ଆଜିଠୁ ଫ୍ରେଞ୍ଚ ଓପନ-୨୦୨୨: ପ୍ରଥମ ଦିନର ମୁଖ୍ୟ ଆକର୍ଷଣ ଭେରେଭ, ଆଲକାରାଜ ଓ ସାକାରି

ପ୍ୟାରିସ୍,୨୨/୦୫: ଆଜିଠୁ ଆରମ୍ଭ ହେବ ଫ୍ରେଞ୍ଚ ଓପନ ଗ୍ରାଣ୍ଡ ସ୍ଲାମ୍ । ୧୧ଥର ଚାମ୍ପିଅନ୍ ରାଫେଲ ନାଦାଲ ଓ ଡିଫେଣ୍ଡିଂ ଚାମ୍ପିଅନ୍ ନୋଭାକ ଜୋକୋଭିକ୍ ଏଥର ଗୋଟିଏ ଗ୍ରୁପ୍ରେ ସ୍ଥାନ ପାଇଛନ୍ତି । ଏଥର କ୍ୱାର୍ଟର ଫାଇନାଲ୍ରେ ଉଭୟ ପରସ୍ପରକୁ ସାମ୍ନା କରିବା ସମ୍ଭାବନା ରହିଛି। ଯୁବ ଖେଳାଳି ଆଲେକଜାଣ୍ଡାର ଭେରେଭ, ଷ୍ଟିଫାନସ ସିସିପାସ୍ ପ୍ରମୁଖ ଏଥର ଟାଇଟଲ ଦୌଡରେ ରହିଛନ୍ତି । ହେଲେ ନବାଗତ କାର୍ଲୋସ ଆଲକାରାଜଙ୍କୁ ପରବର୍ତ୍ତୀ କ୍ଲେ କୋର୍ଟ କିଙ୍ଗ ରୂପେ ବିବେଚନା କରାଯାଉଛି । ୧୮ ବର୍ଷୀୟ ଆଲକାରାଜ ସମ୍ପ୍ରତି ଶ୍ରେଷ୍ଠ ଫର୍ମରେ ରହିଛନ୍ତି ।
ପ୍ରଥମ ଦିବସରେ ଆଲକାରାଜ କୋର୍ଟକୁ ଓହ୍ଲାଇବେ । ଷଷ୍ଠ ସିଡ୍ ଆଲକାରାଜ ପ୍ରଥମ ରାଉଣ୍ଡ୍ରେ ଆର୍ଜେଣ୍ଟିନାର ଜୁଆନ ଇଗ୍ନାସିଓ ଲଣ୍ଡେରୋଙ୍କୁ ଭେଟିବେ । ସେହିପରି ତୃତୀୟ ସିଡ୍ ଆଲେକଜାଣ୍ଡାର ଭେରେଭ ପ୍ରଥମ ରାଉଣ୍ଡ୍ରେ ସେବାଷ୍ଟିଆନ ଅଫନରଙ୍କୁ ସାମ୍ନା କରିବେ। ସେହିପରି ମହିଳା ବର୍ଗରେ ଷଷ୍ଠ ସିଡ୍ ଓନ୍ସ ଜାବେଓର ପ୍ରଥମ ରାଉଣ୍ଡ୍ରେ ମାଗ୍ସା ଲିନେଟିଙ୍କୁ ଭେଟୁଥିବାବେଳେ ଚତୁର୍ଥ ସିଡ୍ ମାରିଆ ସାକାରି କ୍ଲାରା ବ୍ୟୁରେଲଙ୍କୁ ସାମ୍ନା କରିବେ ।
ମହିଳା ସିଙ୍ଗଲ୍ସ ବର୍ଗରେ ଅନ୍ୟ ସିଡେଡ୍ ଖେଳାଳିଙ୍କ ମଧ୍ୟରେ ପୂର୍ବତନ ୟୁଏସ୍ ଓପନ ଚାମ୍ପିଅନ୍ ସ୍ଲୋଆନ ଷ୍ଟିଫେନ୍ସ ଜର୍ମାନୀର ଜ୍ୟୁଲ ନିମିୟରଙ୍କୁ ଭେଟିବେ । ସେହିପରି କାୟା କାନେପି ୨୦୧୬ ଚାମ୍ପିଅନ୍ ତଥା ଦଶମ ସିଡ୍ ଗାର୍ବିନ ମୁଗୁରୁଜାଙ୍କୁ ସାମ୍ନା କରିବେ । ଅଲିମ୍ପିକ ଚାମ୍ପିଅନ୍ ବେଲିଣ୍ଡା ବେନ୍କିକ୍ ହଙ୍ଗେରୀର ରେକା ଲୁକା ଜାନିଙ୍କୁ ଭେଟୁଥିବାବେଳେ କୋକୋ ଗୌଫ କାନାଡ଼ାର ଆର ମାରିନୋଙ୍କୁ ଭେଟିବେ।
ରୋଲାଣ୍ଡ ଗ୍ୟାରସରେ ପୂର୍ବରୁ ୨ଥର ଫାଇନାଲ୍ ଖେଳି ସାରିଥିବା ଅଷ୍ଟ୍ରିୟା ଖେଳାଳି ଡୋମିନିକ ଥିମ ବଲିଭିଆର ହ୍ୟୁଗୋ ଡେଲିନଙ୍କୁ ଭେଟିବେ । ନବମ ସିଡ୍ ଫେଲିକ୍ସ ଅଗର ଆଲିଆସିମ ପ୍ରଥମ ରାଉଣ୍ଡ୍ରେ ଜୁଆନ ପାବଲୋ ଭାରିଲାସ୍ଙ୍କୁ, ଡିଏଗୋ ସ୍ୱାର୍ଜମାନ ପ୍ରଥମ ରାଉଣ୍ଡ୍ରେ ଆନ୍ଦ୍ରି କୁଜନେତସୋଭାଙ୍କୁ ଭେଟିବେ । ଅନ୍ୟ ସିଡେଡ ଖେଳାଳିମାନଙ୍କ ମଧ୍ୟରେ ଜନ ଆଇଜନର, କାରେନ କାଚାନୋଭ, ଗିଗୋର ଦିମିତ୍ରୋଭ ପ୍ରମୁଖ କୋର୍ଟକୁ ଓହ୍ଲାଇବେ ।