛି ପ୍ରସ୍ତାବ ଆସିପାରେ । ଖେଳନା, ଚମଡ଼ା, ପୋଷାକ ଆଦି ଶ୍ରମଭିତ୍ତିକ କ୍ଷେତ୍ରକୁ ମିଳିପାରେ ସହାୟତା । ପ୍ରଯୁକ୍ତି ଓ ଡିଜିଟାଲ ରୂପାନ୍ତରଣକୁ ଦିଆଯାଇପାରେ ଗୁରୁତ୍ୱ । ଏଥର ଷ୍ଟାଣ୍ଡାର୍ଡ ଡିଡକ୍ସନ ୧ ଲକ୍ଷ ଟଙ୍କାକୁ ବଢ଼ିବା ଆଶା ରହିଛି । ସେହିଭଳି କ୍ୟାପିଟାଲ ଗେନ୍ ଟାକ୍ସ ବା ପୁଞ୍ଜି ଲାଭ ଟିକସ ଛାଡ଼ ସୀମା ୨ ଲକ୍ଷ ଟଙ୍କା କରାଯାଇପାରେ ବୋଲି ଅନୁମାନ କରିଛନ୍ତି ଟିକସ ବିଶେଷଜ୍ଞ ।

ପୁଞ୍ଜି ବ୍ୟୟ ଉପରେ ନିରନ୍ତର ଗୁରୁତ୍ୱ ଦିଆଯାଉଛି । ଏଥର ବି ବର୍ଦ୍ଧିତ ପୁଞ୍ଜି ବ୍ୟୟ ନିଯୁକ୍ତି ଓ ଦୀର୍ଘମିଆଦୀ ଆର୍ଥିକ ବିକାଶର ମୁଖ୍ୟ ଚାଳକ ରହିପାରେ । ପ୍ରତିରକ୍ଷା, ରେଳପଥ, ସଡ଼କ, ଏମ୍ଏସ୍ଏମ୍ଇ, କୃଷି, ଇସ୍ପାତ, ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ଡିଜିଟାଲ ରୂପାନ୍ତର ଭଳି କ୍ଷେତ୍ରଗୁଡ଼ିକୁ ରଣନୈତିକ ଭାବେ ବଜେଟରେ ସମର୍ଥନ ମିଳିବାର ସମ୍ଭାବନା ରହିଛି । ଭାରତ-ଇୟୁ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫ୍‌ଟିଏ) ପରେ ଅଧିକ ବିସ୍ତୃତ ଓ ଲକ୍ଷ୍ୟଭିତ୍ତିକ ପିଏଲ୍ଆଇ ଯୋଜନା ଭାରତର ଉତ୍ପାଦନ କ୍ଷମତା ଓ ରପ୍ତାନିକୁ ବଡ଼ ମାତ୍ରାରେ ବୃଦ୍ଧି କରିପାରେ । ସବୁଜ ଶକ୍ତି କରିଡର, ଗୃହନିର୍ମାଣ ଓ ଭିତ୍ତିଭୂମି ଏବଂ ବୀମା ଆଦି କ୍ଷେତ୍ରରେ କିଛି ଘୋଷଣା ହୋଇପାରେ । ଜିଏସ୍‌ଟି ଏବଂ ଅନୁପାଳନ ନିୟମର ସରଳୀକରଣ ହୋଇପାରେ । ଏହା ବ୍ୟବସାୟ ସହଜତା ବଢ଼ାଇବା ସହ ଏମ୍ଏସ୍ଏମ୍ଇଗୁଡ଼ିକୁ ସମର୍ଥନ ଦେବ । ସବୁଜ ଶକ୍ତି, ଇଲେକ୍ଟ୍ରିକ ଯାନ (ଇଭି) ଓ ସ୍ୱଚ୍ଛ ପ୍ରଯୁକ୍ତି ଉପରେ ଗୁରୁତ୍ୱ ଜାରି ରହିବ । କାରଣ ଭାରତ ବିକାଶ ଓ ସ୍ଥାୟିତ୍ୱ ମଧ୍ୟରେ ସନ୍ତୁଳନ ରକ୍ଷା କରୁଛି ।

ପଞ୍ଚଦଶ ଅର୍ଥ ଆୟୋଗର କାର୍ଯ୍ୟକାଳ ଚଳିତ ଆର୍ଥିକ ବର୍ଷ ଶେଷ ହେଉଛି । ବର୍ତ୍ତମାନ ଷୋଡ଼ଶ ଅର୍ଥ ଆୟୋଗକୁ କାର୍ଯ୍ୟ କରିବାକୁ ପଡ଼ିବ । ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ପାଖରେ ଦାଖଲ ହୋଇଥିବା ଷୋଡ଼ଶ ଅର୍ଥ ଆୟୋଗର ରିପୋର୍ଟ ଏଥର ବଜେଟ୍‌ରେ ପ୍ରମୁଖ ଆଧାର ହେବ ।