ନୂଆଦିଲ୍ଲୀ : ଆପଣଙ୍କର ଏମିତି କିଛି ସାଙ୍ଗ ଅଛନ୍ତି କି, ଯିଏ ଅସମୟରେ ୨୦୦, ୫୦୦ କିମ୍ବା ୧୦୦୦ ଟଙ୍କା ମାଗି ନିଅନ୍ତି ? ଆଉ ଏମିତି ସମୟରେ ମାଗନ୍ତି ଯେ, ଆପଣ ମନା ବି କରି ପାରନ୍ତି ନାହିଁ। ହେଲେ ଯେତେବେଳେ ଟଙ୍କା ଫେରାଇବାର ସମୟ ଆସେ, କେହି କହନ୍ତି ମୁଁ ଭୁଲି ଗଲି ତ ଆଉ କେହି କହନ୍ତି କାଲି ଦେଇ ଦେବି। ପ୍ରତି ଥର ଏମିତି ବାହାନା ଶୁଣି ଆପଣ ନୀରବ ରହି ଯାଆନ୍ତି ଏବଂ ଆପଣଙ୍କ ଟଙ୍କା ତାଙ୍କ ପାଖରେ ଅଟକି ରହି ଯାଏ। ଯଦି ଆପଣ ଏମିତି ସମସ୍ୟାର ସମ୍ମୁଖୀନ ତ , ଏହି ଉପାୟ ଗୁଡ଼ିକୁ ମନେ ରଖନ୍ତୁ। ଏହା ସାହାଯ୍ୟରେ ସମ୍ପର୍କ ଖରାପ ନହୋଇ ,ବିନା ପାଟିତୁଣ୍ଡରେ ଆପଣ ନିଜ ଟଙ୍କା ଫେରସ୍ତ ମାଗି ପାରିବେ।

ଏହି ୪ଟି ଟିପ୍ସ ଆପଣଙ୍କୁ ଟଙ୍କା ଫେରସ୍ତ ପାଇବାରେ ସାହାଯ୍ୟ କରିବ – ପୂର୍ବରୁ ଦେଇଥିବା ଟଙ୍କା ଫେରସ୍ତ ମାଗିବା ପୂର୍ବରୁ , ଭବିଷ୍ୟତରେ କାହାକୁ ଉଧାର ଦେବା ପୂର୍ବରୁ କିଛି ନିୟମ ପ୍ରସ୍ତୁତ କରନ୍ତୁ, ଯାହାଦ୍ୱାରା ଆପଣଙ୍କ ଟଙ୍କା ବୁଡ଼ିବ ନାହିଁ -

  • ଲିଖିତ ଆକାରରେ ରେକର୍ଡ ରଖନ୍ତୁ -

କାହାକୁ ଉଧାର ଟଙ୍କା ଦେବାକୁ ଥିଲେ କେବେ ବି ମୁହଁରେ କିମ୍ୱା ଫୋନରେ ମାଗିବା କିମ୍ବା ନଗଦ ଦେବାର ଭୁଲ୍ କରନ୍ତୁ ନାହିଁ। ଏପରି ଟ୍ରାଜାକ୍ସନକୁ ଲୋକେ ଭୁଲି ଯିବାର ବାହାନା ସବୁଠାରୁ ଆଗ କରି ଥାନ୍ତି। ତେଣୁ ଯେତେବେଳେ ବି ଟଙ୍କା ଦେଉଛନ୍ତି, ତାର ଲିଖିତ ରେକର୍ଡ ରଖନ୍ତୁ। ସବୁବେଳେ ଅନଲାଇନ୍ ଟ୍ରାନ୍ସଫର କରନ୍ତୁ ଏବଂ ସେହି ସ୍କ୍ରିନଶଟ୍ ସାଙ୍ଗକୁ ପଠାଇ ଟଙ୍କାର ପରିମାଣ ଲେଖି ଦିଅନ୍ତୁ। ଏହା ମଧ୍ୟ ଲେଖନ୍ତୁ ଯେ -ଟଙ୍କା ହେଲେ ଫେରାଇ ଦେବ। ଏହିପରି ଲିଖିତ ରେକର୍ଡ ସେହି ଲୋକଙ୍କ ପାଇଁ କାମ କରେ, ଯେଉଁମାନେ କି ପ୍ରାୟତଃ ଟଙ୍କା ଦେବା ଭୁଲିଯିବାର ବାହାନା କରନ୍ତି।

