ହ୍ବାଇଟ ହାଉସ ଅଧିକାରୀଙ୍କ ବିସ୍ଫୋରକ ଖୁଲାସା, ରାଗିଗଲେ ଏମିତି କିଛି କରନ୍ତି ଟ୍ରମ୍ପ

Pic Credit : NDTV
ଓ୍ବାଶିଂଟନ,୨୯/୦୬: ହ୍ବାଇଟ ହାଉସରେ କାମ କରୁଥିବା ଜଣେ କର୍ମଚାରୀ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରାଗକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେତେବେଳେ ପୂର୍ବତନ ରାଷ୍ଟ୍ରପତି ଜାଣିବାକୁ ପାଇଲେ ଯେ, ତତ୍କାଳୀନ ଆଟର୍ଣ୍ଣି ଜେନେରାଲ ନିର୍ବାଚନରେ ହୋଇଥିବା ଠକେଇ ସମ୍ପର୍କିତ କାର୍ଯ୍ୟକୁ ସାର୍ବଜନୀନ ଭାବରେ ଅସ୍ବୀକାର କଲେ ସେତେବେଳେ ରାଗି ଯାଇଥିଲେ ଟ୍ରମ୍ପ। ଆଉ ଖାଉଥିବା ଥାଳିକୁ ଏତେ ଜୋରରେ ଫୋପାଡ଼ି ଦେଲେ ଯେ,ତାହା ଯାଇ ସାମ୍ନାରେ ଥିବା କାନ୍ଥରେ ମାଡ଼ ହେଲା ଏବଂ ଚଟାଣରେ ଏଣେତେଣେ ହୋଇ ପଡ଼ି ରହିଥିଲା ଖାଇବା।
ଏହା ବ୍ୟତୀତ, ୬ ଜାନୁୟାରୀ ୨୦୨୧ରେ ସେ ନିଜ କର୍ମଚାରୀମାନଙ୍କୁ ମେଟାଲ ଡିଟେକ୍ଟର ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ, ଯାହାଫଳରେ ୱାଶିଂଟନରେ ଭାଷଣ ପାଇଁ ଏକତ୍ରିତ ହୋଇଥିବା ବିକ୍ଷୋଭକାରୀମାନେ ବିଚଳିତ ହେବେ ନାହିଁ। ଯଦିଓ କେତେକଙ୍କ ପାଖରେ ଅସ୍ତ୍ରଶସ୍ତ୍ର ଥିଲା, ଟ୍ରମ୍ପ କହିଛନ୍ତି ଯେ ସେମାନେ କାହାକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଆସିନାହାଁନ୍ତି।
ଠିକ୍ ସେହି ଦିନ ଟ୍ରମ୍ପଙ୍କୁ କ୍ୟାପିଟାଲ ବଦଳରେ ହ୍ବାଇଟ୍ ହାଉସ୍ ନିଆଯାଇଥିଲା। କିନ୍ତୁ ସେହି ସମୟରେ ଟ୍ରମ୍ପ୍ ରାଗିଯାଇ କହିଥିଲେ ଯେ, “ମୁଁ ରାଷ୍ଟ୍ରପତି, ମତେ ଏବେ କ୍ୟାପିଟାଲ ନେଇଚାଲ”। ଏହାପରେ ଟ୍ରମ୍ପ ନିଜେ ଷ୍ଟିୟରିଙ୍ଗ ଧରି ଗାଡ଼ି ଚଳାଇଥିଲେ। ପୂର୍ବରୁ ଜଣେ ଶିଳ୍ପପତୀ ଭାବରେ ଟ୍ରମ୍ପଙ୍କର ରାଗକୁ ନେଇ ସବୁଆଡ଼େ ଚର୍ଚ୍ଚା ହେଉଥିଲା। କିନ୍ତୁ ସେ ରାଷ୍ଟ୍ରପତି ହେବା ପରେ ଏହାକୁ ନେଇ ସମସ୍ତଙ୍କ ମଧ୍ୟରେ ବେଶ ଚର୍ଚ୍ଚା ଆଲୋଚନା ହୋଇଥିଲା।