ଆଜିକାଲି ଝିଅଗୁଡ଼ିକ ଭାରି ଉପରମୁହାଁ ହୋଇଗଲେଣି । ବଡ଼ସାନ, ବାପା-ମା’ ଓ ଶାଶୂ-ଶଶୁର କିଛି ମାନୁନାହାଁନ୍ତି । ନିଜ ମନଇଚ୍ଛା କାର୍ଯ୍ୟ କରୁଛନ୍ତି । ଏ ସମାଜ ଧୀରେ ଧୀରେ ରସାତଳକୁ ଯିବା ଆରମ୍ଭ କଲାଣି । ଆଚ୍ଛା, ଭୁଷାବାବୁ, ଏକଥା କ’ଣ ପୁଅଙ୍କ ପ୍ରତି ପ୍ରଯୁଜ୍ୟ ନୁହେଁ? ବୁଝିଲେ, ଆପଣଙ୍କର ସବୁଥିରେ ଜିରାରୁ ଶିରା କାଢ଼ିବା ଅଭ୍ୟାସ । ଏ ସମାଜର ଦୁର୍ଗତି ଆପଣଙ୍କ ପରି କିଛି ଲୋକଙ୍କ ଯୋଗୁଁ ହେଉଛି । ରାଗ ତମତମ ହୋଇ ଉଠି ସେ ଚାଲିଗଲେ ।

ମୁଁ ଏଥର ଭଜହରି ବାବୁଙ୍କୁ ଚାହିଁ କହିଲି- ଏ ବିଷୟରେ ଆପଣଙ୍କ ମତ କ’ଣ? ସେ ଅଳ୍ପ ହସି କହିଲେ, ସେ ପୁରୁଷ ହେଉ ବା ନାରୀ ମର୍ଯ୍ୟାଦା ଭିତରେ ସମସ୍ତେ ରହିବା ଉଚିତ । ଏହା ହିଁ ସମାଜରେ ସମ୍ପର୍କର ସନ୍ତୁଳନ ବଜାୟ ରଖେ । ଏଠାରେ ଭୁଷାବାବୁ କେବଳ ନାରୀଙ୍କୁ କାହିଁକି ଇଙ୍ଗିତ କଲେ? ମୁଁ ପ୍ରଶ୍ନ କଲି । ଭଜହରି ବାବୁ ଉତ୍ତର ଦେଲେ, କାରଣ ତୁଳନାତ୍ମକ ଭାବେ ସମାଜ ଓ ପରିବାରକୁ ସଂଗଠିତ ରଖିବାରେ ବୋଧହୁଏ ନାରୀଠାରୁ ଅଧିକ ସହୃଦୟତା ଆଶା କରାଯାଏ । ଅନ୍ତତଃ ଏତିକି ତ ସ୍ୱୀକାର୍ଯ୍ୟ ଯେ ସଂରଚନାଗତ ଓ ଗୁଣାତ୍ମକ ଭାବରେ ଈଶ୍ୱରଙ୍କ ସୃଷ୍ଟିରେ ନାରୀ ଓ ପୁରୁଷ ହେଲେ ଦୁଇଟି ପୃଥକ ଅସ୍ତିତ୍ୱ । ଶାରୀରିକ ଭାବେ ନାରୀ, ପୁରୁଷ ତୁଳନାରେ ଅପେକ୍ଷାକୃତ ଦୁର୍ବଳ ହେଲେ ବି ଅନ୍ତର୍ନିହିତ ଭାବେ ଶକ୍ତିଶାଳୀ ଥାଏ । ସେ ହିଁ ସୃଷ୍ଟିର ଜୀବନଦାତ୍ରୀ, ଧାରିକା ଓ ସଂରଚିକା । ତେଣୁ ପାରମ୍ପରିକ ଭାବେ କୋମଳତା, ଗ୍ରହଣୀୟତା ଓ ସହନଶୀଳତା ନାରୀତ୍ୱର ସ୍ୱଭାବସୁଲଭ ଗୁଣ ଅଟେ । କୌଣସି ନାରୀକୁ ମା' ହେବା ଲାଗି ଟ୍ରେନିଂ ନେବାକୁ ପଡ଼େନାହିଁ, ଏହା ଜନ୍ମଜାତ ପ୍ରବୃତ୍ତି । ନାରୀ ଯଦି ସଂସାରର ପ୍ରତୀକ ହୁଏ, ପୁରୁଷର ସଂରକ୍ଷକର ଭୂମିକା ନିର୍ବାହ କରେ । ବଳ, ବୀର୍ଯ୍ୟ, ସାହସ ଓ ଦୃଢ଼ତାକୁ ସଦା ପୁରୁଷାର୍ଥର ପ୍ରତୀକ ଭାବେ ଧରାଯାଏ । ଆମ ସଂସାରର ଅବସ୍ଥିତିରେ ନାରୀ ହେଉଛି ମେରୀଖୁଣ୍ଟ । ତେଣୁ ଯଦି ମେରୀଖୁଣ୍ଟ ଦୋହଲିଯିବ ତା’ହେଲେ ସମାଜ ଭୁଶୁଡ଼ି ପଡ଼ିବ ନା ନାହିଁ । ଶିଶୁଟିଏ ଜନ୍ମ ପରେ ପ୍ରାକୃତିକ ଭାବେ ମା'କୁ ଖୋଜେ, ବାପାକୁ ନୁହେଁ । ସେ ବିଶେଷତା ଈଶ୍ୱର ନାରୀକୁ ହିଁ ଦେଇଛନ୍ତି । ଯାହା ହାତଧରି ସନ୍ତାନଟିଏ ମୂଲ୍ୟବୋଧ, ନୈତିକତା ଓ ମଣିଷପଣିଆ ଶିଖେ ଏବଂ ପିତା ତାକୁ ପରେ ଦୃଢ଼ ଓ ସଶକ୍ତ କରି ସମାଜରେ ଛିଡ଼ାହେବାରେ ସାହାଯ୍ୟ କରେ । ନାରୀ କ’ଣ ତା’ର ଜନ୍ମିତ ସନ୍ତାନକୁ କେବେ ବୋଝ ମନେକରି ଫିଙ୍ଗିଦିଏ କି?

ଓଃ, ସେଥିପାଇଁ ତ ସେହି ସଂସାରର ଦ୍ୱାହିଦେଇ ତାକୁ ଅନେକ ଥର ସମାଜର ବ୍ଲାକମେଲିଂ ଓ ପୁରୁଷଙ୍କ ଦ୍ୱାରା ବାରମ୍ବାର ନିର୍ଯାତନାର ଶିକାର ହେବାକୁ ପଡ଼େ । ଯେମିତିକି ନାରୀର ଇଚ୍ଛା-ଅନିଚ୍ଛା, ଆଶା-ଆକାଂକ୍ଷା ବୋଲି କିଛି ନାହିଁ । ଏ ସମାଜ ପୁରୁଷ ଉପରେ କେବେ ଲଗାମ ଲଗାଏ କି? ମୋର ରୋଷଭରା ସ୍ୱରର ଉତ୍ତରରେ ଭଜହରି ବାବୁ ଶାନ୍ତ ସ୍ୱରରେ କହିଲେ- ମୁଁ ଆଦୌ ଅସହମତ ହେଉନି । ଆମ ସମାଜ, ସଂସ୍କୃତି ଓ ପରମ୍ପରାରେ ଅନେକ ଅପଭ୍ରଂଶ ଘଟିଛି । ନାରୀକୁ ସଂରକ୍ଷଣ ଦେଉ ଦେଉ ଧୀରେ ଧୀରେ ପୁରୁଷ ପ୍ରଭୁତ୍ୱ ବିସ୍ତାର ପାଇଛି । ସହଭାଗିତା ବଦଳରେ ଏକଚାଟିଆ ଅଧିକାର ସ୍ଥାପିତ କରିଛି । ଆଗେ ନାରୀଙ୍କୁ ଜୀବନସାଥୀ ବାଛିବା ପାଇଁ ସ୍ୱୟମ୍ବର ବ୍ୟବସ୍ଥା ସହ ଶାସ୍ତ୍ରାର୍ଥଠାରୁ ଶସ୍ତ୍ରଚାଳନା ପର୍ଯ୍ୟନ୍ତ ସୁଯୋଗ ଥିଲା । କିନ୍ତୁ ମଧ୍ୟଯୁଗରୁ ପରଦା ପ୍ରଥା ଆସିଲା ଏବଂ ଧୀରେ ଧୀରେ ଏହା ଅଭ୍ୟାସଗତ ହୋଇଗଲା । ମର୍ଯ୍ୟାଦା ନାମରେ ନାରୀର ଭୂମିକା କ୍ରମଶଃ ଘର ଏରୁଣ୍ଡିବନ୍ଧରେ ସୀମିତ ହୋଇଗଲା ଏବଂ ସେ ନିର୍ଭରଶୀଳା ପାଲଟିଗଲା, ଅଥଚ ପୁରୁଷ ଘର ବାହାରର ଦାୟିତ୍ୱ ସ୍ୱାଧୀନ ଭାବେ ନିର୍ବାହ କରି ସ୍ୱଚ୍ଛନ୍ଦତା ଉପଭୋଗ କଲା ।

ମୋ ପାଟିରୁ ବାହାରିଗଲା- କଥା ତ ସେଇଠି । ପୁରୁଷ ସାର୍ଟ ଖୋଲି ବୁଲିଲେ କାହା ପାଟିରୁ ପଦେ କଥା ବାହାରେନାହିଁ, ଅଥଚ ଜଣେ ସ୍ତ୍ରୀ ଛୋଟ ଡ୍ରେସ୍ ପିନ୍ଧିଲେ ମାଳମାଳ ଅଶ୍ଳୀଳ ଚକ୍ଷୁ ଓ ଅପଶବ୍ଦର ଶିକାର ହେବାକୁ ପଡ଼େ । ଉଦ୍ଧତ ଓ ସ୍ୱେଚ୍ଛାଚାରିଣୀ ବୋଲି ଆଖ୍ୟା ମଧ୍ୟ ପାଏ । ଦୁର୍ଭାଗ୍ୟବଶତଃ, ଧର୍ଷଣ ଘଟିଲେ ଧର୍ଷିତାର ଚାଲିଚଳଣ ଓ ପୋଷାକ ଉପରେ ଆଙ୍ଗୁଳି ଉଠେ, କିନ୍ତୁ ଧର୍ଷଣକାରୀକୁ କେବେ ପ୍ରଶ୍ନ କରାଯାଏନାହିଁ । ଆଜିର ନାରୀ ରୋଜଗାର କଲେ ମଧ୍ୟ ଘରର ଯାବତୀୟ କାର୍ଯ୍ୟ ତା' ଉପରେ ଛାଡ଼ିଦିଆଯାଏ । ମର୍ଯ୍ୟାଦାର ଦ୍ୱାହିଦେଇ ନାରୀ ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଉଥିବା ଏ ସମାଜ ପୁରୁଷକୁ କେବେ ଶିଖାଇପାରେନି ଯେ, ନାରୀ ଏକ ଉପଭୋଗ୍ୟ ବସ୍ତୁ ନୁହେଁ । ତା'ର ବି ଏକ ସ୍ୱତନ୍ତ୍ର ଅସ୍ତିତ୍ୱ, ପରିଚୟ, ଇଚ୍ଛା ଓ ଅନିଚ୍ଛା ଅଛି । ସେ ବି ସମାନ ଅଧିକାର ଓ ସମ୍ମାନ ପାଇବାର ହକ୍ଦାର । ତେବେ ସମାଜର ଏ ଦୋହରା ମାପଦଣ୍ଡ କାହିଁକି?

