ରାୟଗଡ଼ା, ୧୩/୦୯: ସାଙ୍ଗକୁ ଅତି ବିଭତ୍ସ ଭାବେ ଗଳା କାଟି ହତ୍ୟା କଲା ସାଙ୍ଗ। ଗୁଣିଗାରେଡ଼ି ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ରାୟଗଡା ଜିଲ୍ଲା ଦୋରାଗୁଡା ଥାନା ଅନ୍ତର୍ଗତ ଏ.କରଳ ଗ୍ରାମ ନିକଟରେ ଏଭଳି ହତ୍ୟାକାଣ୍ଡ ଘଟିଥିବାର ଖବର ସାମ୍ନାକୁ ଆସିଛି। ମୃତକ ହେଲେ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଳକ କାଳିଆମ୍ବ ଗ୍ରାମର ଖଗେଶ୍ବର ମାଣ୍ଡାଙ୍ଗି।
ସୂଚନା ମୁତାବକ, ଶୁକ୍ରବାର ଦୁଇ ଜଣ ସାଙ୍ଗ ଟିକିରି ବାଲିଯାତ୍ରା ଦେଖିବାକୁ ଯାଇଥିଲେ । ତେବେ ଯାତ୍ରା ଦେଖି ଅଟୋରେ ଫେରିବା ସମୟରେ ଅଭିଯୁକ୍ତ ସାଙ୍ଗ ଏ.କରଳ ଗ୍ରାମ ନିକଟ ଜଙ୍ଗଲରେ ଅଟୋ ରଖିବାକୁ କହିଥିଲା । ସେଠରେ ଖଗେଶ୍ବରଙ୍କ ଗଳାକୁ ଏକ ଧାରୁଆ ଅସ୍ତ୍ରରେ କାଟି ଦେଇ ରାସ୍ତା କଡର ଜଙ୍ଗଲରେ ଫିଙ୍ଗି ଦେଇଥିଲେ । ପରେ ଶନିବାର ସକାଳୁ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବା ପରେ ଦୋରାଗୁଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି। ହତ୍ୟା କରିଥିବା ସାଙ୍ଗକୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି।
ତେବେ ପୂର୍ବରୁ ମୃତ ଖଗେଶ୍ବର ଗୁଣିଗାରେଡି କରୁଛି ବୋଲି ସନ୍ଦେହ କରି ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଯାହାକୁ ନେଇ ଗ୍ରାମରେ ସଭା ହୋଇଥିଲା। ଅନ୍ୟପଟେ ଏହି ହତ୍ୟାକାଣ୍ଡ ପରେ ପରିବାର ଲୋକେ ନ୍ୟାୟ ଦାବି କରିଛନ୍ତି।