ଭୁବନେଶ୍ବର ୧୬/୧୦: ନିଜ ଶାସନ କାଳ ମଧ୍ୟରେ ସେ ବହୁ ରେକର୍ଡ ଭାଙ୍ଗିଛନ୍ତି । ଅନେକ ଯୋଡ଼ିଛନ୍ତି । କେବଳ ୫ ପାଳିର ମୁଖ୍ୟମନ୍ତ୍ରୀ ଭାବେ ନୁହଁ, ନିଜର ସରଳତା ଓ ନିରଳସ ଜୀବନ ଯାପନ ପାଇଁ ଜାତୀୟ ରାଜନୀତିରେ ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି ନବୀନ ପଟ୍ଟନାୟକ । ଗରିବୀର ବିକଳ ଚିତ୍ର ବଦଳିଲା । ରୂପାନ୍ତରଣର ମଡେଲ ପାଲଟିଲା । ରାଜ୍ୟର ଅର୍ଥନୀତିକୁ ସଶକ୍ତ ଓ ସୁଦୃଢ଼ କରି ଟ୍ରାକକୁ ଆଣିବାର ଶ୍ରେୟ ପାଇଁ ଇତିହାସ ତାଙ୍କୁ ମନେ ରଖିବ । ତାଙ୍କରି ଅମଳରେ ରାଜ୍ୟ ଦେଖିଛି ସରକାର ଓ ପ୍ରଶାସନରେ ବଡ଼ ସଂସ୍କାର । ୨୦୦୦ ମାର୍ଚ୍ଚ ୫ରୁ ୨୦୨୪ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ୨୪ ବର୍ଷର ଏ ଲମ୍ବା ଯାତ୍ରାରେ ସେ ପାଇଛନ୍ତି ଈର୍ଷଣୀୟ ସଫଳତା । ବିକାଶ ମାନଚିତ୍ରରେ ଓଡ଼ିଶା ଅନେକ ଉପରକୁ ଉଠିଛି । ଦେଶରେ ସର୍ବାଧିକ ଦାରିଦ୍ର୍ୟ ହ୍ରାସ କରିବାରେ ଓଡ଼ିଶା ହିଁ ରହିଛି ଶୀର୍ଷରେ । ଏ ଜନନେତା ୮୦ ବର୍ଷରେ ପଦାର୍ପଣ କରୁଛନ୍ତି । ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଓ ଶୁଭେଛା ।
ବିପର୍ଯ୍ୟୟରୁ ରୋଲ୍ ମଡେଲ
୧୯୯୯ ମହାବାତ୍ୟାରେ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିଲା ଓଡ଼ିଶା । ଏଭଳି ଏକ ସମୟରେ ଓଡ଼ିଶାର ଶାସନ ଭାର ହାତକୁ ନେଇଥିଲେ ନବୀନ ପଟ୍ଟନାୟକ । ବିପର୍ଯ୍ୟୟ ମୁକାବିଲା ଥିଲା ନବୀନଙ୍କ ଆଗରେ ସବୁଠାରୁ ବଡ଼ ଆହ୍ୱାନ । ନବୀନ ଆରମ୍ଭ କଲେ ଓଡ୍ରାଫ । ନବୀନଙ୍କ ମଡେଲ୍କୁ ନେଇ ଜାତୀୟସ୍ତରରେ ଗଢ଼ା ହେଲା ଏନ୍ଡିଆର୍ଏଫ । ବନ୍ୟା, ବାତ୍ୟା ସମୟରେ ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିବାକୁ ନବୀନଙ୍କ ସମୟରେ ଗାଁରୁ ସହର ଯାଏଁ ନିର୍ମାଣ ହେଲା ଆଶ୍ରୟସ୍ଥଳୀ । ନବୀନଙ୍କ ଲକ୍ଷ୍ୟ ଥିଲା-ଜିରୋ କାଜୁଆଲିଟି । ପ୍ରତିଟି ଜୀବନ ମୂଲ୍ୟବାନକୁ ମନ୍ତ୍ର କରି ନବୀନ ଯେଉଁଭଳି ସୁରକ୍ଷା କବଚ ସାରା ରାଜ୍ୟରେ ଗଢ଼ିଲେ, ତା’ର ପରିଣାମ ଫାଇଲିନ ଓ ଫୋନି ଭଳି ଭୟଙ୍କର ବାତ୍ୟାକୁ ଓଡ଼ିଶା ଦୃଢ଼ତାର ସହ ମୁକାବିଲା କରିପାରିଥିଲା । ଆଉ ବନ୍ୟା, ବାତ୍ୟା ଆସିଲେ ୯୯ ଭଳି ଡର ଲାଗୁନି । ଲୋକଙ୍କ ମନରେ ବିଶ୍ୱାସ ବଢ଼ିଛି, ଓଡ଼ିଶା ସରକାର ସବୁ ସ୍ଥିତିର ମୁକାବିଲା କରିପାରିବେ । ଓଡ଼ିଶାର ବିପର୍ଯ୍ୟୟ ମୁକାବିଲା ମଡେଲ୍କୁ ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ କରାଯାଇଛି । ଜାତିସଂଘରୁ ମିଳିଛି ଓଡ଼ିଶାକୁ ସାବାସୀ । ନବୀନଙ୍କ ଲମ୍ବା ଶାସନ କାଳ ଭିତରେ ଦେଶ ବିଦେଶରେ ଉଦାହରଣ ପାଲଟିଛି ଓଡ଼ିଶା ।
୨୦୦୦ ମାର୍ଚ୍ଚ ୫ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନବୀନ । ୨୦୨୪ ନିର୍ବାଚନରେ ସେ କ୍ଷମତାରୁ ହଟିଲେ । ହେଲେ ୨୪ ବର୍ଷର ଏ ଲମ୍ବା ଯାତ୍ରାରେ ସେ ପାଇଛନ୍ତି ଈର୍ଷଣୀୟ ସଫଳତା । ୨୦୦୦ ମସିହାରେ ରାଜ୍ୟର ଦାରିଦ୍ର୍ୟ ହାର ଥିଲା ୬୮%, ଏହା ୧୧% କୁ ଖସିଛି । ଏହାପଛରେ ନବୀନଙ୍କ ବହୁ ସଂସ୍କାର ଓ ଯୋଜନାର ବଡ଼ ଭୂମିକା ରହିଥିଲା ।
ରାଜ୍ୟରେ ବିକାଶର ଗତିଶୀଳତାକୁ ଆଗକୁ ନେବାକୁ ‘୫ ଟି’ ଦଳଗତ କାର୍ଯ୍ୟ, ସ୍ୱଛତା, ବୈଷୟିକ ଜ୍ଞାନ, ପରିବର୍ତ୍ତନ ଓ ସମୟ (ଟିମ୍ ୱାର୍କ, ଟ୍ରାନ୍ସପେରେନ୍ସି, ଟେକ୍ନୋଲୋଜି, ଟ୍ରାନ୍ସଫରମେସନ, ଟାଇମ୍) ଅନୁସାରେ କାମ କରିବାକୁ ନୂଆ ମଡେଲ ଆରମ୍ଭ ହୋଇଥିଲା । ଅଫିସରମାନଙ୍କୁ ଲୋକଙ୍କ ନିକଟରେ ଉତ୍ତରଦାୟୀ କରିଥିଲା ‘ମୋ ସରକାର । ଘରେ ବସି ଲୋକମାନେ କଂପ୍ୟୁଟର କି-ବୋର୍ଡ କିମ୍ବା ମୋବାଇଲ୍ ଆପରେ ସେବା ପାଇବାର ବ୍ୟବସ୍ଥା ରାଜ୍ୟ ଦେଖିଲା । ମଧ୍ୟସ୍ଥି, ଦଲାଲଙ୍କ ଶୋଷଣରୁ ମୁକ୍ତି ମିଳିବା ସହ ପ୍ରାୟ ସାଢ଼େ ୪୦୦ରୁ ଅଧିକ ସରକାରୀ ସେବା ଅନଲାଇନରେ ଉପଲବ୍ଧ ହେଲା ।
କୃଷି ପାଇଁ ସ୍ୱତନ୍ତ୍ର ବଜେଟ ଆଣି ସାରା ଦେଶରେ ଉଦାହରଣ ସୃଷ୍ଟି କରିଥିଲେ ନବୀନ । ଓଡ଼ିଆ ଭାଷା ପାଇଲା ଶାସ୍ତ୍ରୀୟ ମାନ୍ୟତା । ନବୀନଙ୍କ ନିର୍ଦ୍ଦେଶକ୍ରମେ କାର୍ଯ୍ୟକାରୀ ହେଲା ସଂଶୋଧିତ ଓଡ଼ିଶା ସରକାରୀ ଭାଷା ଆଇନ । ପର୍ଯ୍ୟଟନ ଠାରୁ ଅଲଗା ହୋଇ ସଂସ୍କୃତି ବିଭାଗ ହେଲା ‘ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ’ । ନବୀନ ଗଠନ କଲେ ଐତିହ୍ୟ କ୍ୟାବିନେଟ୍ । ସତ୍ୟବାଦୀ ଠାରେ ଓଡ଼ିଆ ଭାଷା ବିଶ୍ୱବିଦ୍ୟାଳୟ ଖୋଲିଲା । ରାଜ୍ୟରେ ଦ୍ରୁତ ଶିଳ୍ପାୟନ ପାଇଁ ଶିଳ୍ପ ମହାକୁମ୍ଭ ‘ମେକ୍ ଇନ୍ ଓଡ଼ିଶା’ ସମ୍ମିଳନୀ ଆରମ୍ଭ ହେଲା ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରୁ ସମଲେଇ ପ୍ରକଳ୍ପ ଓ ବିର୍ସା ମୁଣ୍ଡା ଷ୍ଟାଡିୟମ ପାଇଁ ଇତିହାସ ନବୀନଙ୍କୁ ମନେ ରଖିବ । ଜାତୀୟ ହକି ଟିମ୍ର ପ୍ରାୟୋଜକ ହେବା ସହ କଳିଙ୍ଗ ଷ୍ଟାଡିୟମର ନବକଳେବର ଓ ହକି ପାଇଁ ବିଶ୍ୱସ୍ତରୀୟ ଭିତ୍ତିଭୂମି ତିଆରି କରି ସେ ଭୁବନେଶ୍ୱରକୁ ଦେଶର ସ୍ପୋର୍ଟସ କ୍ୟାପିଟାଲ ଭାବେ ପରିଚିତ କରାଇଥିଲେ ।
ମଡେଲ ଯୋଜନା
ନିଜର ଲମ୍ବା ମୁଖ୍ୟମନ୍ତ୍ରୀତ୍ୱ କାଳରେ ନବୀନ ବହୁ ଅଭିନବ ଯୋଜନା କାର୍ଯ୍ୟକାରୀ କରିଥିଲେ । ଚାଷୀଙ୍କ ଆୟ ବଢ଼ାଇବାକୁ ‘କାଳିଆ’ ଯୋଜନା ସାରା ଦେଶରେ ଚହଳ ପକାଇଥିଲା ।
ନବୀନଙ୍କ ଟଙ୍କିକିଆ ଚାଉଳ ଯୋଜନା ଆଜି ବି ଅନୁକରଣୀୟ ହୋଇରହିଛି । ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇଁ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ରାଜ୍ୟ ପାଇଁ ପାଲଟିଲା ଗେମଚେଞ୍ଜର । ରାଜ୍ୟରେ ଖୋଲିଲା ନୂଆ ମେଡିକାଲ କଲେଜ । ଗର୍ଭବତୀ ମହିଳାଙ୍କ ପାଇଁ ‘ମମତା’ ମଧ୍ୟ ଜାତୀୟ ସ୍ତରରେ ପ୍ରଶଂସା ପାଇଲା । ସବୁ ବ୍ଲକ୍ରେ ଖୋଲିଲା ଆଦର୍ଶ ବିଦ୍ୟାଳୟ । ଏଠାରେ ସିବିଏସ୍ଇ ଢାଞ୍ଚାରେ ପାଠପଢା ହେଉଛି । ନବୀନଙ୍କ ଅଢ଼େଇ ଦଶନ୍ଧିର ମୁଖ୍ୟମନ୍ତ୍ରୀତ୍ୱ କାଳରେ ମହିଳା ସଶକ୍ତୀକରଣ କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ନିଆଗଲା । ମହିଳାମାନେ ସ୍ୱାବଲମ୍ବୀ ହେଲେ । ସେହିଭଳି ‘ଆହାର’ ଯୋଜନାରୁ, ୫ଟି ସ୍କୁଲ, ମୋ ବସରୁ ଲକ୍ଷ୍ମୀ ବସ୍ ସେବା ଏବଂ ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିଶନ-ସୁଜଳ’ ଭଳି ଯୋଜନା ରାଜ୍ୟରେ ବିକାଶକୁ ଆଗକୁ ନେବାରେ ସହାୟକ ହୋଇଛି । ଓଡ଼ିଶା ଖାଦ୍ୟ ସୁରକ୍ଷା ଯୋଜନା, ନିଦାନ, ନିରାମୟ, ସଂପୂର୍ଣ୍ଣା, ବସୁଧା ଓ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ପାଇଁ ନବୀନ ମନେ ରହିବେ ।