ଭଜହରି ବାବୁ ଉତ୍ତର ଦେଲେ- ଆପଣ ମନେପକାନ୍ତୁ, ଆମ ବୋଉ-ଜେଜେମା'ଙ୍କ ଅମଳରେ ବିନା ବ୍ଲାଉଜରେ ଖଣ୍ଡେ ସୂତା ଶାଢ଼ିରେ ସ୍ତ୍ରୀଲୋକମାନେ ଗାଁଗଣ୍ଡାରେ ସ୍ୱଚ୍ଛନ୍ଦରେ ଚଳପ୍ରଚଳ କରୁଥିଲେ । ଅନେକ ଆଦିବାସୀ ଓ ଜନଜାତିର ସ୍ତ୍ରୀଲୋକ ଏବେବି ଅର୍ଦ୍ଧଉଲଗ୍ନ ଭାବେ ଜୀବନ ଯାପନ କରୁଛନ୍ତି, କାରଣ ତାହା ତାଙ୍କ ସାମାଜିକ ଚଳଣିରେ ଗ୍ରହଣୀୟ । ତେଣୁ ଏସବୁଥିରେ ସମାଜର ଦୃଷ୍ଟିଭଙ୍ଗୀ ହିଁ ଅସଲ ସମସ୍ୟା । ଆମେ ଏକ ପୁରୁଷକୈନ୍ଦ୍ରିକ ସମାଜରେ ବଞ୍ଚୁଛୁ, ଯେଉଁଠାରେ ନାରୀ ପ୍ରତି ଦ୍ୱୈତ ମନୋଭାବ ପୋଷଣ କରାଯାଏ । ମା', ଭଉଣୀ, ଝିଅ, ସ୍ତ୍ରୀ ସବୁବେଳେ ଶ୍ରଦ୍ଧା ଓ ସମ୍ମାନର ପାତ୍ରୀ, କାରଣ ସେମାନଙ୍କ ସହ ପାରିବାରିକ ଓ ଆବେଗିକ ସମ୍ପର୍କ ଥାଏ । ମଣିଷ ଯେହେତୁ ଏକ ସମାଜରେ ବଞ୍ଚେ, ସଭ୍ୟତାର ଆରମ୍ଭରୁ ନିଜ ରକ୍ତ ସମ୍ପର୍କକୁ ଅନୈତିକ ଦୃଷ୍ଟିରେ ଦେଖିବା ଏକ ପାପ ବୋଲି ବିବେଚନା କରାଯାଏ । କିନ୍ତୁ ପର ନାରୀଙ୍କ କ୍ଷେତ୍ରରେ ସେହି ପ୍ରତିବନ୍ଧକ ନଥାଏ । ଆଜିକାଲିର ସୋସିଆଲ ମିଡିଆ ଯୁଗରେ ନିଜକୁ ଆକର୍ଷଣୀୟ ଓ ସ୍ୱତନ୍ତ୍ର ଦେଖାଇବା ପାଇଁ ଯେଉଁ ଉପାୟ ଅବଲମ୍ବନ କରାଯାଉଛି, ଯେମିତିକି ଉତ୍ତେଜକ ପୋଷାକ, ଅଙ୍ଗଭଙ୍ଗୀର ପୋଷ୍ଟ- ତାହା କ’ଣ ପ୍ରକୃତ ସ୍ୱାଧୀନତାକୁ ଦର୍ଶାଉଛି ନା କେବଳ ଆକର୍ଷଣର ଏକ ନୂଆ ରୂପ?

