ଭୁବନେଶ୍ୱର,୦୯/୧୦: ଦଶହରା  ପୂଜାରେ ଉଛୁଳିବ ସିନେମା ବଜାର । ସବୁବର୍ଷ ପରି ଏ ବର୍ଷ ଲଢ଼େଇ ପୂରା ଜମିବ । ସବୁ ପ୍ରତୀକ୍ଷାର ଅନ୍ତ ସହ ଦର୍ଶକଙ୍କ ଉତ୍କଣ୍ଠାର ଅବସାନ ଘଟାଇ  ଫ୍ରାଇଡେ ରିଲିଜ୍‌ ଅବସରରେ ଏକକାଳୀନ ପ୍ରେକ୍ଷାଳୟକୁ ଆସୁଛି ୪ ନୂଆ  ଓଡ଼ିଆ ସିନେମା। ସ୍ୱରାଜଙ୍କ ‘ଖୋକା ଭାଇ  ତୁମ ପାଇଁ’, ଅର୍ଦ୍ଧେନ୍ଦୁଙ୍କ ‘ଭିଲେନ୍‌’ ଓ  ଅନୁଭବଙ୍କ ‘କର୍ମ’ । ଏହି ଭିଡ଼ରୁ ବାହାରି  ଅନ୍ୟ ଏକ ସିନେମା ‘ଦୁର୍ଗା’ କେବଳ  ପୁରୀ ଟାଉନ୍‌ ହଲ୍‌ରେ ସ୍ୱତନ୍ତ୍ର ପ୍ରଦର୍ଶନୀ  କରୁଛି, ପରେ ପ୍ରେକ୍ଷାଳୟକୁ ଆସିବ ।  ତା’ ସହିତ ପୁଣିଥରେ ରିରିଲିଜ୍‌ ହେଉଛି ବହୁ ଚର୍ଚ୍ଚିତ ଜାତୀୟ ପୁରସ୍କାରପ୍ରାପ୍ତ  ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ । ତେଣୁ ଗୋଟିଏ ସିନେମା ସହିତ ଅନ୍ୟ  ସିନେମାଗୁଡ଼ିକ ଭିତରେ କଡ଼ା ଟକ୍କର୍‌  ହେବ । 

ଏହା ଛଡ଼ା ପୂର୍ବରୁ କିଛି ବଲିଉଡ୍‌,  ଟଲିଉଡ୍‌ ସିନେମା ଥିବାବେଳେ ଅକ୍ଟୋବର  ୧୦ରେ ରଜନୀକାନ୍ତଙ୍କ ସିନେମା ମଧ୍ୟ  ହଲ୍‌କୁ ଆସୁଛି । ତେଣୁ ଏସବୁ ଭିତରେ  କୋଉ ଓଡ଼ିଆ ସିନେମା ଦର୍ଶକଙ୍କୁ ଛୁଉଁଛି  ଏବଂ ବାନ୍ଧି ରଖି ସପ୍ତାହ ପରେ ସପ୍ତାହ  ଟପି ହାଉସ୍‌ଫୁଲ୍‌ ସହ ସୁପର୍‌ହିଟ୍‌ ରେକର୍ଡ  କରୁଛି ଦେଖିବା ବାକି ରହିଲା । କାରଣ  ସମସ୍ତଙ୍କର ପ୍ରଚାର, ପ୍ରସାର ଏକକୁ  ଆରକ ରହିଛି । ଏପରିକି ସୋସିଆଲ୍‌  ମିଡିଆରେ କଳାକାର,  ନିର୍ମାତା ମୁହାଁମୁହିଁ  ହୋଇଥିଲାବେଳେ  ଚର୍ଚ୍ଚା, ଆଲୋଚନାର  ଖୋରାକ ଯୋଗାଇଛି ରୋଷ୍ଟର୍‌ଙ୍କ ମତ । 

