ଭୁବନେଶ୍ୱର,୨୨/୦୪ : ଭୟଙ୍କର ହେଉଛି ଖରା ତାତି । ପ୍ରଚଣ୍ଡ ଉତ୍ତାପରେ ଆଉଟୁପାଉଟୁ ହେଉଛନ୍ତି ଲୋକେ । ସିଧାସଳଖ ସୂର୍ଯ୍ୟକିରଣରେ କାମ କରୁଥିବା ଦେଶର ପ୍ରାୟ ୨୦ କୋଟି ନିର୍ମାଣ ଶ୍ରମିକ ତଥା ଦିନ ମଜୁରିଆ ଓ କୃଷକ ଏଥିଯୋଗୁଁ ପ୍ରଭାବିତ ହେବେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଓଡ଼ିଶା ବି ଏଥିରୁ ବାଦ୍ ପଡ଼ିବ ନାହିଁ । ରାଜ୍ୟର ପ୍ରାୟ ଦେଢ଼ କୋଟିରୁ ଊର୍ଦ୍ଧ୍ୱ ନିର୍ମାଣ ଶ୍ରମିକ ଏବଂ ଅସଂଗଠିତ ଶ୍ରମିକ ଏହି ତାପମାତ୍ରା ବୃଦ୍ଧି ଯୋଗୁ ସିଧାସଳଖ ପ୍ରଭାବିତ ହେବେ । ସେମାନଙ୍କୁ ଜୀବନଜୀବିକା ଓ ସୁରକ୍ଷା ଏକ ବଡ଼ ଆହ୍ୱାନ ବୋଲି ପରିବେଶବିତ୍ମାନେ ଆଶଙ୍କା ପ୍ରକଟ କରିଛନ୍ତି ।
ବିଶ୍ୱ ତାପମାତ୍ରା ବୃଦ୍ଧି, ଅନିୟମିତ ବର୍ଷା ଓ ଜଳବାୟୁ ପରିବର୍ତ୍ତନ ଦିନକୁ ଦିନ ଆହ୍ୱାନ ସୃଷ୍ଟି କରି ଚାଲିଛି । ଜଳବାୟୁ ଓ ସ୍ଥାୟୀତ୍ୱ ନିମନ୍ତେ ହାଭାର୍ଡ ୟୁନିଭର୍ସିଟିର ସାଲାଟା ଇନ୍ଷ୍ଟିଚ୍ୟୁଟ୍ ଫର୍ କ୍ଲାଇମେଟ୍ ଆଣ୍ଡ୍ ସଷ୍ଟେନେବିଲିଟି ପକ୍ଷରୁ ପ୍ରକାଶିତ ସର୍ଭେ ରିପୋର୍ଟ ଅନୁଯାୟୀ, ୧୯୮୦-୯୦ ଏବଂ ୨୦୧୫-୨୦୨୪ ଦଶକରେ ସାରା ବିଶ୍ୱର ତାପମାତ୍ରା ହାରାହାରି ୧.୪ ଡିଗ୍ରୀ ବୃଦ୍ଧି ପାଇଛି । ଏହି ସମୟରେ ଭାରତରେ ତାପମାତ୍ରା ୦.୮୮ ଡିଗ୍ରୀ ବଢ଼ିଛି । ଗତ ଦଶନ୍ଧି ତୁଳନାରେ ଆଗକୁ ତାପମାତ୍ରା ଯଥେଷ୍ଟ ବୃଦ୍ଧି ପାଇବ ବୋଲି ରିପୋର୍ଟରେ ଦର୍ଶାଯାଇଛି ।
ଦେଶରେ ପ୍ରାୟ ତିନି-ଚତୁର୍ଥାଂଶ ଶ୍ରମଶକ୍ତି ଖରା ତାତି ସଂସ୍ପର୍ଶରେ ଆସୁଛନ୍ତି । ୨୦୩୦ ସୁଦ୍ଧା ଏମାନଙ୍କ ସଂଖ୍ୟା ପ୍ରାୟ ୨୦ କୋଟି ହେବ । ଶ୍ରମ ଓ କୃଷି ପ୍ରଧାନ ରାଜ୍ୟ ଓଡ଼ିଶା ପାଇଁ ଏହା ଏକ ବଡ଼ ଆହ୍ୱାନ ସାଜିବ । ୨୦୧୧ରେ ରାଜ୍ୟରେ ପଞ୍ଜିକୃତ ପ୍ରାୟ ୪୪ ଲକ୍ଷ ନିର୍ମାଣ ଶ୍ରମିକ ଥିବା ବେଳେ ୨୦୩୦ ବେଳକୁ ଏମାନଙ୍କ ସଂଖ୍ୟା ୧ କୋଟି ଅଣସଂଗଠିତ ଶ୍ରମିକଙ୍କୁ ମିଶାଇ ପ୍ରାୟ ଦେଢ଼ କୋଟି ହେବେ । ବର୍ଦ୍ଧିତ ତାପମାତ୍ରା ଏବଂ ଅନିୟମିତ ବର୍ଷା ଯୋଗୁଁ ରାଜ୍ୟର କୃଷି ଉତ୍ପାଦନ ମଧ୍ୟ ହ୍ରାସ ପାଇପାରେ ବୋଲି ଆକଳନ କରାଯାଉଛି । ସେହିପରି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ନିର୍ମାଣ ଶ୍ରମିକ, ରାସ୍ତାକଡ଼ ଦୋକାନୀ ଏବଂ କାରଖାନା ଶ୍ରମିକଙ୍କର ଉତ୍ପାଦନ କ୍ଷମତାକୁ ହ୍ରାସ କରିବ ବୋଲି ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି ।
ଏହି ଖବରଟିକୁ ପଢନ୍ତୁ- ସାମପୁର ଜମି କେଳେଙ୍କାରୀ : ଅଣ୍ଡରଗ୍ରାଉଣ୍ଡ କେବୁଲିଂରେ ମିଳୁଥିଲା ବିଦ୍ୟୁତ୍, ଆଦାୟ ହେଉଥିଲା ମୋଟା ଅଙ୍କର ଟଙ୍କା