ମୁଁ କହିଲି, ଜଣେ ନାରୀ ନିଜ ଶରୀର ତଥା ନିଜକୁ କିପରି ଉପସ୍ଥାପନ କରିବ ତାହା ତା'ର ନିଜସ୍ୱ ପସନ୍ଦ । ଏଥର ତାଙ୍କ ଉତ୍ତର ଥିଲା, ଠିକ୍ ଅଛି ଆପଣଙ୍କ ଅନୁସାରେ ଯଦି ନାରୀଟିଏ ଆକର୍ଷଣୀୟ ଦେଖାଯିବାକୁ ହିଁ ନିଜର ସ୍ୱଚ୍ଛନ୍ଦତା, ସଫଳତା ଓ ସ୍ୱୀକୃତିର ମାପଦଣ୍ଡ ବୋଲି ବିବେଚନା କରେ, ପ୍ରକାରାନ୍ତରେ ତାହା ସମାଜର ନାରୀ ପ୍ରତି ସେହି ପୁରୁଷକୈନ୍ଦ୍ରିକ ଦୃଷ୍ଟିଭଙ୍ଗୀକୁ ସାହାଯ୍ୟ କରୁନାହିଁ କି? ନିଆଁରେ ଘିଅ ଢାଳିଲା ଭଳି ସିନେମା, ସୋସିଆଲ ମିଡିଆ, ବିଜ୍ଞାପନ ଆଦିରେ ପ୍ରସାରିତ ହେଉଥିବା ଆଇଟମ୍ ସଙ୍ଗ୍, ରେନ୍ ସିନ୍, ନାରୀ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଉପରେ ଫୋକସ୍ ଇତ୍ୟାଦି ସମାଜକୁ କି ବାର୍ତ୍ତା ଦିଏ? ଏସବୁ ମାଧ୍ୟମ ଦର୍ଶକଙ୍କୁ ଆକୃଷ୍ଟ କରିବା ନିମନ୍ତେ ନାରୀକୁ ଏକ ଉପଭୋଗର ସାମଗ୍ରୀ ଭାବେ ପ୍ରସ୍ତୁତ କରେନାହିଁ କି ଏବଂ ଏହାକୁ କ’ଣ ଅସ୍ୱୀକାର କରିହେବ? ହୁଏତ ଏହା କିଛି ନାରୀଙ୍କୁ ଆର୍ଥିକ ସ୍ୱତନ୍ତ୍ରତା ଦେଇପାରେ, କିନ୍ତୁ ସମ୍ମାନ ଅର୍ଜନ କରେଇପାରେ କି? ଆତ୍ମ-ସ୍ୱାଧୀନର ଛଦ୍ମ ଆଢୁଆଳରେ ଏହା ଧୀରେ ଧୀରେ ନାରୀକୁ ଆତ୍ମବସ୍ତୁକରଣ (ଝରକ୍ଷଲ-ଙଭହରମଗ୍ଧସଲସମବଗ୍ଧସକ୍ଟଦ୍ଭ) କରିଦିଏ । ଯଦିଓ ନିଜକୁ କିପରି ଉପସ୍ଥାପନ କରିବ ତାହା ଜଣଙ୍କର ବ୍ୟକ୍ତିଗତ ପସନ୍ଦ, କିନ୍ତୁ ବିନା ସଂଯମତାରେ ଏହା ପ୍ରକାରାନ୍ତରେ ପୁରୁଷ ଇନ୍ଦ୍ରିୟକୁ ହିଁ ଆପ୍ୟାୟିତ କରିଥାଏ ।

