ଭୁବନେଶ୍ୱର,୧୧/୦୨:  ରାଜ୍ୟର ଘରୋଇ ସ୍କୁଲରେ ଆର୍ଥିକ ଦୁର୍ବଳ ବର୍ଗ (ଇଡବ୍ଲୁଏସ୍‌) ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ଆବେଦନ ଆରମ୍ଭ ହୋଇଛି । ମାର୍ଚ୍ଚ ୧୦ ତାରିଖ ଯାଏ ଅନ୍‌ଲାଇନ୍‌ ଆବେଦନ ହେବ । ମାର୍ଚ୍ଚ ୧୬ ତାରିଖରେ ପ୍ରଥମ ରାଉଣ୍ଡ ଅନ୍‌ଲାଇନ ଲଟେରୀ ସହ ସ୍କୁଲ ଆବଣ୍ଟନ କରାଯିବ । ମାର୍ଚ୍ଚ ୧୭ରୁ ୩୧ ତାରିଖ ମଧ୍ୟରେ ନାମଲେଖା ସରିବ । ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଓ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ଙ୍କୁ ଚିଠି କରିଛି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ।  

ଆର୍‌ସିଏଫ୍‌ସିଏଫ୍‌ ଆଇନ, ୨୦୦୯ର ସେକ୍ସନ୍‌ ୧୨.୧ ସି ଅନୁଯାୟୀ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଆରଟିଇ ନାମଲେଖା ଆବେଦନ ଆରମ୍ଭ ହୋଇଛି । ଅଣ ଅନୁଦାନପ୍ରାପ୍ତ ଘରୋଇ ସ୍କୁଲରେ ନାମଲେଖା ହେବ । ଏଥିରେ ଇଡବ୍ଲ୍ୟୁଏସ୍‌ ଶ୍ରେଣୀ ଓ ଅନ୍ୟ ଆର୍ଥିକ ଅନଗ୍ରସର ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇବାର ସୁଯୋଗ ମିଳିବ । ଫେବ୍ରୁଆରୀ ୧୦ରୁ ମାର୍ଚ୍ଚ ଯାଏ ପ୍ରଥମ ରାଉଣ୍ଡ ନାମଲେଖା ପାଇଁ ଇଚ୍ଛୁକ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ପଞ୍ଜୀକରଣ କରିବେ । ବିଇଓଙ୍କ ଦ୍ୱାରା ୧୫ ତାରିଖ ମଧ୍ୟରେ ଆବେଦନ ପତ୍ର ଯାଞ୍ଚ ହେବ । ଏହି ରାଉଣ୍ଡ ପାଇଁ ୧୬ରେ ଲଟେରୀ ହୋଇ ମାର୍ଚ୍ଚ ୧୭ରୁ ୩୧ ତାରିଖ ମଧ୍ୟରେ ନାମଲେଖା ଶେଷ ହେବ ।  ଦ୍ୱିତୀୟ ରାଉଣ୍ଡ ନାମଲେଖା ପାଇଁ ଏପ୍ରିଲ ୪ରୁ ୨୪ ତାରିଖ ଯାଏ ପଞ୍ଜୀକରଣ କରାଯିବ ।

ଆହୁରି ପଢନ୍ତୁ-Promise Day: ଟେଡି ନେଲ ଏବେ କଥା ଦିଅ... 'ସବୁ ଜନ୍ମରେ ସାଥୀ, ରହିବ ଏକାଠି'

 ୨୭ ତାରିଖ ମଧ୍ୟରେ ବିଇଓ ଆବେଦନପତ୍ର ଯାଞ୍ଚ କରିବେ । ୨୮ରେ ଲଟେରୀ ହୋଇ ସ୍କୁଲ ଆବଣ୍ଟନ ହେବ । ୨୯ରୁ ମେ ୧୮ ତାରିଖ ମଧ୍ୟରେ ନାମଲେଖା ହେବ । ଏହି ପ୍ରକ୍ରିୟା ଶେଷ ହେବା ପରେ ବଳକା ଥିବା ସିଟ୍‌କୁ ଆଧାର କରି ମେ ୨୨ ତାରିଖରୁ ଜୁନ୍‌ ୧୫ ତାରିଖ ଯାଏ ଆବେଦନ କରିବେ ଛାତ୍ରଛାତ୍ରୀ । ଜୁନ୍‌ ୧୮ରେ ଲଟେରୀ ହୋଇ ସିଟ୍‌ ଆବଣ୍ଟନ ହେବ । ଜୁନ୍‌ ୧୯ରୁ ନାମଲେଖା ଆରମ୍ଭ ହେବ । ଜୁଲାଇ ୧୫ ସୁଦ୍ଧା ସମସ୍ତ ନାମଲେଖା ପ୍ରକ୍ରିୟା ଶେଷ ହେବ । ଆର୍‌ଟିଇ ପାରଦର୍ଶୀ ପୋର୍ଟାଲ୍‌https://rteparadarshi.odisha.gov.in/odishaରେ ଆବେଦନ ହେବ । ଯଦି କୌଣସି ସମସ୍ୟା ହୁଏ ତେବେ ଆବେଦନକାରୀ ଟୋଲ୍‌ ଫ୍ରି ନମ୍ବର ୧୮୦୦୩୪୫୬୭୨୨ରେ ଯୋଗାଯୋଗ କରିପାରିବେ ।