PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ସ୍ୱାଧୀନତା ସଂଗ୍ରାମରେ ରେଭେନ୍ସାର ଗୌରବୋଜ୍ୱଳ ଭୂମିକା ; ନିଆଁ ଲଗେଇଥିଲେ ଛାତ୍ରଛାତ୍ରୀ

କଟକ,୧୫/୮ : ଭାରତଛାଡ଼ ଆନ୍ଦୋଳନବେଳେ ରେଭେନ୍ସା କଲେଜରେ ନିଆଁ ଲାଗିଥିଲା । ସ୍ୱାଧୀନତା ଦାବି କରି ଛାତ୍ରଛାତ୍ରୀ ରେଭେନ୍ସା ଗେଟ୍‌ରେ ତାଲା ପକାଇଥିଲେ । ଏଥିରେ ଛାତ୍ରୀଙ୍କ ଭୂମିକା ମଧ୍ୟ ଯଥେଷ୍ଟ ଥିଲା । ତତ୍କାଳୀନ କଲେଜ ଅଧ୍ୟକ୍ଷ ପି.କେ. ପରିଜାଙ୍କ ଝିଅ ସୌଦାମିନୀ ପରିଜା ମଧ୍ୟ ଏଥିରେ ସାମିଲ୍‌ ହୋଇଥିଲେ । ୧୯୩୦ ମସିହାର ଲବଣ ସତ୍ୟାଗ୍ରହ ଓ ୧୯୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ମାନ୍ୟତା ପାଇବାବେଳେ ରେଭେନ୍ସା କଲେଜ ଛାତ୍ରଛାତ୍ରୀଙ୍କ ଏକତା ସଂଗ୍ରାମକୁ ବଳ ଯୋଗାଇଥିଲା ।

୧୯୩୦ ମସିହାରେ ଲବଣ ସତ୍ୟାଗ୍ରହବେଳେ ରେଭେନ୍ସା ଡିଗ୍ରୀ କଲେଜ ଛାତ୍ରଛାତ୍ରୀ ପରୀକ୍ଷା ଦେଇନଥିଲେ ଯାହାକୁ ନେଇ କଲେଜ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀ ମୁହାଁମୁହିଁ ହୋଇଥିଲେ । ସେହିପରି ୧୯୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇବା ବେଳେ ଏହାର ପ୍ରଥମ ଘୋଷଣା ରେଭେନ୍ସାରେ ହୋଇଥିଲା । ୧୯୪୨ ଅଗଷ୍ଟ ୧୦ ରେ ଛାତ୍ରଛାତ୍ରୀ କଲେଜ ମୁଖ୍ୟ ଫାଟକ ଆଗରେ ଆନ୍ଦୋଳନ କରିଥିଲେ । ଭାଗିରଥି ମିଶ୍ର, ଉପେନ୍ଦ୍ର ମହାନ୍ତି ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ ।

ସେହିବର୍ଷ ଅଗଷ୍ଟ ୧୫ରେ କଲେଜର ପ୍ରାୟ ୨ଶହ ଛାତ୍ରଛାତ୍ରୀ କଲେଜ ଅଫିସ୍‌ ରୁମ୍‌ରେ ନିଆଁ ଲଗାଇ ଦେଇଥିଲେ । ମାଳତି ଚୌଧୁରୀଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀ କଲେଜ ଭିତରେ ‘ତ୍ରିରଙ୍ଗା ଶୋଭାଯାତ୍ରା’ କରିଥିଲେ । ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଆନ୍ଦୋଳନରେ ସାମିଲ୍‌ ହେବାକୁ ଛାତ୍ରଛାତ୍ରୀ ନିବେଦନ କରିଥିଲେ । ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ତତ୍କାଳୀନ ଅଧ୍ୟକ୍ଷ କଲେଜରୁ ବହିଷ୍କାର କରିଥିଲେ, କିନ୍ତୁ ପରେ ପଢିବାକୁ ସୁଯୋଗ ଦିଆଯାଇଥିଲା । ଏଭଳି ଗୌରବମୟ ଇତିହାସ ସୃଷ୍ଟି କରିଥିଲା ବର୍ତ୍ତମାନର ରେଭେନ୍ସା ବିଶ୍ୱବିଦ୍ୟାଳୟ । କିନ୍ତୁ ଏସବୁ ସ୍ମୃତି ଉଦ୍ଦେଶ୍ୟରେ କୌଣସି ପଦକ୍ଷେପ ନିଆଯାଇନାହିଁ । ରେଭେନ୍ସାରେ ଭାରତୀୟ ସ୍ୱାଧୀନତା ସଂଗ୍ରାମର କୀର୍ତ୍ତିମାନ ସ୍ଥାପନ ହେଲେ ଏଠାରୁ ବାହାରିଥିବା ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନ ମିଳିପାରିବ ବୋଲି ମତ ପ୍ରକାଶ ପାଇଛି ।