ନୂଆଦିଲ୍ଲୀ: ନିରବି ଗଲା ଗୋଟିଏ ପରିବାରର ୪ ଜଣଙ୍କ ଜୀବନ। କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ସମ୍ନାକୁ ଆସିଛି କିଛି ଏହି ଭଳି ଖବର। ସୋମବାର ଜଣେ ଦମ୍ପତ୍ତିଙ୍କ ସମେତ ସେମାନଙ୍କ ପାଞ୍ଚ ବର୍ଷର ଝିଅ ଓ ଦୁଇ ବର୍ଷର ପୁଅକୁ ସେମାନଙ୍କ ଘରୁ ମୃତ ଅବସ୍ଥାରେ ଉଦ୍ଧାର କରିଛି ବେଙ୍ଗାଲୁରୁ ପୋଲିସ। 

ସୂଚନା ମୁତାବକ, ଉତ୍ତରପ୍ରଦେଶର ମୂଳ ବାସିନ୍ଦା ଏହି ଦମ୍ପତ୍ତିଙ୍କ ନାମ ହେଉଛି ଅନୁପ କୁମାର(୩୮) ଓ ତାଙ୍କ ସ୍ତ୍ରୀ ରାକ୍ଷୀ(୩୫)। ଅନୁପ ଦୀର୍ଘ ଦୁଇବର୍ଷ ହେବ ବେଙ୍ଗାଲୁରୁର ଏକ ଫାର୍ମରେ ସଫ୍ଟୱେୟାର ଇଂଜିନିୟର ଭାବେ କାମ କରୁଥିଲେ। ସେ ନିଜ ପରିବାର ସହ ବାଙ୍ଗାଲୁରୁର ଆରଏମଭି ସେକେଣ୍ଡ ଷ୍ଟେଜ ଅଞ୍ଚଳରେ ଘରଭଡ଼ା ନେଇ ରହୁଥିଲେ। ତେବେ ଉଭୟେ ସ୍ୱାମି ସ୍ତ୍ରୀ ପ୍ରଥମେ ନିଜ ପିଲାମାନଙ୍କୁ ବିଷଦେଇ ପରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଛି।

ସବୁଦିନ ଭଳି ସୋମବାର ସକାଳେ ଅନୁପଙ୍କ ଘରେ କାମ କରୁଥିବା କାମବାଲି ଜଣଙ୍କ କାମ କରିବାକୁ ଅନୁପଙ୍କ ଘରେ ଆସି ପହଞ୍ଚିଥିଲେ। ହେଲେ ଦୀର୍ଘ ସମୟ ଧରି ଡାକିବା ପରେ ମଧ୍ୟ ଘର ଭିତରୁ କୌଣସି ଉତ୍ତର ମିଳି ନ ଥିଲା। ଚିନ୍ତାରେ, ସେ ପଡୋଶୀମାନଙ୍କ ସହାୟତା ନେଇଥିଲେ। ପଡୋଶିମାନେ ଡାକିବା ପରେ ମଧ୍ୟ କିଛି ଉତ୍ତର ନମିଳିବାରୁ ଘଟଣାସ୍ଥଳକୁ ପୋଲିସକୁ ଡକାଯାଇଥିଲା |

ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଘରେ ପଶିବା ପରେ ଦମ୍ପତ୍ତିଙ୍କ ସମେତ ସେମାନଙ୍କ ପିଲାମାନଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲା। 

ଏଯାଏ ସେମାନଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଏ ସମ୍ପର୍କରେ ତାଙ୍କ ପରିବାର ଲୋକଙ୍କୁ ସୁଚନା ଦିଆଯାଇଛି। ପୋଲିସ ନିଜ ଆଡୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ବୋଲି ଡେପୁଟି କମିଶନର ଶେଖର ଏଚ ଟେକାନ୍ନାଭର ସୁଚନା ଦେଇଛନ୍ତି।