ଭୁବନେଶ୍ୱର,୧୭/୦୭: ବାଲେଶ୍ୱର  ଫକୀରମୋହନ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣା  ନେଇ ସାରା ରାଜ୍ୟ ହୁଲସ୍ତୁଲ । ଆଜି କଂଗ୍ରେସ, ବାମପନ୍ଥୀ ଦଳ ସମେତ  ୮ଟି ରାଜନୈତିକ ଦଳ ପକ୍ଷ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି  । ସକାଳ ୬ରୁ ସନ୍ଧ୍ୟା  ୬ଟା ପର୍ଯ୍ୟନ୍ତ ଚକ, ଅଖ ବନ୍ଦ ରହିଛି । ଜରୁରୀକାଳୀନ ସେବା ଯେଭଳି  ପ୍ରଭାବିତ ନ ହେବ, ସେଥିପାଇଁ ପୁଲିସ ପକ୍ଷରୁ  ବ୍ୟାପକ ବ୍ୟବସ୍ଥା ହୋଇଛି । ହସ୍ପିଟାଲ, ଔଷଧ  ଦୋକାନ ଖୋଲା ରହିବା ସହ ଆମ୍ବୁଲାନ୍ସ ସେବା  ଜାରି ରହିବ । ଏଥିରେ ବାଧା ଦେଲେ ପୁଲିସ  କଠୋର କାର୍ଯ୍ୟାନୁଷ୍ଠାନ ନେବ । 

 

ଆଜି କଂଗ୍ରେସ ଓ  ବାମପନ୍ଥୀ ଦଳର ଓଡ଼ିଶା ବନ୍ଦ ଡାକରାକୁ ଦେଖି  ରାଜ୍ୟବ୍ୟାପୀ ପୁଲିସ ଛାଉଣୀ ଲାଗିଛି । ରାଜ୍ୟ  ପେଟ୍ରୋଲିୟମ ଡିଲର ଆସୋସିଏସନ ସଭାପତି  ଶଶାଙ୍କ ଶେଖର ସାହୁ କହିଛନ୍ତି, ସୁରକ୍ଷା ଦୃଷ୍ଟିରୁ  ଗୁରୁବାର ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ  ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ବନ୍ଦ ରଖିବାକୁ  ରାଜ୍ୟ ସଂଘ ନୀତିଗତ ନିଷ୍ପତ୍ତି ନେଇଛି । ରାଜ୍ୟର  ୩ଟି ଡିପୋ ସମେତ ୩ ହଜାର ପେଟ୍ରୋଲ ପମ୍ପ  ବନ୍ଦ ରହିବ । ଏହାଦ୍ୱାରା ରାଜ୍ୟରେ ପେଟ୍ରୋଲ,  ଡିଜେଲ କାରବାରରେ ପ୍ରାୟ ୧ ଶହ କୋଟିରୁ  ଅଧିକ ଟଙ୍କାର ବ୍ୟବସାୟିକ କ୍ଷତି ହେବ । ବନ୍ଦ ଡାକରା ଯୋଗୁ ବସ୍‌, ଟ୍ରକ, ଅଟୋ  ଚଳାଚଳ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି।

ବନ୍ଦ ଡାକରାକୁ ଦୃଷ୍ଟି‌ରେ ରଖି ସରକାରୀ କର୍ମଚାରୀମାନଙ୍କୁ ଆଗୁଆ  ଅଫିସ ପହଞ୍ଚିବାକୁ ବିଭିନ୍ନ ବିଭାଗ ପକ୍ଷରୁ ନିର୍ଦ୍ଦେଶ  ଦିଆଯାଇଛି । ସାରା ରାଜ୍ୟରେ ସୁରକ୍ଷା ବଢ଼ିଛି । ବିଶେଷ  କରି ଭୁବନେଶ୍ୱର, ବାଲେଶ୍ୱର, କଟକ, ସମ୍ବଲପୁର,  ବ୍ରହ୍ମପୁର, ଭଦ୍ରକ, ଅନୁଗୁଳ, ବଲାଙ୍ଗୀର, ଜୟପୁର,  ରାୟଗଡ଼ା, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀରେ  ସୁରକ୍ଷା ବ୍ୟବସ୍ଥା ଅଧିକ କଡ଼ାକଡ଼ି ହୋଇଛି । ପୁଲିସ  ମହାନିର୍ଦ୍ଦେଶକ ସାରା ରାଜ୍ୟର ସୁରକ୍ଷା ବ୍ୟବସ୍ଥା ନେଇ  ବିଭିନ୍ନ ଜିଲ୍ଲାର ଏସପିମାନଙ୍କ ସହ ଆଲୋଚନା କରିଛନ୍ତି ।  ଭୁବନେଶ୍ୱରରେ ସୁରକ୍ଷା ପାଇଁ ୫୦ ପ୍ଲାଟୁନ ଫୋର୍ସ  ମୁତୟନ ହୋଇଛନ୍ତି । ଏହାବାଦ୍‌ ଆନ୍ଦୋଳନକାରୀଙ୍କ  ଉପରେ ନଜର ରଖିବାକୁ ଏଆଇ କ୍ୟାମେରା ଲାଗିଛି ।  ଭୁବନେଶ୍ୱରରେ ଡ୍ରୋନ୍‌ର ବ୍ୟବହାର ବି ହେବ ।  ବିମାନବନ୍ଦର, ରେଳ ଷ୍ଟେସନ, ବସଷ୍ଟାଣ୍ଡ ଅଞ୍ଚଳରେ  ସୁରକ୍ଷା ବଢ଼ାଯାଇଛି । ଯାତ୍ରୀମାନଙ୍କୁ ଯେଭଳି କେହି ହଇରାଣ କରିବେନି କିମ୍ବା ଅଧିକ ଭଡ଼ା ନେବେ ନାହିଁ,  ତା’ ଉପରେ ବି ପୁଲିସ ନଜର ରଖିବ।