କାଠମାଣ୍ଡୁ: ଇସ୍ତଫା ଦେବାର ୧୮ ଦିନ ପରେ ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ସାର୍ବଜନୀନ ସ୍ଥାନରେ ଦେଖାଯାଇଛି । ସେ ଦଳର ଛାତ୍ର ଶାଖାର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଭକ୍ତପୁର ଯାଇଥିଲେ। ଜେନ-ଜି ପ୍ରତିବାଦ ମଧ୍ୟରେ ସେ ସେପ୍ଟେମ୍ବର ୯ ରେ ପଦରୁ ଇସ୍ତଫା ଦେଇଥିଲେ। ଦେଶବ୍ୟାପୀ ହିଂସା ମଧ୍ୟରେ ନେପାଳୀ ସେନା ଦ୍ୱାରା ଓଲିଙ୍କୁ ହେଲିକପ୍ଟର ଦ୍ୱାରା ଉଦ୍ଧାର କରାଯାଇଥିଲା ଏବଂ ତା'ପରେ ତାଙ୍କୁ ଏକ ଅସ୍ଥାୟୀ ଠିକଣାକୁ ସ୍ଥାନାନ୍ତର କରାଯାଇଥିଲା।

ବୈଠକରେ ଓଲି କହିଛନ୍ତି, ‘ଆମେ ଦେଶକୁ ବିଶ୍ୱାସଘାତକଙ୍କ ହାତରେ ଛାଡ଼ି ବିଦେଶ ଯାଇପାରିବୁ ନାହିଁ।’ ଓଲି ଅଭିଯୋଗ କରିଛନ୍ତି ଯେ, ବର୍ତ୍ତମାନର ସରକାର ଲୋକଙ୍କ ଇଚ୍ଛାରେ ନୁହେଁ, ବରଂ ହିଂସା ଏବଂ ଅନ୍ତର୍ଘାତ ଦ୍ୱାରା ଗଠିତ ହୋଇଛି। ସେ ପୁଣି ଥରେ ଦାବି କରିଛନ୍ତି,  ତାଙ୍କ ସରକାର ପୁଲିସକୁ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇ ନଥିଲା।

ଓଲି କହିଛନ୍ତି ଯେ, ସେ ବର୍ତ୍ତମାନ ରହୁଥିବା ଘରର ଠିକଣା ଖୋଜାଯାଉଛି । ବାରମ୍ବାର ଧମକ ମିଳୁଥିଲେ ସୁଦ୍ଧା ସରକାର ସୁରକ୍ଷା ଯୋଗାଇ ନାହାନ୍ତି। ବର୍ତ୍ତମାନ, ମୋର ନୂତନ ଘର ଚିହ୍ନଟ କରି ମୋତେ ଆକ୍ରମଣ କରିବା ପାଇଁ ସୋସିଆଲ ମିଡିଆରେ ଯୋଜନା କରାଯାଉଛି। ସରକାର କ'ଣ ଏଥିପାଇଁ ଅପେକ୍ଷା କରିଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଓଲି ।

ସେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ସରକାର ଏବେ ତାଙ୍କର ସୁବିଧା ଛଡ଼ାଇ ନେବା ସହ ତାଙ୍କ ପାସପୋର୍ଟ ବନ୍ଦ କରିବାକୁ ଏବଂ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ବିଚାର କରୁଛନ୍ତି ।  ତେବେ ଜେନ-ଜି ଆନ୍ଦୋଳନ ତୀବ୍ର ହେବା ପରେ କେପି ଓଲି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ପରେ ଜେନ-ଜିଙ୍କ ଦାବି ଅନୁସାରେ ନେପାଳରେ ଏକ ଅନ୍ତରୀଣ ସରକାର ଗଠନ ହୋଇଛି ।