ଭୁବନେଶ୍ୱର,୧୩/୦୮ : ପାତ୍ରପଡ଼ାରେ ଛାତିଥରା ଦୁର୍ଘଟଣାକୁ ୪ ଦିନ ବିତିଲାଣି । ହେଲେ ମଣିଷମରା କାର ଡ୍ରାଇଭରର ପତ୍ତା ପାଉନି ପୁଲିସ। କାର ମାଲିକ ସୋମନାଥ ବେହେରାଙ୍କ ବିପଦପୂର୍ଣ୍ଣ ଗାଡ଼ିଚାଳନା ନେଇ ନାନା ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଘଟଣା ପରଠୁ ସୋମନାଥ ଫେରାର୍‌ ଥିବାରୁ ସେ ହିଁ କାର ଚଳାଉଥିବା ପୁଲିସ ସନ୍ଦେହ କରୁଛି । ଅନ୍ୟପଟେ ଏହି ନରହନ୍ତା କାର ଚାଳକଙ୍କ ଲାଇସେନ୍ସ ବାତିଲ୍‌ ପାଇଁ ଦାବି ଉଠୁଛି । ବରମୁଣ୍ଡା ରମାମଣି ପେଟ୍ରୋଲ ପମ୍ପ ସାମ୍ନାରେ ଲାଗିଥିବା ଟିଭିଡିଏସ୍‌ କ୍ୟାମେରାରୁ ସୋମନାଥ ହିଁ ଘଟଣାଦିନ କାର ଚଳାଉଥିବାର ପ୍ରମାଣ ଗୋଟାଇଛି ପୁଲିସ । ହେଲେ, ସେ ଘଟଣା ପରଠୁ ଫୋନ୍‌ ସୁଇଚ୍‌ ଅଫ୍‌ କରି କେଉଁଆଡ଼େ ଅନ୍ତର୍ଧ୍ୟାନ ହୋଇଯାଇଛନ୍ତି । 

ତଦନ୍ତରୁ ଜଣାପଡ଼ିଛି, ସୋମନାଥଙ୍କ ଘର ପୁରୀରେ । ସେ ଇନ୍‌ଫୋସିଟିର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ପାଠ ପଢ଼ୁଛନ୍ତି । ତାଙ୍କ ବାପା ଟ୍ରକ ସଂଘର ରାଜ୍ୟସ୍ତରୀୟ ନେତା । ସୋମନାଥ ରାଜଧାନୀ ରାସ୍ତାରେ ସବୁବେଳେ ବିପଦପୂର୍ଣ୍ଣ ଭାବେ କାର୍‌ ଚଳାନ୍ତି । ଦାମୀ କାର ସହ ଫଟୋ ପୋଜ୍‌ ଦିଅନ୍ତି । ସୋସିଆଲ ମିଡିଆରେ ‘ଡ୍ରିଙ୍କ ଆଣ୍ଡ ଡ୍ରାଇଭ’ ଲେଖି ବିଦେଶୀ ବ୍ରାଣ୍ଡ ମଦର ଫଟୋ ପୋଷ୍ଟ କରିଛନ୍ତି । ଏସବୁ କାରନାମା ସାମ୍ନାକୁ ଆସିବା ପରେ ସୋମନାଥଙ୍କ ବିପଥଗାମୀ ଗାଡ଼ି ଚାଳନା ଯୋଗୁଁ ହିଁ ହୋମଗାର୍ଡ ମାନସ ରାଉଳଙ୍କ ପରିବାର ଛାରଖାର ହୋଇଯାଇଥିବା ପୁଲିସ ଅନୁମାନ କରୁଛି । ସେପଟେ ଆର୍‌ଟିଓ-୨ ସନତ କୁମାର ଜେନାଙ୍କ କହିବା ମୁତାବକ, କେହି ଡ୍ରାଇଭର ନିୟମିତ ଢ଼ଙ୍ଗରେ ବିପଦପୂର୍ଣ୍ଣ ଗାଡ଼ି ଚଳାଉଥିଲେ, ତା’ ଲାଇସେନ୍ସ ବାତିଲ ପାଇଁ ପୁଲିସ ପକ୍ଷରୁ ଆରଟିଓଙ୍କୁ ସୁପାରିଶ କରାଯିବ । ଏମ୍‌ଭିଆଇ ଆକ୍ଟ ଧାରା ୧୯ ଅନୁସାରେ, ୩ ମାସ ପାଇଁ ଲାଇସେନ୍ସ ବାତିଲ୍‌ କରାଯିବ ।

ଏହି ଖବରଟିକୁ ପଢନ୍ତୁ- ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; କିଲର ଥର୍ ଜବତ, ମାଲିକ ଫେରାର, ମିଳୁନି ସ୍କର୍ପିଓ