PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ମୁମ୍ବାଇରେ କୋଠା ଭୁଶୁଡ଼ି ୧୨ ମୃତ, ଭଙ୍ଗା କୋଠା ତଳେ ଚାପିି ରହିଛନ୍ତି ୪୦ ଜଣ

ମୁମ୍ବାଇ, ୧୬ ।୭(ଏଜେନ୍ସି): ମୁମ୍ବାଇର ଡୋଙ୍ଗରି ଅଞ୍ଚଳରେ ଥିବା ଏକ ୪ ମହଲା ବିଶିଷ୍ଟ ପୁରୁଣା କୋଠା ଭୁଶୁଡ଼ି ପଡ଼ିଛି । ଏଥିରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ଜଣେ ଶିଶୁ ସମେତ ୮ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି । ଭଙ୍ଗା କୋଠା ତଳେ ମହିଳା ଓ ଶିଶୁଙ୍କ ସମେତ ଆହୁରି ୪୦ ଜଣ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ, ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ଏନ୍‌ଡିଆରଏଫ ଓ ପୁଲିସ କର୍ମର୍ଚାରୀମାନେ ଲାଗିଛନ୍ତି ।

ସୂଚନା ଅନୁସାରେ ଡୋଙ୍ଗରିର ଟାଣ୍ଡେଲ ଷ୍ଟ୍ରିଟ ଅନ୍ତର୍ଗତ ଅବଦୁଲ ରହମନ ଶାହ ଦରଘା ନିକଟରେ ଥିବା ‘କୌଶରବଗ’ ନାମକ ଏହି କୋଠାଟି ପୂର୍ବାହ୍ନ ୧୧ଟା ୪୦ରେ ହଠାତ୍‌ ଭୁଶୁଡି ପଡିଥିଲା । କୋଠାଟି ପ୍ରାୟ ୧୦୦ ବର୍ଷ ତଳର ହୋଇଥିଲା ବେଳେ ଏହାକୁ ପୂର୍ବରୁ ଅସୁରକ୍ଷିତ ଘୋଷଣା କରାଯାଇଥିଲା । ଦୁର୍ଘଟଣା ସମୟରେ ୧୫ଟି ପରିବାର ସେହି କୋଠାରେ ରହୁଥିଲେ । ଦୁର୍ଘଟଣା ଘଟିଥିବା ସ୍ଥାନକୁ ଯିବାକୁ ସଙ୍କୀର୍ଣ୍ଣ ରାସ୍ତା ରହିଥିବାରୁ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହେଉଛି । ଜେସିବି ଭଳି ବଡ଼ ମେସିନ ସେଠାକୁ ନେବା ସମ୍ଭବ ହୋଇପାରୁନାହିଁଁ । କେବଳ ହାତରେ ଉଦ୍ଧାର କାର୍ଯ୍ୟ କରାଯାଉଛି । ସିମେଣ୍ଟ ପ୍ଲାଷ୍ଟର ଓ ଇଟା ଖଣ୍ଡକୁ ହାତରେ କଢ଼ାଯିବା ସହିତ ଛୋଟ ମେସିନ ସହାୟତାରେ ଲୁହାରଡ କଟାଯାଉଛି । ସ୍ଥାନୀୟ ଲୋକେ ମାନବ ଶୃଙ୍ଖଳ କରି ଉଦ୍ଧାର କାର୍ଯ୍ୟରେ ସହାୟତା କରୁଛନ୍ତି । କୋଠାରେ କିଛି ମରାମତି କାର୍ଯ୍ୟ ଚାଲିଥିଲା । ତେଣୁ କୋଠାର ଅନେକ ସ୍ଥାନରେ ଲୁହାରଡ ଭାରା ଲଗାଯାଇଥିଲା । ସେଗୁଡିକ ଦବି ଯାଇଥିବାରୁ ତା ଭିତରେ ପଶି ଉଦ୍ଧାର କରିବା ଅତ୍ୟନ୍ତ କଷ୍ଟକର ହୋଇପଡୁଛି ବୋଲି ଅଗ୍ନିଶମ ବାହିନୀର ଜଣେ ଅଧିକାରୀ କହିଛନ୍ତି । ଦୁର୍ଘଟଣା ସ୍ଥଳର ଆଖପାଖ ଅଞ୍ଚଳରେ ରହିଥିବା ସବୁ ଅସୁରକ୍ଷିତ କୋଠାକୁ ଖାଲି କରିଦିଆଯାଇଛି ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ବର୍ତ୍ତମାନ ପ୍ରଥମ କର୍ତ୍ତବ୍ୟ ହେଉଛି ଭଙ୍ଗା କୋଠା ତଳେ ରହିଯାଇଥିବା ଲୋକଙ୍କୁ ଉଦ୍ଧାର କରିବା । ଶହେ ବର୍ଷ ତଳର ଏହି ପୁରୁଣା କୋଠାଟି ଅସୁରକ୍ଷିତ ତାଲିକାରେ ସାମିଲ କରାଯାଇଥିଲା । କିନ୍ତୁ ଏହାକୁ ଭଙ୍ଗାଯାଇ ନଥିଲା । ଏହାର ପୁନରୁଦ୍ଧାର କରିବା ଲାଗି ଜଣେ ଘରୋଇ ଡେଭେଲପରଙ୍କୁ ନିଯୁକ୍ତ କରାଯାଇଥିଲା । ସେ ଯଦି କାର୍ଯ୍ୟରେ ଅବହେଳା କିମ୍ବା ବିଳମ୍ବ କରିଥିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେଠାରେ ୧୫ଟି ପରିବାର କିଭଳି ରହିଲେ ତାହାର ମଧ୍ୟ ତଦନ୍ତ ହେବ ବୋଲି ସେ କହିଛନ୍ତି । ଦୁର୍ଘଟଣାର କାରଣ ଜଣାପଡିବା ପରେ ପୀଡିତ ପରିବାରକୁ କ୍ଷତିପୂରଣ ଘୋଷଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏହି ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ବାଣିଜ୍ୟ ନଗରୀ ମୁମ୍ବାଇରେ କୋଠା ଭୁଶୁଡିବା ଏକ ସାଧାରଣ ଘଟଣାରେ ପରିଣତ ହୋଇଛି । ଏଠାରେ ବହୁ ପୁରୁଣା କୋଠା ରହିଥିବାରୁ ତାହା ଭୁଶୁଡି ଅନେକ ସମୟରେ ଧନଜୀବନ ହାନି ଘଟୁଛି । ଗତ ୧୦ ଦିନରେ ଏହା ମୁମ୍ବାଇରେ ଦ୍ୱିତୀୟ କୋଠା ଭୁଶୁଡିବା ଘଟଣା । ସେହିଭଳି ଗତ ୫ ବର୍ଷ ଭିତରେ କୋଠା ଭୁଶୁଡି ୨୩୪ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ୮୪୦ ଜଣ ଆହତ ହୋଇଛନ୍ତି ।