ସାଥିରେ ନେଲେନି ବୋଲି… ଦୁଇ ବନ୍ଧୁଙ୍କୁ ଏସିଡ୍ ମାଡ଼ କଲା ମଦ୍ୟପ ଯୁବକ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଜୁନାଗଡ଼,୨୪/୦୬: ଏକାଠି ମିଳିମିଶି ରୋଜଗାର କରିବାକୁ ଯାଉଥିଲେ ତିନି ବନ୍ଧୁ । ହେଲେ ମଦୁଆ ବନ୍ଧୁର ବ୍ୟବହାରରେ ଅତିଷ୍ଠ ହୋଇ ଅନ୍ୟ ଦୁଇ ଜଣ ତା’ଠାରୁ ଦୂରେଇ ଯାଇଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇ ଗୁରୁବାର ଦୁଇ ବନ୍ଧୁକୁ ଏସିଡ୍ ଆକ୍ରମଣ କରିଛି ମଦ୍ୟପ ଯୁବକ । ଏସିଡ୍ ମାଡ଼ରେ ୨ ଯୁବକ ଗୁରୁତର ହୋଇଥିବାବେଳେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି । ଏସିଡ୍ ଆକ୍ରମଣ ଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନାଞ୍ଚଳରେ ତୀବ୍ର ଉଦ୍ବେଗ ପ୍ରକାଶ ପାଇଛି ।
ପୁଲିସର ସୂଚନାମତେ, ଜୁନାଗଡ଼ ସହରର ଗୋତିପଡ଼ାରେ ଶାନ୍ତନୁ ବିଶି, ନୀଳାମ୍ବର ମାଝୀ ଓ ମୋହନଲାଲ ବିଶି ପୂର୍ବରୁ ସାଙ୍ଗହୋଇ କାମ କରୁଥିଲେ । ଶାନ୍ତନୁ ମଦ ପିଉଥିବା ଯୋଗୁଁ ନୀଳାମ୍ବର ଓ ମୋହନଲାଲ ତାକୁ ଆଉ ସାଥିରେ କାମକୁ ନେଉ ନଥିଲେ । ବୁଧବାର ଶାନ୍ତନୁ ଉଭୟଙ୍କୁ ରାସ୍ତାରେ ଭେଟିବା ପରେ କଳି କରିଥିଲା । ତାକୁ କାହିଁକି ସାଙ୍ଗରେ କାମକୁ ନେଉ ନାହାନ୍ତି ବୋଲି ସେମାନଙ୍କ ସହ ପାଟିତୁଣ୍ଡ କରିଥିଲା । ଧୀରେ ଧୀରେ ସ୍ଥିତି ଉଗ୍ର ରୂପ ଧାରଣ କରିଥିଲା ଏବଂ ଉତ୍କ୍ଷିପ୍ତ ହାଇ ଶାନ୍ତନୁ ଉଭୟଙ୍କୁ ଏସିଡ୍ ମାଡ଼ କରିଥିଲା ।
ହନଲାଲର ମୁହଁ, ହାତ ଓ ଗୋଡ଼ରେ ଏସିଡ୍ ପଡ଼ି ପୋଡ଼ି ଯାଇଥିବାବେଳେ ନୀଳାମ୍ବରର ପିଠିରେ ଓ ହାତରେ ଏସିଡ୍ ମାଡ଼ କ୍ଷତାକ୍ତ ହୋଇଛନ୍ତି । ପ୍ରାଥମିକ ଚିକିତ୍ସା ପରେ ଉଭୟେ ଜୁନାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଏସ୍ଆଇ ସାନୁ ଖାଲକା ମାମଲା ରୁଜୁ ଘଟଣାର ତଦନ୍ତ କରିଥିଲେ । ପରେ ଅଭିଯୁକ୍ତ ଶାନ୍ତନୁ ବିଶିଙ୍କୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।