ଐତିହାସିକ ଜାଗା ମିଶନ
ବସ୍ତି ଲୋକଙ୍କୁ ଭୂମି ଅଧିକାର । ନବୀନଙ୍କ ଏହି କାର୍ଯ୍ୟକ୍ରମ ସାରା ଦେଶରେ ଚର୍ଚ୍ଚିତ ହୋଇଥିଲା । ଜାଗା ମିଶନ ଆରମ୍ଭ କରି ନବୀନ ଓଡ଼ିଶାର ବସ୍ତି ବାସିନ୍ଦାଙ୍କୁ ସେମାନେ ରହୁଥିବା ଜାଗାରେ ଭୂମି ଅଧିକାର ପ୍ରଦାନ କରିଥିଲେ । ଆଦର୍ଶ କଲୋନି ଗଢ଼ି ବସ୍ତିବାସିନ୍ଦାଙ୍କୁ ଫ୍ଲାଟ ଦେବା ନବୀନଙ୍କର ସଫଳତାର ଆଉ ଏକ ବଡ଼ ଉପଲବ୍ଧି । ଏହି ମିଶନ ଜରିଆରେ ସହରାଞ୍ଚଳକୁ ବସ୍ତି ମୁକ୍ତ କରିବାକୁ ଯୋଜନା କରିଥିଲେ ନବୀନ ।
ଜାତୀୟ ରାଜନୀତିରେ ପ୍ରଭାବୀ ବ୍ୟକ୍ତିତ୍ୱ
ନିକଟରେ ଅସୁସ୍ଥ ହୋଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ ଦେଶର ବହୁ ବିଶିଷ୍ଟ ବ୍ୟକ୍ତି ଫୋନ କରି ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ । ରାଜନୀତିର ପ୍ରତିଦ୍ୱନ୍ଦ୍ୱୀ ଦଳ ହୁଅନ୍ତୁ କି ଅନ୍ୟ ରାଜ୍ୟର ରାଜନେତା, ସବୁ ମହଲରେ ନବୀନଙ୍କର ରହିଛି ସ୍ୱତନ୍ତ୍ର ସମ୍ମାନ । ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପୁଅ ଭାବେ ନବୀନଙ୍କ ପରିଚୟ ଆରମ୍ଭ ହୋଇଥିଲା ରାଜନୀତିରେ । ମାତ୍ର ନିଜ ନିର୍ମଳ ଭାବମୂର୍ତ୍ତି, ସରଳ ଓ ସ୍ୱଚ୍ଛ ବ୍ୟକ୍ତିତ୍ୱ ସହ ନମ୍ରତା ପାଇଁ ନବୀନଙ୍କ ପ୍ରଶଂସକ ସବୁ ଦଳରେ ଅଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କଠାରୁ ନେଇ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ମୋଦିଙ୍କ ପର୍ଯ୍ୟନ୍ତ ସମସ୍ତେ ନବୀନଙ୍କୁ ସମ୍ମାନ କରନ୍ତି ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ, ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରମୁଖ ନବୀନଙ୍କୁ ବିଭିନ୍ନ ସମୟରେ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି । ଜାତୀୟ ରାଜନୀତିରେ ନବୀନଙ୍କ ପତିଆରା ସବୁବେଳେ ରହିଛି । ଏବେ ବି ନବୀନଙ୍କ ବ୍ୟକ୍ତିତ୍ୱକୁ ସବୁ ଦଳର ରାଜନେତା ସମ୍ମାନ କରନ୍ତି ।