ଭୁବନେଶ୍ଵର, ୨୦/୦୪ : : ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ)ର ପୂର୍ବତନ ରାଜ୍ୟ ସମ୍ପାଦକ, ଦଳର ପ୍ରବକ୍ତା ତଥା ‘ନୂଆ ଦୁନିଆ’ର ପୂର୍ବତନ ସମ୍ପାଦକ ଦିବାକର ନାୟକ(୭୨ ବର୍ଷ)ଙ୍କର ଗତକାଲି ରାତି ୧୧ଟା ୩୦ରେ ସିପିଆଇର ରାଜ୍ୟ କାର୍ଯ୍ୟାଳୟ ଭଗବତୀ ଭବନରେ ପରଲୋକ ହୋଇଯାଇଛି । ଦୀର୍ଘ ଦିନ ଧରି ସେ ବୃକ୍‌କ ରୋଗରେ ପୀଡିତ ଥିଲେ । ଶ୍ରୀ ନାୟକଙ୍କ ମର ପୈତୃକ ଗ୍ରାମ ଭଦ୍ରକ ଜିଲ୍ଲାର ଷେଣ୍ଢତିରାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ସିପିଆଇର ବରିଷ୍ଠ ନେତା ଦିବାକର ନାୟକଙ୍କ ଦେହାନ୍ତ ଖବର ଶୁଣି ମୁଁ ଦୁଃଖିତ । ମୁଁ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଉଛି । 

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକବାର୍ତ୍ତାରେ କହିଛନ୍ତି, ଶ୍ରୀ ନାୟକଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସେ ସର୍ବଦା ସମାଜସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିଲେ । ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇରହିବ । ମୁଁ ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଉଛି । 

ସେହିପରି ବିଜେଡି ରାଜ୍ୟ ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, ପୂର୍ବତନ ବିଧାୟକ ନାରାୟଣ ରେଡ୍ଡି, କ୍ଷୀରୋଦ ସିଂହଦେଓ, ସିପିଆଇ(ଏମ୍‌)ର ବରିଷ୍ଠ ନେତା ଜନାର୍ଦ୍ଦନ ପତି, ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ରାଜ୍ୟ ସମ୍ପାଦକମଣ୍ଡଳୀ ସଦସ୍ୟ ସନ୍ତୋଷ ଦାସ, ଦୁଷ୍ମନ୍ତ କୁମାର ଦାସ, ଜମେଶ୍ୱର ସାମନ୍ତରାୟ, ବଦ୍ରି ନାରାୟଣ ଦାଶ, ମହେନ୍ଦ୍ର ପରିଡା, ଫରୱାର୍ଡ ବ୍ଲକ୍‌ ରାଜ୍ୟ ସଭାପତି ଜ୍ୟୋତିରଞ୍ଜନ ମହାପାତ୍ର, ସିପିଆଇ(ଏମ୍‌ଏଲ୍‌) ନେତା ଯୁଧିଷ୍ଠିର ମହାପାତ୍ର, ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ଶିବ ହାତୀ ଯାଦବ, ପିସିସି ସଭାପତି ଭକ୍ତଚରଣ ଦାସ, ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନ, ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର, ବରିଷ୍ଠ ବିଜେଡି ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଦେବୀ ପ୍ରସନ୍ନ ମିଶ୍ରଙ୍କ ସମେତ ବହୁ ବିଶିଷ୍ଟ ନେତା ଭଗବତୀ ଭବନରେ ଶ୍ରୀ ନାୟକଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ।