ନୂଆଦିଲ୍ଲୀ,୩୦/୦୬; ଭାରତରେ କ୍ରୀଡ଼ାପ୍ରେମୀ କ୍ରିକେଟ୍କୁ ଅଧିକ ଭଲ ପାଆନ୍ତି ସତ ମାତ୍ର ଫିଫା ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ, ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ଫୁଟବଲ ପ୍ରିୟ ଦେଶ । ସମସ୍ତ ସୁବିଧା ସୁଯୋଗ ଜାତୀୟ ଫୁଟବଲ ଦଳକୁ ଯୋଗାଇ ଦିଆଯାଉଛି । ତଥାପି ଫୁଟବଲରେ ଉପରକୁ ଉଠି ପାରୁନି ଦଳ । କିନ୍ତୁ ଭାରତର ଜନସଂଖ୍ୟା ଓ ଆକାର ଦୃଷ୍ଟିରୁ ବହୁ କ୍ଷୁଦ୍ର ଦେଶ ଇରାନ, ଇରାକ, ଜୋର୍ଡାନ, କତାର ଓ ଉଜବେକିସ୍ତାନ ଭଳି ଦେଶ ଏଥର ବିଶ୍ୱକପ୍ ଖେଳୁଛନ୍ତି । ଆଉ ଏହା ପଛରେ ରହିଛି ପ୍ରତ୍ୟେକ ଦଳର ପ୍ରତିଟି ଖେଳାଳିଙ୍କର କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛା ଶକ୍ତି । କେବଳ ଏତିକି ନୁହେଁ, ଯୁଦ୍ଧ ବିଭୀଷିକା ମଧ୍ୟରୁ ବାହାରି, ପରିବାର ଲୋକଙ୍କୁ ହରାଇ ସେମାନେ ବିଚଳିତ ହୋଇ ପଡ଼ି ନାହାନ୍ତି ବରଂ ଜୀବନର ଲକ୍ଷ୍ୟ ପଥରେ ପହଞ୍ଚିବା ପାଇଁ ଅହରହ ସଂଘର୍ଷ କରିଛନ୍ତି । ଶେଷରେ ସଫଳ ମଧ୍ୟ ହୋଇଛନ୍ତି । ସେଭଳି ଜଣେ ପ୍ରତିଭା ହେଉଛନ୍ତି ଇରାକର ଷ୍ଟ୍ରାଇକର ଆୟମେନ ହୁସେନ ।
ଆଇଏସ୍ଆଇଏସ୍ ଅଧିକୃତ ଅଞ୍ଚଳରେ ଜନ୍ମ ବିଶ୍ୱର ସବୁଠୁ ଦୁର୍ଦ୍ଧର୍ଷ ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସ୍ ଅଧିକୃତ ଅଞ୍ଚଳରେ (ଇରାକର ହିରକୁକ ରାଜ୍ୟର ହାୱିଜା ଜିଲ୍ଲାର ଅଲ-ସାଫ୍ରାରେ) ୧୯୯୬ ମସିହା ମାର୍ଚ୍ଚ ୨୨ ତାରିଖରେ ହୁସେନ ଜନ୍ମ ହୋଇଥିଲେ । ଯେଉଁ ଅଞ୍ଚଳରେ ସବୁବେଳେ ଫୁଟୁଥିଲା ଗୁଳି ଓ ବୋମାର ବର୍ଷା ହେଉଥିଲା । କାର ବୋମା, ଆତ୍ମଘାତୀ ବିସ୍ଫୋରଣ ଓ ଆଇଇଡି ବିସ୍ଫୋରଣ ନିତି ଦିନିଆ ଘଟଣା ଥିଲା । ତା’ରି ଭିତରେ ବଢ଼ୁଥିଲା ଜୀବନ, କିଛି ନୂଆ ଆଶା ନେଇ । ହୁସେନଙ୍କ ଖେଳ ପ୍ରତି ପ୍ରବଳ ଆଗ୍ରହ ଥିଲା । ଖେଳ କହିଲେ ଫୁଟବଲ । କାରଣ ଅନ୍ୟ କିଛି ଖେଳିବାର ସୁଯୋଗ ନଥିଲା । ଗୋଟେ ବଲ ହେଲେ ୨୦/୨୫ ପିଲା ଖେଳୁଥିଲେ, ପଡ଼ିଆ ସାରା ଦୌଡ଼ୁଥିଲେ । ହୁସେନଙ୍କ ବାପା ଥିଲେ ଇରାକୀ ସେନାର ଜଣେ ଅଧିକାରୀ । ୨୦୦୮ରେ ଅଲ-କାଏଦାଙ୍କ ଗୁଳିରେ ସେ ଟଳି ପଡ଼ିଲେ । ସେମିତି ଆଇଏସ୍ଆଇଏସ୍ମାନେ ହୁସେନଙ୍କ ଭାଇଙ୍କୁ ଅପହରଣ କରି ନେଲେ । ଏ ପର୍ଯ୍ୟନ୍ତ ଭାଇର ପତ୍ତା ମିଳୁନି । ସେ ଜୀବିତ ଅଛି ନା ମୃତ । ଏମିତି ବହୁ ବାଧାବିଘ୍ନ ସହି ହୁସେନ ଆଗକୁ ବଢ଼ିଥିଲେ ଏବଂ ଫୁଟବଲକୁ କ୍ୟାରିୟର କରିବାର ନିଷ୍ପତ୍ତି ନେଇଥିଲେ । ୨୦୦୯ରେ ଅଲ-ଆଲାମ କ୍ଲବରୁ ତାଙ୍କର ଯୁବ କ୍ୟାରିୟର ଆରମ୍ଭ ହୋଇଥିଲା । ଏହି କ୍ଲବରେ ଦୁଇ ବର୍ଷ ବିତାଇବା ପରେ ଆଉ ୨ଟି କ୍ଲବ ପକ୍ଷରୁ ଖେଳିଥିଲେ ସେ । ଶେଷରେ ହୁସେନ ୨୦୧୩ରେ ସିନିୟର କ୍ଲବ୍ ଡୁହୋକରେ ସାମିଲ ହେଲେ, ତା’ ପରେ ସେ ଆଉ ପଛକୁ ଫେରି ନାହାନ୍ତି ।
୨୦୧୫ରେ ଅନ୍ତର୍ଜାତୀୟ ପଦାର୍ପଣ- କ୍ଲବ ଫୁଟବଲରେ ଉନ୍ନତ ପ୍ରଦର୍ଶନ କରିବା ପରେ ଶେଷରେ ହୁସେନଙ୍କୁ ଅର୍ନ୍ତଜାତୀୟ ପଦାର୍ପଣର ସୁଯୋଗ ମିଳିଥିଲା । ଧୀରେ ଧୀରେ ସେ ନିଜ ଲକ୍ଷ୍ୟ ପଛରେ ଦୌଡ଼ୁଥିଲେ । ପ୍ରଥମେ ତାଙ୍କୁ ୨୩ ବର୍ଷରୁ କମ୍ ଇରାକ ଦଳରେ ୨୦୧୫ରେ ସୁଯୋଗ ମିଳିଲା । କତାର ବିପକ୍ଷରେ ବିଜୟୀ ଗୋଲ୍ ସ୍କୋର କରି ଚର୍ଚ୍ଚାକୁ ଆସିଲେ । ଏହାପରେ ସେହି ବର୍ଷ ସିନିୟର ଦଳରେ ତାଙ୍କୁ ସୁଯୋଗ ମିଳିଲା । ଏ ପର୍ଯ୍ୟନ୍ତ ସେ ୯୭ଟି ମ୍ୟାଚ ଖେଳି ୩୪ଟି ଗୋଲ୍ ଦେବାରେ ସଫଳ ହୋଇଛନ୍ତି ।
ବିଶ୍ୱକପ୍ ଯୋଗ୍ୟତା ଇରାକ ୧୯୮୬ ମସିହାରେ ପ୍ରଥମ ଥର ବିଶ୍ୱକପ୍ ଖେଳିଥିଲା ଏବଂ ଗ୍ରୁପ୍ ପର୍ଯ୍ୟାୟରୁ ବିଦାୟ ନେଇଥିଲା । ଦୀର୍ଘ ୪୦ ବର୍ଷ ପରେ ଦଳ ୨୦୨୬ ସଂସ୍କରଣକୁ ଯୋଗ୍ୟତା ହାସଲ କରିବାରେ ସଫଳ ହୋଇଥିଲା । ଦଳକୁ ବିଶ୍ୱକପ୍ରେ ପଞ୍ଚାଇବାରେ ସାଥୀ ଖେଳାଳିଙ୍କ ସହ ହୁସେନଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ଇରାକ ଯୋଗ୍ୟତା ହାସଲ କରିବା ପରେ ହୁସେନଙ୍କ ଅଧା ସ୍ୱପ୍ନ ପୂରଣ ହୋଇ ଯାଇଥିଲା । କାରଣ ଜୀବନରେ ସେ ଯେଉଁ ସ୍ୱପ୍ନ ଦେଖିଥିଲେ, ତାହାର ଅତି ନିକଟତର ହୋଇଯାଇଥିଲେ ସେ ।
ବିଶ୍ୱକପରେ ପଦାର୍ପଣ ଇରାକ ଏଥର ବିଶ୍ୱକପ୍ରେ ଗ୍ରୁପ୍-ଆଇ’ରେ ଫ୍ରାନ୍ସ, ନରୱେ, ସେନେଗାଲ ସହ ସାମିଲ ରହିଥିଲା । ଜୁନ ୧୬ ତାରିଖରେ ଇରାକ ବିଶ୍ୱକପ୍ର ପ୍ରଥମ ମ୍ୟାଚ ନରୱେ ସହ ଖେଳିଥିଲା । ନରୱେ ଚମତ୍କାର ପ୍ରଦର୍ଶନ କଲା ଏବଂ ୪-୧ ଗୋଲରେ ବିଜୟୀ ହେଲା । ଇରାକ ପରାଜିତ ହୋଇଥିଲେ ବି ଦୀର୍ଘ ୪୦ ବର୍ଷ ପରେ ବିଶ୍ୱକପ୍ ମଇଦାନରେ ପ୍ରଥମ ମ୍ୟାଚ ଖେଳି ଗୋଲ ଖାତା ଖୋଲିବାରେ ସଫଳ ହେଲା । ଆଉ ଏହି ଐତିହାସିକ ଗୋଲ୍ ଦେଇଥିଲେ ହୁସେନ । ଏହି ଗୋଲ ଦେବା କ୍ଷଣି ଆତ୍ମବିଭୋର ହୋଇଯାଇଥିଲେ ସେ । ପରେ ଫ୍ରାନ୍ସ ଠାରୁ ୩-୨ରେ ଏବଂ ସେନେଗାଲ ଠାରୁ ୫-୦ ଗୋଲରେ ପରାଜିତ ହୋଇ ଇରାକ ବିଶ୍ୱକପ୍ରୁ ବିଦାୟ ନେଇଥିଲା ।
ମାଆଙ୍କ ପାଇଁ ଖେଳୁଛି- ନରୱେ ବିପକ୍ଷରେ ଗୋଲ ଦେବା ପରେ ହୁସେନ କହିଥିଲେ, ‘ ପରିବାର ପାଇଁ ଖେଳ ଛାଡ଼ି ଦେବାକୁ ନିଷ୍ପତ୍ତି ନେଇଥିଲି । କିନ୍ତୁ ମୋ ମାଆ ମୋତେ ବାରଣ କରିଥିଲେ । ମୋ ସ୍ୱପ୍ନ ସାକାର କରିବାରେ ତାଙ୍କ ଭୂମିକା ରହିଛି । ତେଣୁ ଏହି ଗୋଲ ମୋ ଆମାଙ୍କୁ ଉତ୍ସର୍ଗ କରୁଛି ।’ ଇରାକ ଦଳ ଯେତେବେଳେ ବିଶ୍ୱକପ୍ ଖେଳିବା ପାଇଁ ଚିକାଗୋ ବିମାନବନ୍ଦରରେ ଅବତରଣ କରିଥିଲା, ହୁସେନଙ୍କୁ ସେଠାରେ ଦୀର୍ଘ ୭ ଘଣ୍ଟା କାଳ ଅଟକ ରଖାଯାଇଥିଲା । ସୁରକ୍ଷା ଅଧିକାରୀମାନେ ବିଭିନ୍ନ ପ୍ରଶ୍ନ ବାଣରେ ତାଙ୍କୁ ନୟାନ୍ତ କରିଥିଲେ । ଘୋର ମାନସିକ ଚାପର ଶିକାର ହୋଇଥିଲେ ସେ । କିନ୍ତୁ ଏହା ସତ୍ତେ୍ୱ ବି ସେ ନିଜକୁ ପ୍ରସ୍ତୁତ କରିଥିଲେ ଏବଂ ନରୱେ ବିପକ୍ଷରେ ଗୋଲ ଦେବାରେ ସଫଳ ହୋଇଥିଲେ ।
ଏହା ବି ପଢନ୍ତୁ...Asian Games 2026: ଏସିଆନ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା; ୨ ପରିବର୍ତ୍ତନ, ହରମନଙ୍କ କାନ୍ଧରେ ଗୋଲ୍ଡ ରକ୍ଷା ଦାୟିତ୍ୱ