ନୂଆଦିଲ୍ଲୀ ୨୨/୦୪: ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାରେ ଏକ ସରକାରୀ ମାନ୍ୟତାପ୍ରାପ୍ତ କଲେଜରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ସେଠାରେ ଶୌଚାଳୟ ନଥିବା ଦର୍ଶାଇ ବିଗତ ୬୯ ବର୍ଷ ହେଲା ଝିଅଙ୍କ ଏଣ୍ଟ୍ରି ଉପରେ ବ୍ୟାନ୍ ରହିଛି । ନିକଟରେ ଜଣେ ପିତା ତାଙ୍କ ଝିଅର ନାମ ଲେଖାଇବାକୁ ସେଠାକୁ ଯାଇଥିଲେ । କିନ୍ତୁ କଲେଜ କର୍ତ୍ତୃପକ୍ଷ ତାଙ୍କୁ ସମାନ କଥା କହି ଫେରାଇ ଦେଇଥିଲେ । ଏହାପରେ ସେହି ବ୍ୟକ୍ତିଜଣକ ନିଜ ସାଇକେଲ ପଛରେ ଏକ ଶୌଚାଳୟ ବାନ୍ଧି କଲେଜ ଗେଟ୍ ନିକଟରେ ପହଞ୍ଚିଥିଲେ । ସେଠାରେ ଅଧିକାରୀଙ୍କୁ ଶୌଚାଳୟ ନେଇ ତାଙ୍କ ଝିଅର ନାମ ଲେଖାଇବାକୁ ହାତଯୋଡ଼ି ଆକୁଳ ନିବେଦନ କରିଥିଲେ । ବ୍ୟକ୍ତିଗତ ଭାବେ ସେ ସମସ୍ୟାର ସମାଧାନ କରିଥିଲେ ସୁଦ୍ଧା କଲେଜ କର୍ତ୍ତୁପକ୍ଷ ନିଜ ଜିଦ୍ରେ ଅଟଳ ରହିଥିଲେ । ତାଙ୍କୁ ଝିଅର ନାମ ଲେଖା ପାଇଁ ମନା କରିଥିଲେ ।
ଏହି ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାପରେ ବିବାଦ ସୃଷ୍ଟି ହୋଇଛି । ମାମଲାଟି ବସ୍ତି ଜିଲ୍ଲାର କଲୱାରି ଅଞ୍ଚଳରେ ଥିବା ଝିଙ୍କୁ ଲାଲ ତ୍ରିବେଣୀ ରାମ ଚୌଧୁରୀ ଇଣ୍ଟର କଲେଜର । ସେଠାରେ ବିଗତ ୬୯ ବର୍ଷ ହେଲା ଝିଅଙ୍କୁ ନାମ ଲେଖାଇବାକୁ ଦିଆଯାଉନାହିଁ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି କଟକଣା କୌଣସି ସରକାରୀ ଆଦେଶ ଅନୁସାରେ ଜାରି କରାଯାଇନାହିଁ । କଲେଜ ପରିଚାଳନା କମିଟି ହିଁ ଏହି ନିଷ୍ପତ୍ତି ନେଇଛି ।
ସ୍ଥାନୀୟ ବାସିନ୍ଦା ଏବଂ ସାମାଜିକ କାର୍ଯ୍ୟକର୍ତ୍ତାଙ୍କ ଅଭିଯୋଗ ଅନୁସାରେ, ୧୯୫୭ରେ ସେହି କଲେଜକୁ କୋଏଡ୍(ସମାନ ଶିକ୍ଷା)ର ସରକାରୀ ମାନ୍ୟତା ମିଳିଥିଲା । ତେଣୁ ଝିଅଙ୍କ ନାମଲେଖା ଉପରେ କଟକଣା ଜାରି ଲାଗି ଆଇନତଃ କୌଣସି ପ୍ରାବଧାନ ନାହିଁ । ବାସ୍ତବ ସ୍ଥିତି କିନ୍ତୁ ଭିନ୍ନ । ଏହାର କାରଣ ହେଲା କଲେଜ ପରିଚାଳନା କମିଟିର ସଦସ୍ୟଙ୍କର ନିକଟରେ ଏକ ଘରୋଇ ଶିକ୍ଷାନୁଷ୍ଠାନ ରହିଛି । ସେଥିଯୋଗୁ ସେ ଜାଣିଶୁଣି ସରକାରୀ କଲେଜରେ ଶୌଚାଳୟ ନଥିବା କହି ଝିଅଙ୍କୁ ନାମ ଲେଖାଇବାକୁ ଦେଉନାହାନ୍ତି । ଫଳରେ ଝିଅମାନେ ତାଙ୍କ ଘରୋଇ ଶିକ୍ଷାନୁଷ୍ଠାନରେ ମୋଟା ଅଙ୍କର ଫି’ ଦେଇ ନାମ ଲେଖାଇବାକୁ ବାଧ୍ୟ ହେଉଛନ୍ତି । ତେବେ ଗରିବ ପରିବାର ଉପରେ ଏହାର ନକରାତ୍ମକ ପ୍ରଭାବ ପଡୁଛି । ଘରୋଇ ଶିକ୍ଷାନୁଷ୍ଠାନର ଫି’ ଦେବାରେ ସମର୍ଥ ନଥିବାରୁ ଅନେକ ଝିଅ ପାଠପଢ଼ା ଛାଡିବାକୁ ବାଧ୍ୟ ହେଉଛନ୍ତି । ଏହାଦ୍ୱାରା ଶିକ୍ଷା ପାଇବାର ସେମାନଙ୍କର ମୌଳିକ ଅଧିକାର ବାଧିତ ହେଉଛି ।
ଅନ୍ୟପଟେ ପ୍ରିନ୍ସିପାଲ ଆଜ୍ଞାରାମ ଚୌଧୁରୀ କହିଛନ୍ତି, କଲେଜରେ ଝିଅଙ୍କ ଲାଗି ସ୍ୱତନ୍ତ୍ର ଶୌଚାଳୟ ନାହିଁ । ସୁରକ୍ଷା ଲାଗି ପାଚେରୀ ବି ନାହିଁ । ସେଥିଯୋଗୁ ଛାତ୍ରୀମାନଙ୍କ ନାମ ଲେଖାପାଇଁ ଆମେ ରାଜି ହେଉନାହୁଁ । ଏହି ସମସ୍ୟାର ସମାଧାନ ନ ହେବା ଯାଏ ଝିଅଙ୍କ ନାମଲେଖା ସମ୍ଭବପର ନୁହେଁ । ଇତିମଧ୍ୟରେ ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରିଛନ୍ତି । କଲେଜକୁ ନୋଟିସ୍ ଜାରି କରି ଜବାବ ମଗାଯାଇଛି । ଯଦି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ ତେବେ କଲେଜର ମାନ୍ୟତାକୁ ପ୍ରତ୍ୟାହାର କରିନିଆଯିବ । ଏହା ପଛରେ ଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶିକ୍ଷା ବିଭାଗର ଜଣେ ଅଧିକାରୀ ଚେତାବନୀ ଦେଇଛନ୍ତି ।
ଆହୁରି ପଢ଼ନ୍ତୁ...Heat wave: ଭୟଙ୍କର ହେଲାଣି ତାତି... ସଙ୍କଟରେ ଦେଢ଼ କୋଟି ଶ୍ରମିକଙ୍କ ଜୀବିକା, ପ୍ରଭାବିତ ହୋଇପାରେ କୃଷି ଉତ୍ପାଦନ