ନୂଆଦିଲ୍ଲୀ, ୨୫।୭: ଯଦି ଆପଣଙ୍କୁ ଚକୋଲେଟ୍ ପସନ୍ଦ, ତେବେ ଏହି ଖବର ଆପଣଙ୍କ ପାଇଁ । ଯଦି ଆପଣ ସଠିକ୍ ପରିମାଣରେ ଏବଂ ସଠିକ୍ ପ୍ରକାରର ଡାର୍କ ଚକୋଲେଟ୍କୁ ନିଜ ଜୀବନଶୈଳୀରେ ସାମିଲ କରନ୍ତି, ତେବେ ଆପଣଙ୍କୁ ଅନେକ ପ୍ରକାରର ଲାଭ ମିଳିପାରିବ । ବିଶେଷକରି ୭୦% ବା ତାହାଠାରୁ ଅଧିକ କୋକୋଆଯୁକ୍ତ ଡାର୍କ ଚକୋଲେଟ୍ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଏଥିରେ ଫ୍ଲେଭୋନଏଡ୍ସ, ପଲିଫେନଏଡ୍ସ ଏବଂ ଅନେକ ଜରୁରୀ ମିନେରାଲ୍ସ ରହିଥାଏ, ଯାହା ଶରୀରକୁ ବିଭିନ୍ନ ପ୍ରକାରର ଉପକାର ପହଞ୍ଚାଇଥାଏ । ତେବେ ଏହାକୁ ସୀମିତ ପରିମାଣରେ ଖାଇଲେ ଲାଭଦାୟକ ହୋଇଥାଏ । ବିଶେଷଜ୍ଞମାନେ ସାଧାରଣତଃ ପ୍ରତିଦିନ ୨୦ ରୁ ୩୦ ଗ୍ରାମ୍ ଅର୍ଥାତ୍ ପ୍ରାୟ ୧-୨ଟି ଛୋଟ ପିସ୍ ଡାର୍କ ଚକୋଲେଟ୍ ଖାଇବାକୁ ପର୍ଯ୍ୟାପ୍ତ ବୋଲି ବିଚାର କରନ୍ତି ।
ଆସନ୍ତୁ ଜାଣିବା ଗବେଷଣା ଅନୁଯାୟୀ ଡାର୍କ ଚକୋଲେଟ୍ର ଫାଇଦା କ’ଣ ରହିଛି:
୧. ହୃଦୟକୁ ସୁସ୍ଥ ରଖିପାରେ
ହେଲଥ୍ଲାଇନ୍ର ରିପୋର୍ଟ ଅନୁଯାୟୀ, ଡାର୍କ ଚକୋଲେଟ୍ରେ ଥିବା ଫ୍ଲେଭୋନଏଡ୍ସ ରକ୍ତ ନଳୀଗୁଡ଼ିକୁ ଆଶ୍ୱସ୍ତି ଦେବାରେ ସାହାୟତା କରିଥାଏ । ଏହାଦ୍ୱାରା ରକ୍ତ ସଞ୍ଚାଳନ ଭଲ ହୋଇଥାଏ ଏବଂ ହୃଦ୍ରୋଗର ଆଶଙ୍କା କମିଯାଇଥାଏ ।
୨. ଆଣ୍ଟିଅକ୍ସିଡାଣ୍ଟର ଉତ୍ତମ ଉତ୍ସ
୭୦% ବା ତା'ଠାରୁ ଅଧିକ କୋକୋଆ ଥିବା ଡାର୍କ ଚକୋଲେଟ୍ରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ । ଏଗୁଡ଼ିକ ଶରୀରରେ ତିଆରି ହେଉଥିବା ଫ୍ରି ରାଡିକାଲ୍ସ ସହିତ ଲଢ଼ିବାରେ ସାହାୟତା କରେ, ଯାହାକି କୋଷଗୁଡ଼ିକୁ କ୍ଷତିରୁ ରକ୍ଷା କରିଥାଏ ।
୩. ରକ୍ତଚାପ ଉପରେ ସକାରାତ୍ମକ ପ୍ରଭାବ
କିଛି ଗବେଷଣାରୁ ଜଣାପଡିଛି ଯେ, ଡାର୍କ ଚକୋଲେଟ୍ରେ ଥିବା ଫ୍ଲେଭୋନଏଡ୍ସ ଶରୀରରେ ନାଇଟ୍ରିକ୍ ଅକ୍ସାଇଡ୍ ଉତ୍ପାଦନକୁ ବୃଦ୍ଧି କରିଥାଏ । ଏହାଦ୍ୱାରା ରକ୍ତ ନଳୀଗୁଡ଼ିକ ପ୍ରସାରିତ ହୁଏ ଏବଂ ରକ୍ତଚାପକୁ ନିୟନ୍ତ୍ରଣ ରଖିବାରେ ସାହାୟତା ମିଳିଥାଏ ।
୪. ମସ୍ତିଷ୍କର କାର୍ଯ୍ୟକାରିତାକୁ ସମର୍ଥନ କରେ