ସ୍ୱାଧୀନତା ଓ ସ୍ୱେଚ୍ଛାଚାରିତା ଭିତରେ ବହୁତ ସୂକ୍ଷ୍ମ ତଫାତ୍ ଥାଏ । ସ୍ୱାଧୀନତା କହିଲେ ନାରୀ-ପୁରୁଷ ନିର୍ବିଶେଷରେ ସମାନ ଅଧିକାର, ସୁଯୋଗ ଓ ସମ୍ମାନ ପାଇବାକୁ ବୁଝାଏ । ତେଣୁ ନାରୀ ପାଇଁ ସ୍ୱାଧୀନତା ଅର୍ଥ ହୁଏତ ଏଇଆ ଯେ, ସମାଜରେ କର୍ମକ୍ଷେତ୍ର, ବ୍ୟକ୍ତିଗତ ପସନ୍ଦ, ସମ୍ମାନ ଓ ସମାନ ଅଧିକାରର ଅଭିବ୍ୟକ୍ତି । ଯେଉଁଠି ଜଣେ ନାରୀ ନିଜର ପ୍ରତିନିଧିତ୍ୱ ବଳରେ ସ୍ୱାଧୀନ ଭାବେ ମତ ସାବ୍ୟସ୍ତ କରିବା ସହ ରାଷ୍ଟ୍ରର ଉନ୍ନତିରେ ବି ଯୋଗଦାନ ଦେଇପାରିବ । ଏଥିରେ ଦାୟିତ୍ୱ ଓ ସମ୍ମତି ଉଭୟ ନିହିତ ଥାଏ । କିନ୍ତୁ ଯେତେବେଳେ ଜଣେ ଅନ୍ୟର ସମ୍ମାନକୁ ଉପେକ୍ଷା କରି କେବଳ "ମୋର ଇଚ୍ଛା, ମୁଁ ଯାହା ଚାହେଁ ତାହା କରିବି' ଭାବନାର ବଶବର୍ତ୍ତୀ ହୋଇ ନିଜର "ଖାମଖିଆଲି’ ପ୍ରବୃତ୍ତି ଅନୁସାରେ ଦାୟିତ୍ୱହୀନ ରୂପେ କାର୍ଯ୍ୟ କରେ, ତାହାକୁ ସ୍ୱେଚ୍ଛାଚାରିତା କୁହାଯାଏ । ଏହା ସ୍ତ୍ରୀ-ପୁରୁଷ ନିର୍ବିଶେଷରେ ସଭିଙ୍କ ନିମନ୍ତେ ପ୍ରଯୁଜ୍ୟ ।

ଆଗ ଅପେକ୍ଷା ଆଜିର ନାରୀ ଆର୍ଥିକ ଓ ମାନସିକ ସ୍ତରରେ ସଶକ୍ତିକରଣ ଦିଗରେ ହିଁ ଅଗ୍ରସର ହେଉଛି । ଯାହାର ଅର୍ଥ- ଅର୍ଥନୈତିକ ସ୍ୱାବଲମ୍ବନ, ରାଜନୈତିକ ଅଂଶଗ୍ରହଣ, କ୍ରୀଡ଼ା ଓ ବିଜ୍ଞାନ-ପ୍ରଯୁକ୍ତି କ୍ଷେତ୍ରରେ ସମାନ ସୁଯୋଗ ପାଇବା । ଏହା କେବଳ ବ୍ୟକ୍ତିଗତ ସ୍ୱାଧୀନତା ନୁହେଁ, ସମାଜ ଓ ଦେଶର ଉନ୍ନତିର ମୂଳଭିତ୍ତି । ସରକାରୀ ଯୋଜନା ଯେପରି ମିଶନ ଶକ୍ତି, ନାରୀଶକ୍ତି ବନ୍ଦନା ଅଧିନିୟମ ଓ ବ୍ୟକ୍ତିଗତ ସଫଳତା ଆଦି ଏହାକୁ ସମ୍ଭବ କରିଛି । ମହିଳା ଶ୍ରମଶକ୍ତିରେ ଅଂଶଗ୍ରହଣ ୨୦୧୮ର ୨୨.୯%ରୁ ୨୦୨୫ରେ ୩୫.