ନୂଆଦିଲ୍ଲୀ - ବର୍ଷା ଋତୁ ଆସିବା ମାତ୍ରେ ହିଁ ଶିଶୁମାନଙ୍କୁ ବାରମ୍ବାର ସର୍ଦ୍ଦି, କାଶ ଓ ଥଣ୍ଡା ସମସ୍ୟା ଲାଗି ରହିଥାଏ। ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି  ଦୁର୍ବଳ ହୋଇ ଯାଏ। ବର୍ଷା ଓ ଖରା , ଏମିତି ମୁହୂର୍ତ୍ତକେ ବଦଳୁଥିବା ପାଣିପାଗକୁ ସେମାନଙ୍କ ଶରୀର ସହଜରେ ଗ୍ରହଣ କରି ପାରେ ନାହିଁ। ୨୦୨୨ ମସିହାର 'ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ'ର ରିପୋର୍ଟ ଅନୁଯାୟୀ, ମୌସୁମୀ ଋତୁ ଆରମ୍ଭ ହେବା କ୍ଷଣି ୧୦ ବର୍ଷରୁ କମ୍ ବୟସର ଶିଶୁମାନଙ୍କ ଠାରେ ଋତୁକାଳୀନ ସଂକ୍ରମଣ (Seasonal Infections)ର ହାର ୨୦ ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇ ଥାଏ। ଏଥି ଯୋଗୁଁ ଥଣ୍ଡା-କାଶ, ଟାଇଫଏଡ୍, ଡାଏରିଆ, ଡେଙ୍ଗୁ, ମ୍ୟାଲେରିଆ ଏବଂ କେତେକ ସମୟରେ ଫଙ୍ଗଲ୍ ସଂକ୍ରମଣ ମଧ୍ୟ ପିଲାମାନଙ୍କୁ ହୁଏ। ଶିଶୁକୁ ଏହିଭଳି ସିଜନାଲ ରୋଗରୁ ରକ୍ଷା କରିବାକୁ ହେଲେ ଏହି ୭ ଗୁରୁତ୍ୱପୂର୍ଣ୍ଣ କଥା ଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତୁ …

୧- ପାଣିକୁ ଭଲ ଭାବେ ଫିଲଟର କରନ୍ତୁ -

ପିଲାଙ୍କୁ ପାଣି ପିଇବାକୁ ଦେବା ବେଳେ ସର୍ବଦା ଫୁଟା ଯାଇ ଥିବା କିମ୍ବା ଫିଲଟର ହୋଇ ଥିବା ପାଣି ଦିଅନ୍ତୁ। ସ୍କୁଲ୍ ଯିବା ସମୟରେ ସଫା ବୋତଲରେ ପାଣି ଦିଅନ୍ତୁ ଏବଂ Tap water ପାଣି ପିଇବାକୁ ମନା କରନ୍ତୁ। ଟ୍ୟାପ୍ ୱାଟର ପିଲାଙ୍କୁ ସଂକ୍ରମିତ କରି ପାରେ। ପାଣି ସଫା ଦେଖା ଯାଉ ଥିଲେ ମଧ୍ୟ ସେଥିରେ ଜୀବାଣୁ ଥାଇ ପାରନ୍ତି। ତେଣୁ RO ଫିଲଟର ପାଣି କିମ୍ବା ଫୁଟା ପାଣି ହିଁ ପିଲାଙ୍କୁ ପିଇବାକୁ ଦିଅନ୍ତୁ।

୨- ବର୍ଷା ଦିନେ ପୋଷାକ ଉପରେ ଧ୍ୟାନ ଦିଅନ୍ତୁ –

ବର୍ଷା ଦିନେ ପିଲାମାନଙ୍କୁ ଘରେ ରହିବା ସମୟରେ ଏବଂ ବାହାରକୁ ଯାଉଥିବା ବେଳେ ପୂରା ହାତ ଓ ଗୋଡ଼ ଢାଙ୍କୁ ଥିବା ପୋଷାକ ପିନ୍ଧାନ୍ତୁ। ସଫାସୁତୁରା ସୂତା ଭଳି ହାଲୁକା କପଡ଼ା ପିନ୍ଧିବାକୁ ଦିଅନ୍ତୁ, ଯାହା ଝାଳକୁ ଶୋଷିତ କରି ପାରୁ ଥିବ। ବର୍ଷା ଦିନେ ମଶାଙ୍କ ପ୍ରାଦୁର୍ଭାବ ବଢ଼ି ଯାଏ, ଯାହା ପିଲାଙ୍କୁ କାମୁଡ଼ି ଡେଙ୍ଗୁ ଓ ମ୍ୟାଲେରିଆର ଶିକାର ବନାଇ ପାରେ। ଏଥିପ୍ରତି ଦୃଷ୍ଟି ଦିଅନ୍ତୁ।

୩- ମଶା ଉପରେ ନିୟନ୍ତ୍ରଣ ଜରୁରୀ -

ପିଲାଙ୍କୁ ବର୍ଷା ଦିନେ ଅସୁସ୍ଥ ହେବାରୁ ବଞ୍ଚାଇବା ପାଇଁ ଘର ପରିବେଶକୁ ସଫାସୁତୁରା ରଖନ୍ତୁ, ଯେପରି ମଶା ବଂଶବୃଦ୍ଧି କରି ପାରିବେ ନାହିଁ। ଘରର କୁଲର୍ କିମ୍ବା ଫୁଲକୁଣ୍ଡରେ ପାଣି ଜମିବାକୁ ଦିଅନ୍ତୁ ନାହିଁ। ଏହା ସହିତ ପିଲାଙ୍କୁ ଶୁଆଇବା ସମୟରେ ମଶାରୀ ବ୍ୟବହାର କରନ୍ତୁ।

