ମାଲକାନଗିରି,୨୧/୨(ରତ୍ନାକରଦାଶ) : ପାରମ୍ପରିକ କଳା ସଂସ୍କୃତିକୁ ବଞ୍ଚାଇ ରଖିଛନ୍ତି ଆଦିବାସୀ ମହିଳା । ଖାଲି ବଞ୍ଚାଇ ରଖିନାହାନ୍ତି ରୋଜଗାର ମଧ୍ୟ ଦେଉଛନ୍ତି । ବାପା ଆରମ୍ଭ କରିଥିଲେ, ଝିଅ ଏବେ ଆଗକୁ ନେଉଛନ୍ତି । ଆଦିବାସୀ ଗାଁର ନାଚ ଗୀତକୁ ବଞ୍ଚାଇ ରଖିଛନ୍ତି । କୋୟାସିଙ୍ଗ ନୃତ୍ୟ ଦଳ ଗଢି ରାଜ୍ୟ ଓ ଜାତୀୟସ୍ତରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ଆଦିବାସୀ ମହିଳା ଶାନ୍ତି କବାସୀ ।
ମାଲକାନଗିରି ଜିଲ୍ଲା ମାଟାପେକା ପଞ୍ଚାୟତସ୍ଥ କୋୟାଗିରି ଗାଁର ଗଙ୍ଗାଧର ଓ ତାଙ୍କ ପତ୍ନୀ ଭୀମେ କବାସୀ । କୋୟା ଆଦିବାସୀ ସମ୍ପ୍ରଦାୟର ଦମ୍ପତ୍ତି । ସେମାନେ ଚାଷ କରିବା ସହ କୋୟା ଆଦିବାସୀଙ୍କ ପାରମ୍ପରିକ କଳା ସଂସ୍କୃତିକୁ ଲୋକଲୋଚନକୁ ଆଣିବାକୁ କୋୟା ନୃତ୍ୟ ଦଳ ଟିଏ ଗଠନ କରି ବିଭିନ୍ନ ପର୍ବ ପର୍ବାଣିରେ ନୃତ୍ୟ କରିଥାନ୍ତି । ବାପା ମା’ଙ୍କ ନୃତ୍ୟ ଦଳ ସାଙ୍ଗରେ ଯାଇ ଝିଅ ଶାନ୍ତି ମଧ୍ୟ ନୃତ୍ୟର କଳାକୁ ଶିଖି ଯାଇଥିଲେ । ଝିଅକୁ ପାଠ ପଢ଼ାଇ ବଡ଼ ମଣିଷ କରିବା ପାଇଁ ଗଙ୍ଗାଧରଙ୍କ ଅନେକ ସ୍ୱପ୍ନ ଥିଲା । ଶାନ୍ତି ମଧ୍ୟ ଭଲ ପାଠ ପଢୁଥିଲେ, ହେଲେ ଦଇବ ସହିଲା ନାହିଁ । ରୋଗରେ ପଡ଼ି ଗଙ୍ଗାଧରଙ୍କର ମୃତ୍ୟୁ ଘଟିଥିଲା । ଶାନ୍ତିଙ୍କୁ ସେତେବେଳେ ମାତ୍ର ୧୫ବର୍ଷ ବୟସ । ସେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲେ । ବାପାଙ୍କ ମୃତ୍ୟୁ ପରେ ମା’ଙ୍କୁ କାମରେ ସାହାଯ୍ୟ କରିଥିଲେ ଶାନ୍ତି । ତା’ପରେ ତାଙ୍କର ପାଠପଢାରେ ଡୋରି ବନ୍ଧା ହୋଇଗଲା । ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବା ଓ ତାଙ୍କର ପାରମ୍ପରିକ କୋୟାସିଙ୍ଗ ନ୍ୟତ୍ୟକୁ ଦେଶ ବିଦେଶରେ ପରିଚିତ କରିବା ପାଇଁ ମା’ଙ୍କ ସହ ଅଣ୍ଟା ଭିଡ଼ିଥିଲେ ଶାନ୍ତି ।