୩% କୁ ବଢ଼ିଛି । ଉଚ୍ଚଶିକ୍ଷାରେ ମହିଳା ଅଂଶ ୪୮% ପର୍ଯ୍ୟନ୍ତ ପହଞ୍ଚିଛି (ଅନେକ ବିକାଶଶୀଳ ରାଷ୍ଟ୍ରଙ୍କଠାରୁ ଅଧିକ) । ଏସବୁ ମହିଳାଙ୍କ ଅର୍ଥନୈତିକ ଓ ରାଜନୈତିକ ଭାଗିଦାରୀକୁ ସୁନିଶ୍ଚିତ କରିବା ପାଇଁ ତ ହେଇଛି । ବିଜ୍ଞାନ, କୌଶଳଠାରୁ ଆରମ୍ଭ କରି ସାମରିକ ପଦପଦବି ପର୍ଯ୍ୟନ୍ତ ଏବଂ ପଞ୍ଚାୟତଠାରୁ ଦେଶର ସର୍ବୋଚ୍ଚ ପଦ ପର୍ଯ୍ୟନ୍ତ ନାରୀଙ୍କ ପ୍ରବେଶ ଘଟିଲାଣି । ଏହାଛଡ଼ା ଯୌତୁକ ନିରୋଧ ଆଇନ, ପୋଶ ଆକ୍ଟ, ଘରୋଇ ହିଂସା ପରି ଆଇନ ନାରୀ ସୁରକ୍ଷା ନିମନ୍ତେ ତ ପ୍ରଣୟନ ବି ହେଇଛି । ତାହେଲେ ତ ନାରୀ ନିର୍ଯାତନା କମିଯାଇଥିବ ଓ ନାରୀ ସଶକ୍ତ ହୋଇଯାଇଥିବେ, ନୁହେଁ? ମୁଁ କହିଲି । ଭଜହରି ବାବୁ ଚିହିଁକି ଉଠି କହିଲେ, ମୁଁ କେତେବେଳେ କହିଲି ଯେ ଏହା ରାତିକ ଭିତରେ ବଦଳିଯିବ ବୋଲି । ଆଜି ବି ନାରୀ ଏ ସମାଜରେ ଅତ୍ୟାଚାରିତ, ଶୋଷିତ, ଲାଞ୍ଛିତ ହେଉଛି । ଏହା ଏକ ଗମ୍ଭୀର ସାମାଜିକ ସମସ୍ୟା, ଯାହା ବିଷୟରେ ସମାଜ ଧୀରେ ଧୀରେ ସଚେତ ହେଲାଣି । ତଥାପି ଆପଣ ଗ୍ୟାରେଣ୍ଟି ଦେଇ କହିପାରିବେ କି ନାରୀ ପ୍ରତି ଘଟୁଥିବା ନିର୍ଯାତନାରେ ଖାଲି ପୁରୁଷର ଭୂମିକା ଥାଏ, ନାରୀର ନଥାଏ? ଯେତେସବୁ ନାରୀ ସୁରକ୍ଷା ଆଇନ ତିଆରି ହୋଇଛି ତାହା କ’ଣ ପୁରୁଷ ବିରୁଦ୍ଧରେ ଦୁରୁପଯୋଗ ହେଉନାହିଁ? ତେଣୁ ଭାରତୀୟ ସମାଜରେ ଶୋଷଣ ଏକ ଗମ୍ଭୀର ସମସ୍ୟା ଏବଂ ଏଥିରେ ଉଭୟ ଲିଙ୍ଗ ଶିକାର ହୁଅନ୍ତି । କିନ୍ତୁ ପ୍ରକୃତି, ପରିମାଣ ଓ ସମାଜର ପ୍ରତିକ୍ରିୟା ଭିନ୍ନ ହୁଏ । ନାରୀ-ପୁରୁଷର ସମ୍ପର୍କ ଠିକ୍ ଆକାଶ ଓ ପୃଥିବୀ ପରି ପରସ୍ପର ପରିପୂରକ । ଆକାଶ ଯେତେ ବିଶାଳ ହେଲେ ବି ତା'ର ପରିଚୟ ପୃଥିବୀ ସହ ଜଡ଼ିତ । ପୁରୁଷ ଯେତେ ସଶକ୍ତ ହେଲେ ବି ସେ ନାରୀର ସ୍ନେହ, ମମତା ଓ ପ୍ରେରଣାରେ ବନ୍ଧା ।

