ପ୍ୟାରିସ୍‌, ୨୩/୦୫: ଆସନ୍ତା  ରବିବାର ଠାରୁ ଆରମ୍ଭ ହେବ ବର୍ଷର  ଦ୍ୱିତୀୟ ଗ୍ରାଣ୍ଡସ୍ଲାମ୍‌ ଫ୍ରେଞ୍ଚ ଓପନ । ଗୁରୁବାର ଟୁର୍ଣ୍ଣାମେଣ୍ଟର ଡ୍ର’ ଘୋଷଣା ହୋଇଛି । ୨୪ଟି ଗ୍ରାଣ୍ଡସ୍ଲାମ୍‌ ଜିତି  ସାରିଥିବା ନୋଭାକ ଜୋକୋଭିକ୍‌  ସେମି ଫାଇନାଲ୍‌ରେ ଟପ୍‌ ସିଡ୍‌  ଜାନିକ ସିନରଙ୍କୁ ଭେଟିବାର ଯଥେଷ୍ଟ  ସମ୍ଭାବନା ରହିଛି । ସେହିପରି ଡିଫେଣ୍ଡିଂ  ଚାମ୍ପିଅନ୍‌ କାର୍ଲୋସ ଅଲକାରାଜ କ୍ୱାର୍ଟର  ଫାଇନାଲ୍‌ରେ ଅସଲ ଲଢ଼େଇର  ସମ୍ମୁଖୀନ ହୋଇ ପାରନ୍ତି । ସେ  ରାଉଣ୍ଡ-୮ରେ ସପ୍ତମ ସିଡ୍‌ କାସ୍ପର  ରୁଡ୍‌ଙ୍କୁ ଭେଟିବା ଆଶା କରାଯାଉଛି ।  ସିନର ୩ମାସ ଡୋପ ବାସନ୍ଦ ପରେ କୋର୍ଟକୁ ଓହ୍ଲାଇବେ । 

ଚଳିତ ବର୍ଷ ମଣ୍ଟେକାର୍ଲୋ  ମାଷ୍ଟର୍ସ ଓ ରୋମ ମାଷ୍ଟର୍ସ ଜିତି  ସାରିଥିବା ଅଲ୍‌କାରାଜ ପ୍ରଥମ  ରାଉଣ୍ଡ୍‌ରେ ଜାପାନର କି ନିଶିକୋରିଙ୍କୁ ଭେଟିବେ। ସେହିପରି ଫର୍ମ  ହରାଇଥିବା ମହିଳା ସିଙ୍ଗଲ୍ସ ଡିଫେଣ୍ଡିଂ  ଚାମ୍ପିଅନ୍‌ ଇଗା ସ୍ୱିଟେକ ପ୍ରଥମ  ରାଉଣ୍ଡ୍‌ରେ ସ୍ଲୋଭାକିଆର ରେବେକା ସ୍ରମକୋଭାଙ୍କୁ ଭେଟିବେ ।  

ସିନର ପ୍ରଥମ ରାଉଣ୍ଡ୍‌ରେ  ଆର୍ଥର ରିଣ୍ଡରନେଚଙ୍କୁ ସାମ୍ନା  କରିବେ । ଜୋକୋଭିକ୍‌ ପ୍ରଥମ  ରାଉଣ୍ଡ୍‌ରେ ଆମେରିକାର ମାକେଞ୍ଜି  ମ୍ୟାକଡୋନାଲ୍ଡଙ୍କୁ ଭେଟୁଥିବାବେଳେ  ଗତ ବର୍ଷର ରନର୍ସ ଅପ୍‌ ଆଲେକଜାଣ୍ଡର ଭେରେଭ ଆମେରିକାର ଲର୍ନର ଟିନଙ୍କୁ ସାମ୍ନା  କରିବେ । କ୍ୱାର୍ଟର ଫାଇନାଲ୍‌ରେ  ଭେରେଭ ଓ ଜୋକୋଭିକ ସାମ୍ନାସାମ୍ନି  ହେବା ଏକ ପ୍ରକାର ନିଶ୍ଚିତ  ଜଣାପଡ଼ୁଛି । ଅଲକାରାଜ ରାଉଣ୍ଡ-୧୬ରେ ଷ୍ଟିଫାନସ ସିସିପାସ୍‌ କିମ୍ବା  ବେନ ସେଲଟନଙ୍କ ମଧ୍ୟରୁ ଜଣଙ୍କୁ  ଭେଟିବା ଆଶା କରାଯାଉଛି । ସିନର  କ୍ୱାର୍ଟର ଫାଇନାଲରେ ଜ୍ୟାକ୍‌ ଡ୍ରାପର  କିମ୍ବା ଆଲେକ୍ସ ଡି ମିନାଉରଙ୍କୁ  ଭେଟିବା ଏକ ପ୍ରକାର ନିଶ୍ଚିତ । 

ମହିଳା ସିଙ୍ଗଲ୍ସରେ ଟପ  ସିଡ୍‌ ଅର୍ନ୍ୟା ସାବାଲେଙ୍କା ପ୍ରଥମ  ରାଉଣ୍ଡରେ କାମିଲା ରଖିମୋଭାଙ୍କୁ  ଭେଟୁଥିବାବେଳେ ଦ୍ୱିତୀୟ ସିଡ୍‌  କେକୋ ଗୌଫ ଅଷ୍ଟ୍ରେଲିଆର  ଓଲିଭିଆ ଗାଡ଼େକିଙ୍କ ବିପକ୍ଷରେ  ଅଭିଯାନ ଆରମ୍ଭ କରିବେ । ଅଷ୍ଟମ  ସିଡ୍‌ ଓ ଅଲିମ୍ପିକ୍‌ ଚାମ୍ପିଅନ୍‌ କ୍ୱିନେନ  ଝେଙ୍ଗ ପ୍ରଥମ ରାଉଣ୍ଡ୍‌ରେ ଆନାସ୍ତାସିଆ  ପାବ୍ଲୁଚେନକୋଭାଙ୍କୁ ସାମ୍ନା କରିବେ ।  ଚତୁର୍ଥ ସିଡ୍‌ ଜସ୍ମିନ ପାଓଲିନ  ପ୍ରଥମ ରାଉଣ୍ଡ୍‌ରେ ୟୁ ୟୁଆନଙ୍କୁ,  ଷଷ୍ଠ ସିଡ୍‌ ମୀରା ଆନ୍ଦ୍ରିଭା ସ୍ପେନ୍‌ର  କ୍ରିଷ୍ଟିନା ବୁକ୍ସାଙ୍କୁ, ଦଶମ ସିଡ୍‌  ପାଓଲା ବଡ଼ୋଶା ଜାପାନର ନାଓମି  ଓସାକାଙ୍କୁ, ତୃତୀୟ ସିଡ୍‌ ଜେସିକା  ପେଗୁଲା ଫ୍ରାନ୍ସର ତୋଡୋନିଙ୍କୁ,  ସପ୍ତମ ସିଡ୍‌ ମାଡିସନ କିଜ୍‌ ଜଣେ  କ୍ୱାଲିଫାୟରଙ୍କୁ ସାମ୍ନା କରିବେ ।