୪- ଭାକ୍ସିନେସନ ସମ୍ପୂର୍ଣ୍ଣ କରନ୍ତୁ

ଛୋଟ ପିଲାଙ୍କ ଯେଉଁସବୁ ଆବଶ୍ୟକୀୟ ଟିକା ରହିଛି, ତାହା ନିଶ୍ଚିତ ଭାବେ ଶେଷ କରନ୍ତୁ। ଏହାଦ୍ୱାରା ପିଲାମାନେ ହେପାଟାଇଟିସ୍-ଏ, ଫ୍ଲୁ, ଏବଂ ଟାଇଫଏଡ୍ ଭଳି ରୋଗରୁ ରକ୍ଷା ପାଇ ପାରିବେ।

୫-  ସ୍ୱଚ୍ଛତା ନିହାତି ଜରୁରୀ-

ପିଲାମାନେ ଖେଳି ସାରି ଘରକୁ ଫେରିବା ପରେ ସେମାନଙ୍କ ହାତ-ଗୋଡ଼ ସଫା କରିବା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ସ୍କୁଲରୁ ଫେରିବା ପରେ ମଧ୍ୟ ହାତ ନିଶ୍ଚିତ ଧୁଆନ୍ତୁ। ପିଲାଙ୍କ ପାଣି ବୋତଲ ଆଦିକୁ ଭଲ ଭାବରେ ସଫା ରଖନ୍ତୁ। ଛୋଟ ପିଲାଙ୍କ ବୋତଲକୁ ନିୟମିତ ଷ୍ଟେରିଲାଇଜ୍ କରନ୍ତୁ। ଏହା ସହ ସେମାନଙ୍କ ଖେଳଣାଗୁଡ଼ିକୁ ମଧ୍ୟ ସଫା ରଖନ୍ତୁ।

ପିଲାଙ୍କ ପାଣି ବୋତଲ ସଂକ୍ରମଣ ବ୍ୟାପିବାର ଏକ ବଡ଼ କାରଣ ହୋଇଥାଏ, କାରଣ ଏଥିରେ ସ୍ୱତନ୍ତ୍ର ପ୍ରକାରର ଘୂର୍ଣ୍ଣାୟମାନ ଢାଙ୍କୁଣୀ ଥାଏ, ଯେଉଁଥିରେ ଅନେକ ସମୟରେ ଫଙ୍ଗସ୍ ଲାଗି ଥାଏ , ଯାହା ଆଖିକୁ ଦେଖାଯାଏ ନାହିଁ। ତେଣୁ ସାଧାରଣ ଓ ପ୍ଲେନ୍ ଡିଜାଇନ୍‌ର ପାଣି ବୋତଲ ଦିଅନ୍ତୁ ଏବଂ ଫ୍ୟାନ୍ସି ବୋତଲ ଠାରୁ ପିଲାଙ୍କୁ ଦୂରେଇ ରଖନ୍ତୁ। ଯେଉଁ ଜିନିଷ ସହଜରେ ସଫା ହୋଇ ପାରିବ, ସେଗୁଡ଼ିକୁ ବ୍ୟବହାର କରିବା ଉପରେ ଅଧିକ ଧ୍ୟାନ ଦିଅନ୍ତୁ।

୬- ପର୍ଯ୍ୟାପ୍ତ ପରିମାଣର ନିଦ ଜରୁରୀ -

ଯେଉଁ ପିଲା ସ୍କୁଲ୍ ଯାଉଛନ୍ତି , ଘର ହାରେ ଖେଳୁଛନ୍ତି , ତ ତାଙ୍କର ନିଦ ଯେପରି ପୂରା ହୁଏ, ସେଥିପ୍ରତି ଧ୍ୟାନ ଦିଅନ୍ତୁ। ସେମାନଙ୍କ ପାଇଁ  ପ୍ରାୟ ୯ ରୁ ୧୨ ଘଣ୍ଟାର ନିଦ୍ରା ନିହାତି ଜରୁରୀ।

୭-  ପିଲାଙ୍କୁ ସ୍ୱାସ୍ଥ୍ୟକର ଖାଦ୍ୟ ଦିଅନ୍ତୁ

ପିଲାଙ୍କ ଖାଦ୍ୟରେ ଭିଟାମିନ୍-ସି ଯୁକ୍ତ ଖାଦ୍ୟ ସାମିଲ୍ କରନ୍ତୁ, ଯାହା ଦ୍ୱାରା ଶରୀରରେ ହ୍ୱାଇଟ୍ ବ୍ଲଡ୍‌ ସେଲ୍ସ ବୃଦ୍ଧି ପାଇବ ଏବଂ ରୋଗ ପ୍ରତିରୋଧକ ଶକ୍ତି ମଜବୁତ୍ ହେବ। ହଳଦୀ, ଅଦା ଏବଂ ମହୁକୁ ପିଲାଙ୍କ ନିୟମିତ ଆହାରରେ ସାମିଲ କରନ୍ତୁ।

ଆହୁରି ମଧ୍ୟ ପଢନ୍ତୁ -  ରାତି ଭୋଜନ ପରେ ଚାଲିବା କାହିଁକି ଜରୁରୀ ? ଜାଣନ୍ତୁ ୩ଟି ବଡ଼ କାରଣ