ନାରୀ ଓ ପୁରୁଷ ଉଭୟଙ୍କ ସଠିକ୍ ସମନ୍ୱୟ ଓ ସହଭାଗିତାରେ ସଂସାରର ସନ୍ତୁଳନ ବଜାୟ ରହେ । ଏଥିରୁ କିଛି ବ୍ୟତିକ୍ରମ ଘଟିଲେ ଘରସଂସାର ଭୁଶୁଡ଼ି ପଡ଼େ । ତେଣୁ ପୁରୁଷର କର୍ତ୍ତବ୍ୟ ହେଉଛି ସଂସାରକୁ ସୁରକ୍ଷା ଓ ସ୍ଥିରତା ପ୍ରଦାନ କରିବା ସହ ସକାରାତ୍ମକ ଭାବେ ଭାବିବା ଯେ ନାରୀ କାହାରି ବ୍ୟକ୍ତିଗତ ସମ୍ପତ୍ତି ନୁହେଁ । ସେ ତା'ର ନିଜସ୍ୱ ଗାରିମା ଓ ଚିନ୍ତାଶକ୍ତିର ଏକ ସ୍ୱତନ୍ତ୍ର ପରିଚୟ । ସେହିପରି ନାରୀ ଯେତେ ଆଧୁନିକା ଓ ପ୍ରଗତିଶୀଳା ହେଲେ ମଧ୍ୟ ସଂସାରର ମୌଳିକ ଢାଞ୍ଚା କେବଳ ନାରୀ ଉପରେ ହିଁ ନିର୍ଭର କରେ । ଯେଉଁଦିନ ନାରୀ ସଂଯମ ଓ ସଂସ୍କାର ଭୁଲିଯିବ, ସେଦିନ ଏ ସମାଜ ବିପଥଗାମୀ ଓ ଅସାମାଜିକ ହେବା ସୁନିଶ୍ଚିତ ।

ଟିକେ ନିଃଶ୍ୱାସ ମାରି ପୁଣି କହିଚାଲିଲେ, ମଣିଷ ଏକ ସାମାଜିକ ପ୍ରାଣୀ ଓ ବିନା ସମାଜରେ କେବେ ସେ ଚଳିପାରିବନି । ଏଥିପାଇଁ ନାରୀ-ପୁରୁଷ ଉଭୟଙ୍କ ବୁଝାମଣା ଓ ଯୋଗଦାନ ଆବଶ୍ୟକ । ଆଚ୍ଛା, ଆପଣ ମୋର ଗୋଟେ ପ୍ରଶ୍ନର ଉତ୍ତର ଦେଲେ- ଗୋଟେ ସୁଖୀ ଦାମ୍ପତ୍ୟ ଓ ହସଖୁସିଆ ପରିବାର ଆଗରେ ଏ ତର୍କ ବିତର୍କ କିଛି ମାନେ ରଖୁଛି? ମିଆଁ ବିବି ରାଜି ତୋ କ୍ୟା କରେଗା କାଜି । ସ୍ନେହ, ମମତା ଓ ପାରସ୍ପରିକ ସମର୍ଥନ ଆଗରେ ଏସବୁ ତୁଚ୍ଛ । ମୁଁ ହସିଦେଇ କହିଲି- ଏଥର ଠିକ୍ କହିଲି ନା! ଉଭୟ ମନଖୋଲି ହସୁଥିଲୁ