ଭୁବନେଶ୍ୱର ୨୮/୦୬: ଶ୍ରୀଗୁଣ୍ଡିଚାରେ ବିଳମ୍ବରେ ନନ୍ଦିଘୋଷ ରଥ ଟଣା ଏବଂ ବିଭ୍ରାଟ ଘଟଣା। ଏକ୍ସରେ କ୍ଷୋଭ ପ୍ରକାଶ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସୋସିଆଲ ମିଡିଆ ‘ଏକ୍ସ’ ଆକାଉଣ୍ଟରେ ପୋଷ୍ଟ କରି ସେ ଉଦବେଗ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି ଯେ, ଚକା ଆଖି ସବୁ ଦେଖୁଛି। 'ମହାପ୍ରଭୁ ସଦ୍‌ବୁଦ୍ଧି ଦିଅନ୍ତୁ'।




ସେ ଲେଖିଛନ୍ତି ଯେ,‘ଶୁକ୍ରବାର ନନ୍ଦିଘୋଷ ରଥ ଟଣାରେ ଅଯଥା ବିଳମ୍ବ ହେବା ପାଇଁ ଆମେ ଏଠାରେ କାହା ଉପରକୁ ଅଙ୍ଗୁଳି ଉଠାଇବାକୁ କିମ୍ବା ପ୍ରଶାସନକୁ ଦୋଷ ଦେବା ପାଇଁ ଚାହୁଁନାହୁଁ। କିନ୍ତୁ ରାଜ୍ୟର ଏହି ପବିତ୍ର ଉତ୍ସବ ସମୟରେ ଯେଉଁ ଘଟଣା ଘଟିଲା, ତାହା ଉପରେ ଗଭୀର ଚିନ୍ତା ଓ ଦୁଃଖ ପ୍ରକାଶ ନକରି ରହିହେଉ ନାହିଁ। 

ଗତ ବର୍ଷ ଶ୍ରୀ ବଳଭଦ୍ରଙ୍କ ମୂର୍ତ୍ତି ଆଡ଼ପ ବିଜେ ପହାଣ୍ଡି ସମୟରେ ଖସି ପଡ଼ିଥିବା ଘଟଣା ଭୁଲିବା କଷ୍ଟକର, ଯାହା ଅସଂଖ୍ୟ ଭକ୍ତଙ୍କୁ ମର୍ମାହତ କରିଥିଲା। ଏ ବର୍ଷ ନନ୍ଦିଘୋଷ ରଥ ସିଂହଦ୍ୱାରରେ ସନ୍ଧ୍ୟା ୭:୪୫ ପର୍ଯ୍ୟନ୍ତ ଅଟକି ରହିବା ଏବଂ ଦିନ ଶେଷ ହେବା ପୂର୍ବରୁ ମାତ୍ର ୧୦ ହାତ ଗଡ଼ିବା ଆମେ ଦେଖିଲୁ। ଏହା ସ୍ୱାଭାବିକ ଭାବେ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଏହି ଅନନ୍ୟ ଉତ୍ସବ ଦେଖିବାକୁ ଆସିଥିବା ଲକ୍ଷ ଲକ୍ଷ ଭକ୍ତଙ୍କୁ ନିରାଶ ଓ ହତାଶ କରିଛି। ଖରାପ ଭିଡ଼ ନିୟନ୍ତ୍ରଣ ହେତୁ ଶତାଧିକ ଭକ୍ତ ମଧ୍ୟ ଆହତ ହୋଇଛନ୍ତି।

ଏସବୁ ଭିତରେ ଆମେ କେବଳ ପ୍ରାର୍ଥନା କରିପାରିବା ବୋଲି ନବୀନ କହିଛନ୍ତି । ସେ ପୁଣି ଲେଖିଛନ୍ତି ଯେ,ଚଳିତ ବର୍ଷ ମହାପ୍ରଭୁ ଜଗନ୍ନାଥ ଏହି ବର୍ଷ ଏହି ଦିବ୍ୟ ଉତ୍ସବରେ ହୋଇଥିବା ଭୟଙ୍କର ଅବ୍ୟବସ୍ଥା ପାଇଁ ଦାୟୀ ସମସ୍ତଙ୍କୁ କ୍ଷମା କରନ୍ତୁ। ମୁଁ ଆଶା କରୁଛି ଏହା ସରକାରର ସମସ୍ତଙ୍କ ପାଇଁ ଗଭୀର ଆତ୍ମନିରୀକ୍ଷଣର କାରଣ ହେବ।