ନୂଆଦିଲ୍ଲୀ,୦୧/୦୮: ମହୀସୂରର କେଆର ନଗରରେ ଜଣେ ଘରୋଇ ସହାୟିକାଙ୍କ ଦ୍ୱାରା ଦାୟର ଦୁଷ୍କର୍ମ ମାମଲାରେ ପୂର୍ବତନ ଜେଡି(ଏସ୍) ସାଂସଦ ପ୍ରଜ୍ୱଳ ରେବନ୍ନାଙ୍କୁ ଲୋକ ପ୍ରତିନିଧିଙ୍କ ସ୍ୱତନ୍ତ୍ର କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ମାମଲା ଦାୟର ହେବାର ମାତ୍ର ୧୪ ମାସ ପରେ ରାୟ ପ୍ରକାଶ କରାଯାଇଥିଲା ଏବଂ ଏହାର ଶୁଣାଣି ବହୁତ ଶୀଘ୍ର ଶେଷ ହୋଇଥିଲା। ଶନିବାର ଦଣ୍ଡ ଘୋଷଣା କରାଯିବ। କୋର୍ଟରେ ରାୟ ଶୁଣିବା ସମୟରେ ରେବନ୍ନା ଭାବପ୍ରବଣ ହୋଇଯାଇଥିଲେ ଏବଂ କୋର୍ଟରୁ ବାହାରିବା ସମୟରେ କାନ୍ଦୁଥିବାର ଦେଖିବାକୁ ମିଳିଥିଲା।

ତଦନ୍ତ ଏବଂ ଶୁଣାଣି ସମୟରେ, ପୀଡ଼ିତା ପ୍ରମାଣ ସ୍ବରୁପ ଗୋଟିଏ ଶାଢ଼ିକୁ ଉପସ୍ଥାପନ କରିଥିଲେ, ଯାହାକୁ ସେ ସଂରକ୍ଷିତ କରି ରଖିଥିଲେ। ଫରେନସିକ୍ ପରୀକ୍ଷାରୁ ଶାଢ଼ିରେ ଶୁକ୍ରାଣୁର ଚିହ୍ନ ଦେଖିବାକୁ ମିଳିଥିଲା, ଯାହାକୁ କୋର୍ଟରେ ଉପସ୍ଥାପିତ କରାଯାଇଥିଲା ଏବଂ ଦୁଷ୍କର୍ମ ପ୍ରମାଣ କରିବା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇଥିଲା। ଭାରତୀୟ ଦଣ୍ଡ ସଂହିତା (ଆଇପିସି) ଏବଂ ସୂଚନା ପ୍ରଦୌଗୀକ ଅଧିନିୟମ, ୨୦୦୮ ର ପ୍ରାସଙ୍ଗିକ ଧାରା ଅନୁଯାୟୀ ମାମଲା ପଞ୍ଜିକୃତ ହୋଇଥିଲା।

ତଦନ୍ତ କରୁଥିଲା ସିଆଇଡିର ସ୍ବତନ୍ତ୍ର ଟିମ୍:

ସିଆଇଡିର ସ୍ବତନ୍ତ୍ର ଟିମ୍‌ (ଏସ୍‌ଆଇଟି), ଏହାର ନେତୃତ୍ବ ନେଉଥିଲେ ଇନ୍ସପେକ୍ଟର ଶୋଭା। ତଦନ୍ତ ସମୟରେ ସେ ୧୨୩ ଟି ସାକ୍ଷୀ ଯୋଗାଡ଼ କରିଥିଲେ ଏବଂ ୨୦୦୦ ପୃଷ୍ଠାର ଏକ ଚାର୍ଜସିଟ୍‌ ଦାଖଲ କରିଥିଲେ। ୩୧ ଡିସେମ୍ବର ୨୦୨୪ରେ ଟ୍ରାଏଲ୍‌ ଆରମ୍ଭ ହୋଇଥିଲା। ତେବେ ପରବର୍ତ୍ତି ସାତ ମାସ ମଧ୍ୟରେ କୋର୍ଟ୨୩ ସାକ୍ଷୀଙ୍କ ବୟାନ ରେକର୍ଡ କରିଥିଲେ ଏବଂ ଭିଡିଓ କ୍ଳିପ୍‌ସ ଫରେନ୍ସିକ ରିପୋର୍ଟ ମଦ୍ୟ ସାମିଲ କରିଥିଲେ। 