  • ଟଙ୍କା ଦେବା ପୂର୍ବରୁ ପଚାରି ନିଅନ୍ତୁ କେବେ ଫେରାଇବେ-

ଯେତେବେଳେ ବି କେହି ଟଙ୍କା ମାଗୁଛନ୍ତି, ସେତେବେଳେ ତାଙ୍କୁ ସ୍ପଷ୍ଟ ଶବ୍ଦରେ ପଚାରନ୍ତୁ ଯେ, ସେ କେବେ ସୁଦ୍ଧା ଟଙ୍କା ଫେରାଇବେ। କମ୍ ଟଙ୍କା ଫେରାଇବାର ସମୟସୀମା ଯେପରି ଅଧିକ ଲମ୍ବା ନହୁଏ। ୫୦୦-୧୦୦୦ ଟଙ୍କା ଯଦି କୌଣସି ସାଙ୍ଗ ବିଲ୍ ପେମେଣ୍ଟ ନାଁରେ ନେଉଛନ୍ତି, ତେବେ ଖୁବଶୀଘ୍ର ଦେଇ ଦେବି ଭଳି ଶବ୍ଦରୁ ସାବଧାନ ରୁହନ୍ତୁ। ଯଦି କେହି କହୁଛନ୍ତି ଯେ ଆସନ୍ତା ମାସ ଦରମା ମିଳିଲେ ଦେଇଦେବି, ତେବେ ବିଶ୍ୱାସ କରାଯାଇପାରେ। ସାଧାରଣତଃ ଲୋକଙ୍କର ଦରମା ଶେଷ ହୋଇଗଲେ ହିଁ ଟଙ୍କାର ଆବଶ୍ୟକତା ପଡ଼ିଥାଏ।

  • ରିମାଇଣ୍ଡର ନିଶ୍ଚୟ ଦିଅନ୍ତୁ -

ଟଙ୍କା ଫେରସ୍ତ ପାଇଁ ଯେଉଁ ତାରିଖ ସ୍ଥିର ହୋଇଥିବ, ସେହି ତାରିଖ ଗଡ଼ିଯିବାର ପରଦିନ ମେସେଜ୍ ମାଧ୍ୟମରେ ତାଙ୍କୁ ମନେପକାଇ ଦିଅନ୍ତୁ ଯେ-କାଲି ସେହି ତାରିଖ ଥିଲା, ସୁବିଧା ହେଲେ ଟଙ୍କା ଟ୍ରାନ୍ସଫର କରିଦିଅ। ଏହିପରି ରିମାଇଣ୍ଡର ଦେବା ଦ୍ୱାରା ଆପଣଙ୍କ ବନ୍ଧୁତା ଦୁର୍ବଳ ହେବ ନାହିଁ କିମ୍ବା ଏହା ଖରାପ ବ୍ୟବହାର ନୁହେଁ। ନିଜ ଟଙ୍କା ଫେରସ୍ତ ମାଗିବା ଆପଣଙ୍କର ଅଧିକାର , ତେଣୁ ନମ୍ରତାର ସହ ମେସେଜ୍ କରିବା ଜରୁରୀ।

  •  ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜୀବନ ଶିକ୍ଷା -

ଯଦି ୨-୩ ଥର ମନେପକାଇବା ପରେ ବି ସମ୍ମୁଖ ବ୍ୟକ୍ତି ଆପଣଙ୍କ ଉଧାର ଟଙ୍କା ଫେରାଉ ନାହାନ୍ତି, ତେବେ ସାବଧାନ ହୋଇ ଯାଆନ୍ତୁ। ଏହା ଆପଣଙ୍କ ପାଇଁ ଏକ ଶିକ୍ଷା ଯେ ଭବିଷ୍ୟତରେ ଯେତେ ବଡ଼ ବିପଦ ଆସୁ ନା କାହିଁକି, ସେହି ବ୍ୟକ୍ତିଙ୍କୁ ଆଉ କେବେ ବି ଟଙ୍କା ଉଧାର ଦେବେ ନାହିଁ। କାରଣ କୌଣସି ବି ମଣିଷ ପାଇଁ ବିଶ୍ୱାସ ସବୁଠାରୁ ବଡ଼ କଥା। ଯଦି ଥରେ ବିଶ୍ୱାସ ଭାଙ୍ଗି ଯାଏ, ତେବେ ପୁଣି ଥରେ ଯେତେ ଅସୁବିଧା ହେଲେ ବି ଟଙ୍କା ଉଧାର ଦେବା ଉଚିତ୍ ନୁହେଁ।

ଆହୁରି ମଧ୍ୟ ପଢନ୍ତୁ -  ବର୍ଷା ଦିନେ ପିଲା ବାରମ୍ବାର ରୋଗରେ ପଡ଼ୁଛନ୍ତି କି ? ସୁସ୍ଥ ରଖିବା ପାଇଁ ଏହି ୭ ଗୁରୁତ୍ୱପୂର୍ଣ୍ଣ କଥାକୁ ଧ୍ୟାନ ଦିଅନ୍ତୁ