ପୁରୀ, ୨୩/୦୩: ଆଉ ମାତ୍ର ୪ ଦିନ ପରେ ବୀରବାଦ୍ୟରେ କମ୍ପିବ ସାହି ଗଳି କନ୍ଦି । ବିଭିନ୍ନ ପୌରାଣିକ ବେଶ ଧରି ସାହି ସାହି ବୁଲିବେ ଭୁଆସିକ । ପୁରୀର ସାହି ପାଲଟିବ ମୁକ୍ତାକାଶ ରଙ୍ଗମଞ୍ଚ । ପ୍ରଦର୍ଶିତ ହେବ ପୌରାଣିକ କଥାବସ୍ତୁ । ଲକ୍ଷ ଲକ୍ଷ ଲୋକ ପୁରୀରେ ଏକତ୍ରିତ ହେବେ । ଏହି ନିଆରା ଯାତକୁ ସୁରୁଖୁରୁରେ ସମାପନ କରିବାକୁ ମାସକ ପୂର୍ବରୁ ପ୍ରଶାସନ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ବାରମ୍ବାର ବୈଠକ ହୋଇଥିଲା । ହେଲେ ଯାତକୁ ଆଉ ମାତ୍ର ୫ ଦିନ ବାକି ଥିଲେ ବି ତୃଣମୂଳ ସ୍ତରରେ ବର୍ତ୍ତମାନ ସୁଦ୍ଧା ପ୍ରସ୍ତୁତି ଶେଷ ହୋଇନି ।
ସାହିଯାତରେ ପ୍ରମୁଖ ଭୂମିକା ତୁଲାଉଥିବା ସାହିଗୁଡ଼ିକ ବର୍ତ୍ତମାନ ସୁଦ୍ଧା ସଂପୂର୍ଣ୍ଣ ପ୍ରସ୍ତୁତ ହୋଇପାରିନି । କେଉଁଠି ରାସ୍ତା ଖାଲଖମା ହୋଇପଡ଼ିଛି ତ କେଉଁଠି ଅନ୍ଧାର ରାଜୁତି କରୁଛି । ପୁଣି କେଉଁଠି ରାସ୍ତାରେ ନର୍ଦ୍ଦମା ପାଣି ଭାସୁଛି । ଏଭଳି ଖାଲଖମା ଭର୍ତ୍ତି ରାସ୍ତାରେ ଚାଲିଚାଲି ଯିବା ସମୟରେ ଦୁର୍ଘଟଣାର ଶିକାର ହେଉଛି । ଏଭଳି ସ୍ଥିତିରେ ଓଜନ ମେଢ଼ ବନ୍ଧାଇ ଖାଲି ପାଦରେ ବୀର ପାହୁଡ଼ ପକାଇ ଏହି ରାସ୍ତାରେ ଯିବା ଅସମ୍ଭବ ପ୍ରାୟ ହୋଇପଡ଼ିବ । ଅନ୍ୟପକ୍ଷରେ ଆଲୋକୀକରଣ ମଧ୍ୟ ଉନ୍ନତମାନର କରିବା ସହ ସ୍ୱଚ୍ଛତାକୁ ଗୁରୁତ୍ୱ ଦେବାକୁ ଦାବି ଉଠିଛି । ସାହିଯାତରେ ପ୍ରମୁଖ ଭୂମିକା ତୁଲାଇଥାଏ ବାଲି ସାହି ରାବଣ । ଏହା ସାହିଯାତର ମୁଖ୍ୟ ଚରିତ୍ର ଭାବେ ମଧ୍ୟ ପରିଚିତ । ବାଲି ସାହି ରାବଣ ଜମ୍ବେଶ୍ୱର ମନ୍ଦିରକୁ ଆସିବା ସହ ସାହିଯାତ ପାଇଁ ଆବଶ୍ୟକୀୟ ବିଧି ପାଳନ କରିଥାଏ । ଏଣୁ ସାହିଯାତରେ ଜମ୍ବେଶ୍ୱର ମନ୍ଦିରର ଭୂମିକା ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ । ହେଲେ ଜମ୍ବେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯିବାକୁ ହେଲେ ନର୍ଦ୍ଦମା