୪୮ ବର୍ଷୀୟ ମହିଳାଙ୍କ ସହିତ ଜଡ଼ିତ ମାମଲା:

ଏହି ମାମଲାଟି ହାସନ ଜିଲ୍ଲାର ହୋଲେନରସିପୁରା ସ୍ଥିତ ଏକ ପରିବାରର ଗନ୍ନିକାଡା ଫାର୍ମହାଉସରେ ସହାୟକ ଭାବରେ କାମ କରୁଥିବା ଜଣେ ୪୮ ବର୍ଷୀୟ ମହିଳାଙ୍କ ସହିତ ଜଡିତ। ତାଙ୍କୁ ୨୦୨୧ ରେ ଦୁଇଥର ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି ଏବଂ ଅଭିଯୁକ୍ତ ଅନ୍ତରଙ୍ଗ ସମୟର ଦୃଶ୍ୟକୁ ତାଙ୍କ ମୋବାଇଲ୍ ଫୋନରେ ରେକର୍ଡ କରିଥିଲା। ଦୁଷ୍କର୍ମ ଏବଂ ଯୌନ ନିର୍ଯାତନା ଅଭିଯୋଗର ସମ୍ମୁଖୀନ ହେଉଥିବା ପ୍ରଜ୍ୱଳ ରେବନ୍ନାଙ୍କ ବିରୋଧରେ ଚାରୋଟି ପୃଥକ ମାମଲା ରୁଜୁ କରାଯାଇଛି ଏବଂ ମାମଲାଗୁଡ଼ିକର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଗଠନ କରାଯାଇଛି।

ଏଚ୍‌ଡି ଦେବଗୌଡ଼ାଙ୍କ ନାତି ପ୍ରଜ୍ଜ୍ବଳ ରେବନ୍ନା:

ପ୍ରଜ୍ୱଳ ରେବନ୍ନା ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ଜେଡି(ଏସ୍)ର ସଂରକ୍ଷକ ଏଚଡି ଦେବଗୌଡ଼ାଙ୍କ ନାତି। ୨୬ ଏପ୍ରିଲ୍ ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ହାସନରେ ପ୍ରଜ୍ୱଳ ରେବନ୍ନାଙ୍କ ସହ ଜଡ଼ିତ ଅଶ୍ଳୀଳ ଭିଡିଓ ପ୍ରସାରିତ ହେବା ପରେ ଏହି ମାମଲାଗୁଡ଼ିକ ସାମ୍ନାକୁ ଆସିଥିଲା। ହୋଲେନରସିପୁରା ଟାଉନ୍ ଥାନାରେ ପଞ୍ଜିକୃତ ଏକ ମାମଲା ସହିତ ଜର୍ମାନୀରୁ ବେଙ୍ଗାଲୁରୁ ବିମାନବନ୍ଦରରେ ପହଞ୍ଚିବା ପରେ ଗତ ବର୍ଷ ମେ ୩୧ ତାରିଖରେ ଏସ୍ଆଇଟି ତାଙ୍କୁ ଗିରଫ କରିଥିଲା। ୨୦୨୪ ଲୋକସଭା ନିର୍ବାଚନରେ ରେବନ୍ନା ହାସନ ସଂସଦୀୟ କ୍ଷେତ୍ରରୁ ପରାସ୍ତ ହୋଇଥିଲେ, ଏବଂ ଏହି ମାମଲା ପରେ ଜେଡି(ଏସ୍) ତାଙ୍କୁ ଦଳରୁ ନିଲମ୍ବିତ କରିଥିଲା।