ପ୍ରମୂଖ ଖବର
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଏଫ୍ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାର ପ୍ରତିବାଦ, ରାସ୍ତାକୁ ଓହ୍ଲାଇଲେ କଂଗ୍ରେସ, ବାମପନ୍ଥୀ ଦଳ ସମେତ ୮ଟି ରାଜନୈତିକ ଦଳ

Published By : Prameya | July 17, 2025 7:56 AM

ଭୁବନେଶ୍ୱର,୧୭/୦୭: ବାଲେଶ୍ୱର  ଫକୀରମୋହନ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣା  ନେଇ ସାରା ରାଜ୍ୟ ହୁଲସ୍ତୁଲ । ଆଜି କଂଗ୍ରେସ, ବାମପନ୍ଥୀ ଦଳ ସମେତ  ୮ଟି ରାଜନୈତିକ ଦଳ ପକ୍ଷ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି  । ସକାଳ ୬ରୁ ସନ୍ଧ୍ୟା  ୬ଟା ପର୍ଯ୍ୟନ୍ତ ଚକ, ଅଖ ବନ୍ଦ ରହିଛି । ଜରୁରୀକାଳୀନ ସେବା ଯେଭଳି  ପ୍ରଭାବିତ ନ ହେବ, ସେଥିପାଇଁ ପୁଲିସ ପକ୍ଷରୁ  ବ୍ୟାପକ ବ୍ୟବସ୍ଥା ହୋଇଛି । ହସ୍ପିଟାଲ, ଔଷଧ  ଦୋକାନ ଖୋଲା ରହିବା ସହ ଆମ୍ବୁଲାନ୍ସ ସେବା  ଜାରି ରହିବ । ଏଥିରେ ବାଧା ଦେଲେ ପୁଲିସ  କଠୋର କାର୍ଯ୍ୟାନୁଷ୍ଠାନ ନେବ । 

 

ଆଜି କଂଗ୍ରେସ ଓ  ବାମପନ୍ଥୀ ଦଳର ଓଡ଼ିଶା ବନ୍ଦ ଡାକରାକୁ ଦେଖି  ରାଜ୍ୟବ୍ୟାପୀ ପୁଲିସ ଛାଉଣୀ ଲାଗିଛି । ରାଜ୍ୟ  ପେଟ୍ରୋଲିୟମ ଡିଲର ଆସୋସିଏସନ ସଭାପତି  ଶଶାଙ୍କ ଶେଖର ସାହୁ କହିଛନ୍ତି, ସୁରକ୍ଷା ଦୃଷ୍ଟିରୁ  ଗୁରୁବାର ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ  ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ବନ୍ଦ ରଖିବାକୁ  ରାଜ୍ୟ ସଂଘ ନୀତିଗତ ନିଷ୍ପତ୍ତି ନେଇଛି । ରାଜ୍ୟର  ୩ଟି ଡିପୋ ସମେତ ୩ ହଜାର ପେଟ୍ରୋଲ ପମ୍ପ  ବନ୍ଦ ରହିବ । ଏହାଦ୍ୱାରା ରାଜ୍ୟରେ ପେଟ୍ରୋଲ,  ଡିଜେଲ କାରବାରରେ ପ୍ରାୟ ୧ ଶହ କୋଟିରୁ  ଅଧିକ ଟଙ୍କାର ବ୍ୟବସାୟିକ କ୍ଷତି ହେବ । ବନ୍ଦ ଡାକରା ଯୋଗୁ ବସ୍‌, ଟ୍ରକ, ଅଟୋ  ଚଳାଚଳ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି।

ବନ୍ଦ ଡାକରାକୁ ଦୃଷ୍ଟି‌ରେ ରଖି ସରକାରୀ କର୍ମଚାରୀମାନଙ୍କୁ ଆଗୁଆ  ଅଫିସ ପହଞ୍ଚିବାକୁ ବିଭିନ୍ନ ବିଭାଗ ପକ୍ଷରୁ ନିର୍ଦ୍ଦେଶ  ଦିଆଯାଇଛି । ସାରା ରାଜ୍ୟରେ ସୁରକ୍ଷା ବଢ଼ିଛି । ବିଶେଷ  କରି ଭୁବନେଶ୍ୱର, ବାଲେଶ୍ୱର, କଟକ, ସମ୍ବଲପୁର,  ବ୍ରହ୍ମପୁର, ଭଦ୍ରକ, ଅନୁଗୁଳ, ବଲାଙ୍ଗୀର, ଜୟପୁର,  ରାୟଗଡ଼ା, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀରେ  ସୁରକ୍ଷା ବ୍ୟବସ୍ଥା ଅଧିକ କଡ଼ାକଡ଼ି ହୋଇଛି । ପୁଲିସ  ମହାନିର୍ଦ୍ଦେଶକ ସାରା ରାଜ୍ୟର ସୁରକ୍ଷା ବ୍ୟବସ୍ଥା ନେଇ  ବିଭିନ୍ନ ଜିଲ୍ଲାର ଏସପିମାନଙ୍କ ସହ ଆଲୋଚନା କରିଛନ୍ତି ।  ଭୁବନେଶ୍ୱରରେ ସୁରକ୍ଷା ପାଇଁ ୫୦ ପ୍ଲାଟୁନ ଫୋର୍ସ  ମୁତୟନ ହୋଇଛନ୍ତି । ଏହାବାଦ୍‌ ଆନ୍ଦୋଳନକାରୀଙ୍କ  ଉପରେ ନଜର ରଖିବାକୁ ଏଆଇ କ୍ୟାମେରା ଲାଗିଛି ।  ଭୁବନେଶ୍ୱରରେ ଡ୍ରୋନ୍‌ର ବ୍ୟବହାର ବି ହେବ ।  ବିମାନବନ୍ଦର, ରେଳ ଷ୍ଟେସନ, ବସଷ୍ଟାଣ୍ଡ ଅଞ୍ଚଳରେ  ସୁରକ୍ଷା ବଢ଼ାଯାଇଛି । ଯାତ୍ରୀମାନଙ୍କୁ ଯେଭଳି କେହି ହଇରାଣ କରିବେନି କିମ୍ବା ଅଧିକ ଭଡ଼ା ନେବେ ନାହିଁ,  ତା’ ଉପରେ ବି ପୁଲିସ ନଜର ରଖିବ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.