ପାଣିକୁ ମାଡ଼ିବାକୁ ଯିବାକୁ ଲୋକେ ବାଧ୍ୟ ହେଉଛନ୍ତି । ବର୍ଷବର୍ଷ ଧରି ଜମ୍ବେଶ୍ୱର ମନ୍ଦିର ନିକଟରେ ନଳା ପାଣି ଭାସୁଥିଲେ ବି ଏହାର ସମାଧାନ କରାଯାଉନାହିଁ । ଗୌଡ଼ବାଡ଼ ସାହି ଅଧୀନ ଏହି ମନ୍ଦିର ପଞ୍ଚ ମହାଦେବଙ୍କ ମଧ୍ୟରୁ ଅନ୍ୟତମ ।
ଅନ୍ୟପକ୍ଷରେ ସେବାୟତ ପ୍ରବଣ ଏହି ସାହିରେ ଘରୁ ବାହାରିବା ସମୟରେ ସେବାୟତମାନେ ଖାଲିପାଦରେ ଏହି ନଳା ପାଣି ମାଡ଼ି ଶ୍ରୀମନ୍ଦିରରେ ସେବା ପୂଜା ସମ୍ପାଦନ କରିବାକୁ ଯାଉଛନ୍ତି । ଏଣୁ ଏହାର ସ୍ଥାୟୀ ସମାଧାନ କରିବାକୁ ସ୍ଥାନୀୟ ଅଞ୍ଚଳର ଆଲୋକ କୁମାର ସମର୍ଥ ଦାବି କରିଛନ୍ତି । ସେ କହିଛନ୍ତି, ୪ରୁ ୫ ବର୍ଷ ହେବ ଏହି ସମସ୍ୟା ଲାଗି ରହିଛି । ଏନେଇ ଅଭିଯୋଗ ପ୍ରକୋଷ୍ଠଠାରୁ ଆରମ୍ଭ କରି ପୌରପାଳିକା ସବୁଠି ଅଭିଯୋଗ କରାଯାଇଛି । ହେଲେ ସ୍ଥାୟୀ ସମାଧାନ ହୋଇପାରୁନି । ସାହିଯାତ ପରେ ଚନ୍ଦନ ଯାତ୍ରାରେ ମଧ୍ୟ ଏହି ମନ୍ଦିରରୁ ପ୍ରତ୍ୟେକ ଦିନ ଠାକୁର ଚାପକୁ ଯିବେ । ଏଣୁ ପୌରପାଳିକା ନଳା ନିର୍ମାଣ କରି ଏଠାରୁ ନର୍ଦ୍ଦମା ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି । ସେହିଭଳି ସାହିଯାତରେ ଅନ୍ୟତମ ପ୍ରମୁଖ ସାହି କୁଣ୍ଢେଇବେଣ୍ଟ ସାହି ପାଖାପାଖି ମାସେ ହେବ ଅନ୍ଧାର ଘେରରେ ଅଛି । ଜାଡୁଆଣି ଲାଇବ୍ରେରୀ ଛକଠାରୁ କଲେଜ ଛକ ବ୍ୟାକ୍ଗେଟ୍ ପର୍ଯ୍ୟନ୍ତ ରାସ୍ତାରେ ଗୋଟିଏ ହେଲେ ବି ଲାଇଟ୍ ଜଳୁ ନାହିଁ । କଲେଜ ହଷ୍ଟେଲରେ ପରିପୂର୍ଣ୍ଣ ଏହି ସାହିରେ ହଜାର ହଜାର କଲେଜ ଛାତ୍ରଛାତ୍ରୀ ଯାତାୟାତ କରୁଛନ୍ତି । ଏହି ସାହି ଅନ୍ଧାରରେ ଥିବାରୁ ଛାତ୍ରଛାତ୍ରୀ ଅସୁରକ୍ଷିତ ଅନୁଭବ କରୁଛନ୍ତି । ସାହିଯାତରେ ଆଲୋକୀକରଣ ବ୍ୟବସ୍ଥା ସୁଦୃଢ଼ କରିବାକୁ ସାହିଯାତ ସମନ୍ୱୟ ବୈଠକରେ ମଧ୍ୟ ଦାବି ଉପସ୍ଥାପିତ ହୋଇଥିଲା ।
ଅଧିକ ପଢ଼ନ୍ତୁ :- ଆଜିଠୁ ହୋଟେଲ ଏବଂ ରେଷ୍ଟୁରାଣ୍ଟକୁ ଗ୍ୟାସ୍ ଯୋଗାଣ, କଳାବଜାର ରୋକିବାକୁ ଚାଲିଛି ଚଢାଉ