ଡାର୍କ ଚକୋଲେଟ୍ ଖାଇବା ଦ୍ୱାରା ମସ୍ତିଷ୍କରେ ରକ୍ତ ସଞ୍ଚାଳନ ଭଲ ହୋଇଥାଏ । କିଛି ଅଧ୍ୟୟନ ଅନୁଯାୟୀ, ଏହା ସ୍ମୃତିଶକ୍ତି ଏବଂ ଶିଖିବା କ୍ଷମତା ଉପରେ ସକାରାତ୍ମକ ପ୍ରଭାବ ପକାଇପାରେ । ଏଥିରେ ଥିବା ସାମାନ୍ୟ କାଫିନ ମଧ୍ୟ ମସ୍ତିଷ୍କକୁ ସତର୍କ ରଖିବାରେ ସାହାୟତା କରେ ।
ଏହା ବି ପଢ଼ନ୍ତୁ... Sugary drinks : ପିଲାମାନଙ୍କୁ ଅତ୍ୟଧିକ ଜୁସ୍ କିମ୍ଵା ସପ୍ଟ ଡ୍ରିଙ୍କସ୍ ଦେଉଛନ୍ତି କି ? ତାହେଲେ ସାବଧାନ୍... ହୋଇପାରେ ବଡ଼ ସ୍ଵାସ୍ଥ୍ୟ ସମସ୍ୟା
୫. ତ୍ୱଚା ପାଇଁ ଲାଭଦାୟକ
ଗବେଷଣା ଅନୁଯାୟୀ, କୋକୋଆରେ ଥିବା ଫ୍ଲେଭୋନଲ୍ସ ତ୍ୱଚାକୁ ସୂର୍ଯ୍ୟଙ୍କ ଅତିବାଇଗୁଣୀ ରଶ୍ମିରୁ ହେଉଥିବା କ୍ଷତିରୁ ରକ୍ଷା କରିବା, ତ୍ୱଚାର ଆର୍ଦ୍ରତା ବଜାୟ ରଖିବା ଏବଂ ରକ୍ତ ସଞ୍ଚାଳନ ସୁଧାରିବାରେ ସାହାୟତା କରିଥାଏ ।
୬. ଭଲ କୋଲେଷ୍ଟ୍ରଲ୍ ବୃଦ୍ଧି କରିବାରେ ସହାୟକ
କିଛି ଅଧ୍ୟୟନରୁ ଜଣାପଡ଼ିଛି ଯେ, ଡାର୍କ ଚକୋଲେଟ୍ ଖରାପ କୋଲେଷ୍ଟ୍ରଲର ଅକ୍ସିଡେସନ୍ କମ୍ କରିବା ଏବଂ ଭଲ କୋଲେଷ୍ଟ୍ରଲ୍ ବୃଦ୍ଧି କରିବାରେ ସାହାୟତା କରିଥାଏ ।
୭. ଜରୁରୀ ମିନେରାଲ୍ସର ଏକ ଭଲ ଉତ୍ସ
୭୦% ରୁ ଅଧିକ କୋକୋଆ ଥିବା ଡାର୍କ ଚକୋଲେଟ୍ରେ ଆଇରନ୍, ମ୍ୟାଗ୍ନେସିୟମ୍, କପର୍, ମାଙ୍ଗାନିଜ୍ ଏବଂ ଫାଇବର ଭଲ ପରିମାଣରେ ମିଳିଥାଏ । ଏଗୁଡ଼ିକ ଶରୀରର ବିଭିନ୍ନ ଜରୁରୀ ପ୍ରକ୍ରିୟା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ଡାର୍କ ଚକୋଲେଟ୍ କେତେ ପରିମାଣରେ ଖାଇବା ଉଚିତ୍ ?
ଡାର୍କ ଚକୋଲେଟ୍ରେ ଲାଭ ସହିତ କ୍ୟାଲୋରୀ ଏବଂ ସାମାନ୍ୟ ପରିମାଣରେ ଚିନି ମଧ୍ୟ ରହିଥାଏ । ତେଣୁ ଏହାକୁ ୨୦-୩୦ ଗ୍ରାମ ବା ୧-୨ଟି ଛୋଟ ପିସ୍ ମଧ୍ୟରେ ସୀମିତ ରଖିବା ଭଲ । ସବୁବେଳେ ୭୦% ବା ୮୫% କୋକୋଆଯୁକ୍ତ ଡାର୍କ ଚକୋଲେଟ୍ ବାଛନ୍ତୁ, କାରଣ ସେଥିରେ ଆଣ୍ଟିଅକ୍ସିଡାଣ୍ଟ ଅଧିକ ଏବଂ ଚିନି କମ୍ ଥାଏ । ଡାର୍କ ଚକୋଲେଟ୍ ଏକ ସ୍ୱାସ୍ଥ୍ୟକର ଖାଦ୍ୟର ଏକ ଅଂଶ ହୋଇପାରେ, କିନ୍ତୁ ଏହା କୌଣସି ରୋଗର ଚିକିତ୍ସା ନୁହେଁ । ଯଦି ଆପଣଙ୍କର ମଧୁମେହ, ମୋଟାପା ବା କୌଣସି ବିଶେଷ ସ୍ୱାସ୍ଥ୍ୟଗତ ସମସ୍ୟା ଅଛି, ତେବେ ଏହାକୁ ନିୟମିତ ଖାଇବା ପୂର୍ବରୁ ଡାକ୍ତର କିମ୍ବା ଡାଏଟିସିଆନ୍ଙ୍କ ପରାମର୍ଶ ନିଅନ୍ତୁ ।