- ବଜେଟ୍ ପାଇଁ କାଲି ଖୋଲିବ ଷ୍ଟକ୍ ମାର୍କେଟ୍
- ସ୍ୱାଧୀନ ଭାରତର ଇତିହାସରେ ଏମିତି ଦ୍ୱିତୀୟ ଥର
- BSE ଓ NSEରେ ସାଧାରଣ ବ୍ୟାପାର ଚାଲିବ
ମୁମ୍ବାଇ : ଆସନ୍ତା ୧ଫେବୃଆରୀ , ୨୦୨୬ (ରବିବାର) ଦିନ କେନ୍ଦ୍ର ସରକାରଙ୍କ ୟୁନିଅନ ବଜେଟ୍ ଆଗତ ହେବ। ଏହି ଅବସରରେ ଦେଶର ଷ୍ଟକ୍ ମାର୍କେଟ୍ ସାଧାରଣ ଛୁଟି ଦିନ ସତ୍ତ୍ୱେ ଖୋଲା ରହିବ। ଏହି ଦିନ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (BSE) ଏବଂ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ (NSE)ରେ ସାଧାରଣ ବ୍ୟାପାର ଚାଲିବ।
ଏକ୍ସଚେଞ୍ଜ ପକ୍ଷରୁ ଜଣାପଡ଼ିଛି ଯେ, ବଜେଟ୍ ଦିନ ନିବେଶକମାନଙ୍କ ମଧ୍ୟରେ ବଜାର ପ୍ରତି ବେଶି ଆଗ୍ରହ ଥାଏ। ଏହି କାରଣରୁ ସରକାରୀ ଘୋଷଣା ଓ ଆର୍ଥିକ ନୀତିର ପ୍ରଭାବକୁ ତୁରନ୍ତ ପ୍ରତିବିମ୍ବିତ କରିବା ପାଇଁ ବଜାରକୁ ଖୋଲା ରଖିବାର ସିଦ୍ଧାନ୍ତ ନିଆ ଯାଇଛି। ସାଧାରଣତଃ ରବିବାର ଦିନ ଷ୍ଟକ୍ ମାର୍କେଟ୍ ବନ୍ଦ ରହେ। କିନ୍ତୁ ପୂର୍ବରୁ ମଧ୍ୟ ବଜେଟ୍ ଯଦି ଛୁଟି ଦିନରେ ପଡ଼ିଥାଏ, ସେହି ଦିନ ବଜାରକୁ ବିଶେଷ ଭାବେ ଖୋଲା ରଖାଯାଇ ଥିଲା। ୨୦୨୬ ମସିହାରେ ମଧ୍ୟ ସେହି ପରମ୍ପରାକୁ ଅନୁସରଣ କରାଯାଇଛି।
ସ୍ୱାଧୀନ ଭାରତର ଇତିହାସରେ ଏହା ଦ୍ୱିତୀୟ ସୁଯୋଗ ହେବ ,ଯେବେ ରବିବାର ଦିନ ସେୟାର ବଜାରରେ ସାଧାରଣ ଦିନ ପରି କାରବାର ହେବ। ଏହା ପୂର୍ବରୁ ୨୮ ଫେବ୍ରୁଆରୀ ୧୯୯୯ରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ରବିବାର ଦିନ ଘରୋଇ ସେୟାର ବଜାର ଖୋଲା ଥିଲା। ଷ୍ଟକ୍ ମାର୍କେଟର ପ୍ରି ସେଶନର ଓପନିଂ ୯ଟା ବେଳେ ଆରମ୍ଭ ହେବ । ଅନ୍ୟପଟେ ସାଧାରଣ ବଜାର ୯ଟା ୧୫ ରୁ ୩ଟା ୩୦ ଟା ଯାଏ ଖୋଲା ରହିବ।
ଏହାସହ ମଧ୍ୟ ପଢନ୍ତୁ : ବଜେଟ୍ ୨୦୨୬ : ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଠାରୁ ଏହି ଥର ଚାଷୀଙ୍କର କଣ ରହିଛି ଆଶା
ବିଶେଷଜ୍ଞମାନଙ୍କ ମତରେ ବଜେଟ୍ ଘୋଷଣା ପରେ ବ୍ୟାଙ୍କିଂ, ଢାଞ୍ଚାଗତ ବିକାଶ, କର ନୀତି ଓ ମଧ୍ୟବର୍ଗ ସହାୟତା ସମ୍ପର୍କିତ ଖବରର ପ୍ରଭାବ ସିଧାସଳଖ ଭାବେ ବଜାର ଉପରେ ପଡ଼ିପାରେ। ଏହି କାରଣରୁ ନିବେଶକମାନେ ସତର୍କତା ସହିତ କାରବାର କରିବାକୁ ପରାମର୍ଶ ଦେଇଛନ୍ତି।
ଉଲ୍ଲେଖନୀୟ ଯେ, ବଜେଟ୍ ଦିନ ଷ୍ଟକ୍ ମାର୍କେଟ୍ରେ ଅଧିକ ଅସ୍ଥିରତା ଦେଖାଯିବା ସମ୍ଭାବନା ଥାଏ, ତେଣୁ ନିବେଶକମାନେ ସୂଚିତ ସିଦ୍ଧାନ୍ତ ନେବାକୁ ଆହ୍ୱାନ କରାଯାଇଛି।