ନୀଳଗିରି,୧୭/୧୨(ଆ.ପ୍ର): କୁଳଡିହା ଅଭୟାରଣ୍ୟ ସୀମାନ୍ତରେ ଘୁରୁବୁଲୁଛି ବାଘ। ଏକ ବିରାଟ ପାଦ ଚିହ୍ନ ଜଙ୍ଗଲ ଓ ସୀମାନ୍ତ ରେ ପଡିବା ନେଇ ଆତଙ୍କିତ ହୋଇଥିଲେ ଅଞ୍ଚଳବାସୀ।ଏଭଳି ଘଟଣା ଗତ ୭ ତାରିଖରେ ପ୍ରମେୟରେ ପ୍ରକାଶ ପରେ ସତର୍କ ହୋଇ ଉଠିଥିଲା ବନ ବିଭାଗ।ଏହା କୌଣସି କଲରାପତରିଆ ବାଘର ବୋଲି କୁହାଯାଇଥିଲା। ହେଲେ ଏବେ ଶିମିଳିପାଳରୁ ଯମୁନା ନାମକ ଏକ ବାଘୁଣୀ କପ୍ତିପଦା ଦେଇ କୁଳଡିହା ଅଭୟାରଣ୍ୟରେ ପ୍ରବେଶ କରିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ୨୭୨.୭୫ ବର୍ଗ କିଲୋମିଟର ପରିଧି ବିଶିଷ୍ଟ ଏହି ଅଭୟାରଣ୍ୟରେ ହରିଣ, ସମ୍ବର,ଗୟଳ, କୁଟାରୀ, ଝିଙ୍କ, ଭାଲୁ, ହାତୀ,ବାଘ ଅଛନ୍ତି।ଏବେ ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକମାନେ କୂଳଡିହା ଅଭୟାରଣ୍ୟ ବୁଲି ଆସୁଥିବା ବେଳେ ବାଘୁଣୀ ଘୁରିବୁଲିବା ଖବର ପାଇ ଚିନ୍ତାରେ ପଡିଛନ୍ତି। ଜଙ୍ଗଲରେ ସଲଟ ପିଟରେ ପର୍ଯ୍ୟଟକ ମାନେ ଖୋଲାଖୋଲି ବୁଲୁଥିବା ବେଳେ ବାଘୁଣୀ ଆକ୍ରମଣ କରିବାର ଭୟ ରହିଛି।ଏନେଇ ଡିଏଫଓ ଓ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଅଧିକାରୀ କୁଳଡିହା ଗସ୍ତ କରି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି। ପର୍ଯ୍ୟଟକ ମାନଙ୍କୁ ଖୋଲାଖୋଲି ନବୁଲିବାକୁ ବାରଣ କରାଯାଇଛି। ସୂଚନାଯୋଗ୍ୟ କୂଳଡିହା ଅଭୟାରଣ୍ୟ ଭିତରେ ଜଡ଼ାଚୁଆ ବିଟ ନିକଟରେ ପୂର୍ବରୁ ବାଘ ହରିଣକୁ ଶିକାର କରିବାର ନଜିର ରହିଛି। ଅଭୟାରଣ୍ୟଟି ଶିମିଳିପାଳକୁ ଲାଗିଥିବା ବେଳେ ମହାବଳ ବାଘ ଯିବାଆସିବା କରିବା କୁହାଯାଇଛି।