ନୂଆଦିଲ୍ଲୀ, ୧୩।୩: ଇରାକର ଏରବିଲ୍ ଅଞ୍ଚଳରେ ଏକ ଭୟଙ୍କର ଡ୍ରୋନ୍ ଆକ୍ରମଣ ଯୋଗୁଁ ପଶ୍ଚିମ ଏସିଆରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି । ଏହି ଆକ୍ରମଣରେ ଫ୍ରାନ୍ସର ଜଣେ ବରିଷ୍ଠ ସୈନିକ ପ୍ରାଣ ହରାଇଥିବା ବେଳେ ୬ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଏହି ଘଟଣା ପରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ସହ ଯୁଦ୍ଧ ଜାହାଜ ଏବଂ ଏୟାରକ୍ରାଫ୍ଟ କ୍ୟାରିୟର ପଠାଇ ଜବାବ ଦେବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।
ମଖମୁର ଅଞ୍ଚଳରେ ହୋଇଥିଲା ଆକ୍ରମଣ:
ଫ୍ରାନ୍ସ ସେନାର ସୂଚନା ଅନୁଯାୟୀ, ଉତ୍ତର ଇରାକର ମଖମୁର ଅଞ୍ଚଳରେ ଆତଙ୍କବାଦୀଙ୍କ ବିରୋଧରେ ସ୍ଥାନୀୟ ସେନାକୁ ପ୍ରଶିକ୍ଷଣ ଦେଉଥିବା ବେଳେ ଫ୍ରାଞ୍ଚ୍ ବାହିନୀ ଉପରକୁ ଏହି ଡ୍ରୋନ୍ ମାଡ଼ ହୋଇଥିଲା । ଏହି ସୈନିକମାନେ ସେଠାରେ ଆଇଏସ୍ଆଇଏସ୍ର ମୂଳପୋଛ ପାଇଁ ନିୟୋଜିତ ଥିଲେ । ସେହିପରି ଏହି ଆକ୍ରମଣର କିଛି ଘଣ୍ଟା ପୂର୍ବରୁ ଏକ ଇଟାଲୀୟ ବେସ୍କୁ ମଧ୍ୟ ଟାର୍ଗେଟ୍ କରାଯାଇଥିବା ରିପୋର୍ଟ ମିଳିଛି ।
ଏହା ବି ପଢ଼ନ୍ତୁ... ଭୟଙ୍କର ଯୁଦ୍ଧ; ତୁର୍କୀ NATO ବେସ ଉପରେ ଇରାନର ପ୍ରଚଣ୍ଡ ଆକ୍ରମଣ, ୫୦ ପରମାଣୁ ବୋମା ଥିଲା
ରାଷ୍ଟ୍ରପତି ମାକ୍ରୋନଙ୍କ ଶୋକ ଓ ଚେତାବନୀ:
ରାଷ୍ଟ୍ରପତି ମାକ୍ରୋନ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସହିଦ ସୈନିକ ଚିଫ୍ ୱାରେଣ୍ଟ ଅଫିସର ଅରନାଉଡ୍ ଫ୍ରିୟନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେ କହିଛନ୍ତି ଯେ, ଏଭଳି ଆକ୍ରମଣ ଆଦୌ ଗ୍ରହଣୀୟ ନୁହେଁ । ଫ୍ରାନ୍ସ ସୈନ୍ୟବାହିନୀ କେବଳ ଶାନ୍ତି ପ୍ରତିଷ୍ଠା ଓ ଆତଙ୍କବାଦ ବିରୋଧରେ ଲଢ଼ିବାକୁ ସେଠାରେ ଅଛନ୍ତି । ଏହି ଆକ୍ରମଣ ପରେ ଫ୍ରାନ୍ସ ଏବେ ଆକ୍ସନ ମୋଡ୍ରେ ଅଛି । ଫ୍ରାନ୍ସ କହିଛି ଯେ, ଯୁଦ୍ଧ ଜାହାଜ ମୁତୟନ ହେବେ । ସୂଚନା ଅନୁଯାୟୀ ଫ୍ରାନ୍ସ ନିଜର ଏୟାରକ୍ରାଫ୍ଟ କ୍ୟାରିୟର ଷ୍ଟ୍ରାଇକ୍ ଗ୍ରୁପ୍ ସହିତ ପ୍ରାୟ ୧୨ଟି ନୌସେନା ଜାହାଜକୁ ଭୂମଧ୍ୟସାଗର ଏବଂ ଲୋହିତ ସାଗର (Red Sea) ଅଞ୍ଚଳରେ ମୁତୟନ କରୁଛି । ଏଥିସହ ଶତାଧିକ ଅତିରିକ୍ତ ସୈନିକଙ୍କୁ ମଧ୍ୟ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ବଢ଼ୁଛି ମହାଯୁଦ୍ଧର ଆଶଙ୍କା:
ଗତ ୩-୪ ଦିନ ମଧ୍ୟରେ ଇରାକ ଏବଂ ଆଖପାଖ ଅଞ୍ଚଳରେ ଆମେରିକା ଓ ତାର ସହଯୋଗୀ ଦେଶଗୁଡ଼ିକ ଉପରେ ଆକ୍ରମଣ ବୃଦ୍ଧି ପାଇଛି । ଏଥିସହ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ତିକ୍ତତା ଯୋଗୁଁ ସମଗ୍ର ପଶ୍ଚିମ ଏସିଆରେ ଏକ ବଡ଼ ଧରଣର ଯୁଦ୍ଧର କଳାବାଦଲ ଘେରି ରହିଛି ।