ଢେଙ୍କାନାଳ,୨୭।୩ : ପୂର୍ବତନ ସାଂସଦ ତଥା ୨ ଥରର ବିଧାୟକ ଡ଼ଃ ନାରାୟଣ ସାହୁଙ୍କ ପରଲୋକ। ୮୮ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିଛି। ଗତ ୪ ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟ ବିଗିଡି ଯିବା ଯୋଗୁଁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ସ୍ବର୍ଗତ ଡ଼ଃ ନାରାୟଣ ସାହୁଙ୍କ ଘର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ଗେହ୍ଲେଇକାଟେଣୀ ଗ୍ରାମରେ। ୧୯୭୧ ରୁ ୧୯୭୭ ମସିହା ପର୍ଯ୍ୟନ୍ତ ପାଲଲହଡା ଆସନରୁ ଭାରତୀୟ ଜାତୀୟ କଂଗ୍ରେସ ପାର୍ଟିରୁ କ୍ରମାଗତ ଭାବେ ଦୁଇ ଥର ବିଧାୟକ ହୋଇ ଥିଲେ। ପରେ ଭାରତୀୟ ଜାତୀୟ କଂଗ୍ରେସରୁ ମଧ୍ୟ ୧୯୮୦-୧୯୮୪ ମସିହା ପର୍ଯ୍ୟନ୍ତ ଦେବଗଡ଼ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ।
ସ୍ବର୍ଗତ ଡ଼ଃ ନାରାୟଣ ସାହୁଙ୍କ ଜଣେ ଲୋକ ପ୍ରତିନିଧି ଭାବେ ଉଭୟ ପାଲଲହଡ଼ା ବିଧାନସଭା ଓ ଦେବଗଡ଼ ଲୋକସଭା ନିର୍ବାସିଗଣ ମଣ୍ଡଳୀରେ ବେଶ ଲୋକପ୍ରିୟତା ହାସଲ କରିଥିଲେ । ତେବେ ତାଙ୍କର ପାଠ ପଢ଼ିବାର ନିଶା ତାଙ୍କୁ ଘାରିଥିଲା। ଫଳରେ ସେ ୧୯୮୪ ମସିହାରେ ରାଜନୀତିରୁ ସନ୍ୟାସୀ ନେବା ପରେ ପୁଣି ଥରେ ଛାତ୍ର ଜୀବନକୁ ଫେରିଥିଲେ । ଆଉ ୮୧ବର୍ଷ ବୟସରେ ସେ ୨୦୦୯ ମସିହାରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ଦର୍ଶନ ଶାସ୍ତ୍ରରେ ପିଜି ଏବଂ ୮୧ ବର୍ଷ ବୟସରେ ଦର୍ଶନ ଶାସ୍ତ୍ରରେ ଡକ୍ଟରେଟ ଲାଭ କରିଥିଲେ। ଏପରିକି ସେ ଅନେକ ବହି ଓ ଉପନ୍ୟାସ ମଧ୍ୟ ଲେଖିଛନ୍ତି।ସ୍ୱର୍ଗତ୍ବ ଡ଼ଃ ଙ୍କ ଘର ଢେଙ୍କାନାଳ ଜିଲ୍ଲା ବର୍ତ୍ତମାନର ପରଜଙ୍ଗ ବିଧାନ ସଭା ନିର୍ବାଚନ ମଣ୍ଡଳୀ ସେତେବେଳେ ପାଲଲହଡ଼ା ବିଧାନ ସଭା ଓ ଦେବଗଡ଼ ଲୋକସଭା ମଣ୍ଡଳୀ ଅଧୀନରେ ରହିଥିଲା । ତାଙ୍କର ୪ ଝିଅ ଓ ୨ ପୁଅ ରହିଛନ୍ତି।