ଏହା ସିନେମା ପ୍ରଚାର, ପ୍ରସାରରେ  ଯେତିକି ସହାୟକ ହେଉଛି, ତା’ଠୁ ବେଶି  ବିବାଦ ସୃଷ୍ଟି କରୁଛି । ତଥାପି ପ୍ରଯୋଜନା  ସଂସ୍ଥା ଦର୍ଶକମାନଙ୍କ ଉପରେ ବହୁ ଭରସା  ଓ ବିଶ୍ୱାସ ରଖିଛନ୍ତି । ସିନେମାଗୁଡ଼ିକ ଭଲ  ସମର୍ଥନ ସହ ସଫଳତା ପାଇବ ବୋଲି  ଆଶାବାଦୀ ରହିଛନ୍ତି ।  ଦର୍ଶକ ବି ବହୁ  ଆଗୁଆ ଟିକଟ୍‌ ବୁକିଂ  କରି ସିନେମାଗୁଡ଼ିକୁ  ଦେଖିବା ଲାଗି ଅପେକ୍ଷା କରି ରହିଛନ୍ତି ।  କିଛି ସିନେମାର ଫାଷ୍ଟ୍‌ ଡେ’ ଫାଷ୍ଟ୍‌ ସୋ’  ପୂରା ହାଉସ୍‌ଫୁଲ୍‌ ରହିବା ସହ ପରେ  କିଛି ସୋ’ ବି ଅନ୍‌ଲାଇନ୍‌ରେ ହାଉସ୍‌ଫୁଲ୍‌  ଦେଖାଉଛି । କିନ୍ତୁ ପୂଜା ପର୍ଯ୍ୟନ୍ତ ଓ ପରେ  ବି ସିନେମାଗୁଡ଼ିକ ନିଜ କ୍ରେଜ୍‌ ବଜାଇ  ରଖୁଛନ୍ତି କି ନାହିଁ ଦେଖିବାକୁ ହେବ । ଏହା ସହ ଆମ କଳାକାରମାନେ ତାଙ୍କ  ପ୍ରଶଂସକଙ୍କୁ କେତେ ମାତ୍ରାରେ ହଲ୍‌ ମୁହାଁ  କରାଉଛନ୍ତି ତାହା ବି ଦେଖିବାର ଅଛି ।  ମାତ୍ର ସମସ୍ତେ ସିନେମା ରିଲିଜ୍‌ ପୂର୍ବରୁ  ଶ୍ରୀମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କୁ ନିମନ୍ତ୍ରଣ  ଦେଇ ଆସିଛନ୍ତି । ରାଜ୍ୟର ବିଭିନ୍ନ ହଲ୍‌ରେ  ସିନେମାଗୁଡ଼ିକ ରିଲିଜ୍‌ ହେଉଥିବାବେଳେ  ଭିନ୍ନ ଭିନ୍ନ ସମୟରେ ଭୁବନେଶ୍ୱରର ବିଭିନ୍ନ  ମଲ୍ଟି ସ୍କ୍ରିନ୍‌ ଓ ସିଙ୍ଗଲ୍‌ ସ୍କ୍ରିନ୍‌ରେ ପ୍ରିମିୟର  ସୋ’ ଅନୁଷ୍ଠିତ ହେଉଥିବା ସୂଚନା ମିଳିଛି ।  

ଆଜି ‘ଖୋକା ଭାଇ ତୁମ ପାଇଁ’ର ସ୍ୱତନ୍ତ୍ର  ସୋ’ ଅନୁଷ୍ଠିତ ହୋଇଥିଲା । ଏଥିରେ  ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସହ ବହୁ  ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ଏବଂ  ପ୍ରଯୋଜନା ସଂସ୍ଥାର କଥା ଅନୁସାରେ  ଦର୍ଶକ ଗ୍ୟାଲେରୀରେ ସଙ୍ଗୀତ ଜଗତର  କିମ୍ବଦନ୍ତୀ ପୁରୁଷ ଖୋକା ଭାଇ ଓରଫ୍‌  ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ  ସଂରକ୍ଷିତ ରହିଥିଲା । ସେହିପରି ଚଳଚ୍ଚିର୍ତ  କର୍ମର ମଧ୍ୟ ସ୍ୱତନ୍ତ୍ର ସ୍କ୍ରିନିଂ ହୋଇଛି ।