ଭୁବନେଶ୍ବର,୩।୧୨ : ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକମାନଙ୍କ ପେନସନ ବୃଦ୍ଧି ନେଇ କମିଟି ଗଠନ କରାଯାଇଛି। ଏ ନେଇ ବାଚସ୍ପତି ଘୋଷଣା କରିଛନ୍ତି। ଦରମା ଓ ପେନସନ ବୃଦ୍ଧି ନେଇ କମିଟି ରିପୋର୍ଟ ପ୍ରଦାନ କରିବ।
ଏହି କମିଟିରେ ବିଧାୟକ ଭାସ୍କର ମଢେଇ ଅଧ୍ୟକ୍ଷ ରହିବେ। କଂଗ୍ରେସ ବିଧାୟକ ଦଳ ନେତା ରାମ କାଡାମ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ପ୍ରତାପ ଦେବ, ତାରା ବାହିନୀପତି, ଲକ୍ଷ୍ମଣ ମୁଣ୍ଡା, ପ୍ରକାଶ ସୋରେନ, ନିହାର ମହାନନ୍ଦ, ପୂର୍ଣ୍ଣ ସେଠି ପ୍ରମୁଖ ସଦସ୍ୟ ରହିଛନ୍ତି ।
ବିଧାୟକମାନଙ୍କର ଦରମା ଏବଂ ପୂର୍ବତନ ବିଧାୟକଙ୍କର ପେନସନ ବୃଦ୍ଧି ପାଇଁ ଗୃହରେ ଦାବି ଉଠିଥିଲା। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଥିଲେ ଯେ ବଜାର ଦରଦାମ କେତେ, ସ୍ବାସ୍ଥ୍ୟ ଖର୍ଚ୍ଚ କେତେ ହେଉଛି ଅନୁଭବ କରିପାରୁଥିବେ । ତେଣୁ ପୂର୍ବତନ ବିଧାୟକ ମାନଙ୍କ ପେନସନ ବୃଦ୍ଧି କରାଯାଉ । ଏଥିପାଇଁ ପୂର୍ବରୁ ଏକ କମିଟି ମଧ୍ୟ ହୋଇଥିଲା । ତେଣୁ ପେନସନ ସହ ବିଧାୟକମାନଙ୍କର ଦରମା ବଢ଼ାଇବାକୁ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଦାବି କରିଥିଲେ । ଓଡ଼ିଶାରେ ବିଧାୟକ ମାନଙ୍କ ଦରମା କ୍ଷେତ୍ରରେ ଦେଶରେ ୨୭ ନମ୍ବର ସ୍ଥାନରେ ଅଛି । ତେଣୁ ନୂଆ କମିଟି ଯଦି ଆବଶ୍ୟକ, ବାଚସ୍ପତି ନୂଆ କମିଟି କରି ଦରମା ଓ ପେନସନ ବୃଦ୍ଧି କରନ୍ତୁ । ବିଧାୟକ ମାନଙ୍କ ଦରମା ୨ ଲକ୍ଷ ୫୦ ହଜାର ଏବଂ ପୂର୍ବତନ ବିଧାୟକମାନଙ୍କ ପେନସନ ୭୦ ହଜାର କରାଯାଉ ବୋଲି ପୂର୍ବରୁ କମିଟି ସୁପାରିଶ କରିଛି । ବିଧାୟକ ଉନ୍ନୟନ ପାଣ୍ଠି ୩ କୋଟି ଟଙ୍କା ଦିଆଯାଉଛି । କିନ୍ତୁ ୩ କୋଟି ଟଙ୍କା ଯଥେଷ୍ଟ ନୁହେଁ, ୫ କୋଟି ଟଙ୍କା କରାଯାଉ ବୋଲି ପ୍ରମିଳା ଦାବି କରିଥିଲେ। ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ ମଧ୍ୟ ସମାନ ପ୍ରସଙ୍ଗ ଉଠାଇଲେ ।
ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକ ମାନଙ୍କ ପେନସନ ବୃଦ୍ଧି ସହ ବିଧାୟକ ଉନ୍ନୟନ ପାଣ୍ଠି ବୃଦ୍ଧି କରିବାକୁ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କଡାମ ମଧ୍ୟ ଦାବି କରିଥିଲେ । ବିଜେପି ବିଧାୟକ ଭାସ୍କର ମଢେଇ ମଧ୍ୟ ଏହି ଦାବି ଗୁଡ଼ିକୁ ସମର୍ଥନ କରିଥିଲେ । ନୂଆ କମିଟି ନକରି ପୁରୁଣା କମିଟିର ସୁପାରିଶ ଅନୁସାରେ କରନ୍ତୁ ବୋଲି କହିଥିଲେ ।
କଂଗ୍ରେସ ବିଧାୟକ ତାରା ବାହିନୀପତି କହିଥିଲେ, ଆଇଏଏସ ଅଫିସରଙ୍କର କୌଣସି ଅସୁବିଧା ନାହିଁ । ଅବସର ପରେ ବି କୋଠା ଘରେ ରହୁଛନ୍ତି । କିନ୍ତୁ ବିଧାୟକ ମାନଙ୍କର ହୃଦୟ ନିର୍ମଳ, ପକେଟ ଖାଲି । ନିର୍ବାଚନ ମଣ୍ଡଳୀରେ ଲୋକ ମାନେ ବିଭିନ୍ନ ଉନ୍ନୟନମୂଳକ କାମ ପାଇଁ ବିଧାୟକ ମାନଙ୍କୁ ଦାବି ଜଣାଉଛନ୍ତି । ତେଣୁ ବିଧାୟକ ପାଣ୍ଠି ବୃଦ୍ଧି କରି ୫ କୋଟି କରାଯାଉ ବୋଲି ଦାବି କରିଥିଲେ । ସାମ୍ବାଦିକ ମାନଙ୍କ ସ୍ବାସ୍ଥ୍ୟ ବୀମା ମଧ୍ୟ ୨୦ ଲକ୍ଷକୁ ବୃଦ୍ଧି କରାଯାଉ ବୋଲି ତାରା ଦାବି କରିଥିଲେ
ବିଧାୟକ ମାନେ ଉଠାଇଥିବା ଦାବିରେ ସମସ୍ତଙ୍କ ସହମତି ରହିବା ଭଳି ପ୍ରତୀୟମାନ ହେଲା । ତେଣୁ ବିଧାୟକ ମାନଙ୍କ ଦରମା, ପୂର୍ବତନ ବିଧାୟକ ମାନଙ୍କ ପେନସନ ଓ ବିଧାୟକ ପାଣ୍ଠି ବୃଦ୍ଧି ଦାବି ସମୟର ଆବଶ୍ୟକତା ଅଛି ବୋଲି ବାଚସ୍ପତି ସୁରମା ପାଢ଼ୀ କହିଥିଲେ ।