ଗାଁର ୨୦ଜଣ ଗରିବ କୋୟା ଆଦିବାସୀ ମହିଳା ଓ ୧୦ଜଣ ପୁରୁଷଙ୍କୁ ନେଇ ୧୫ଜଣ ଲେଖା ଦୁଇଟି କୋୟା ନୃତ୍ୟ ଦଳ ଗଠନ କଲେ । ୫ଜଣ ପୁରୁଷ ମୁଣ୍ଡରେ କଉଡ଼ି ମାଳରେ ସଜିତ ହୋଇଥିବା ଗୟଳ ସିଙ୍ଗର ମୁକୁଟ (କାଟା )ପିନ୍ଧି ଢୋଲ, ମର୍ଦଳ,(ଡେଗା)ବଜାଇଥାନ୍ତି । ୧୦ଜଣ ମହିଳା ବିଭିନ୍ନ ଅଳଙ୍କାର ପରିଧାନ କରି ମୁଣ୍ଡରେ ପିତଳ ଓ ତମ୍ଭା ପାତର ମୁକୁଟ ପିନ୍ଧି ହାତରେ ଲୁହା ଝୁମୁକା ଲଗାଇ ଚିମୁଠା(ଗୁଜୁଡ଼ି) ଧରି କୋୟା ଭାଷାରେ ଗୀତ ଗାଇ ନାଚିଥାନ୍ତି। ଏହି ନୃତ୍ୟ ଦଳ ପ୍ରଥମେ ଗାଁ, ପରେ ଜିଲ୍ଲା ତା’ପରେ ରାଜ୍ୟସ୍ତରୀୟ ଏବଂ ଜାତୀୟସ୍ତରୀୟ ଏବେ ନିଜର କଳା ପ୍ରଦର୍ଶନ କରୁଛନ୍ତି । ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇ ସୁନାମ ଅର୍ଜନ କରି ପୁରସ୍କୃତ ହେବା ସହ ଶତାଧିକ ପ୍ରଶଂସା ପତ୍ର ପାଇଛନ୍ତି। ଗତ ୨୦୦୨ମସିହାରେ ଗାଁର ଏକ ମାତ୍ର ଶିକ୍ଷିତ ଝିଅ ଶାନ୍ତି ଥିବାରୁ ତାଙ୍କୁ ଗ୍ରାମବାସୀ ସରପଞ୍ଚ ପ୍ରାର୍ଥୀ କଲେ । ଶାନ୍ତି ମଧ୍ୟ ସରପଞ୍ଚ ଭାବେ ନିର୍ବାଚିତ ହୋଇଗଲେ। ସେତେବେଳେକୁ ତାଙ୍କୁ ମାତ୍ର ୨୫ବର୍ଷ ହୋଇଥିଲା । ସେ ପଞ୍ଚାୟତର ଭଲ ମନ୍ଦ ବୁଝିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପ୍ରତି ଗୁରୁତ୍ୱ ଦେଇ କାମ କରୁଥିଲେ । ହେଲେ ପାରମ୍ପରିକ କୋୟା ନୃତ୍ୟକୁ ଭୁଲି ନ ଥିଲେ । ସେ ଗତ ୨୦୦୩ମସିହାରେ ଫୁଲ ଦମରେ କୋୟା ନୃତ୍ୟ ଦଳକୁ ରାଜ୍ୟ ଓ ଜାତୀୟସ୍ତରରେ ପରିଚିତ କରି ସେ ସରପଞ୍ଚ ହୋଇଥିଲେ ବି ନିଜେ ବିଭିନ୍ନ ମଞ୍ଚରେ ନୃତ୍ୟ ଦଳ ସହିତ ନାଚ ସହ ଢୋଲ ବଜାଇ ବେଶ ସୁନାମ ଅର୍ଜନ କଲେ ।
ପରେ ୨୦୧୧ମସିହାରେ ମାଲକାନଗିରି ଜିଲ୍ଲା ସଦର ମହାକୁମାର ସନ୍ତୋଷ କୁମାର ଜେନା ନାମକ ଜଣେ ସମାଜ ସେବୀଙ୍କୁ ବିବାହ କରିଥିଲେ । ବିବାହିତ ହୋଇଥିଲେ ମଧ୍ୟ କଳା ସଂସ୍କୃତିକୁ ଭୁଲି ନାହାନ୍ତି । ପୂର୍ବ ପରି ନୃତ୍ୟ ଦଳ ସହ ସାମିଲ ହୋଇ ଏବେ ବି ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ କରୁଛନ୍ତି। ଜିଲ୍ଲା ଭିତରେ କାର୍ଯ୍ୟକ୍ରମ କଲେ ୫ ରୁ ୧୦ହଜାର, ରାଜ୍ୟସ୍ତରରେ ପ୍ରୋଗ୍ରାମ କଲେ ୨୫ରୁ ୩୦ହଜାର ଓ ରାଜ୍ୟ ବାହାରେ ପ୍ରୋଗ୍ରାମ ହେଲେ ଏହି ଟ୍ରୁପକୁ ପ୍ରାୟ ୭୦ରୁ ୮୦ ହଜାର ଟଙ୍କା ମିଳିଥାଏ । ଏହି ଟଙ୍କାକୁ ନୃତ୍ୟ ଦଳରେ ଭାଗ ନେଇଥିବା ୧୫ଜଣଙ୍କ ମଧ୍ୟରେ ସମାନ ଭାବେ ବାଣ୍ଟି ଦିଆଯାଇଥାଏ ବୋଲି ଶାନ୍ତି କୁହନ୍ତି । ତାଙ୍କୁ ଏଥିରେ ସ୍ୱାମୀ ସନ୍ତୋଷ ମଧ୍ୟ ସହଯୋଗ କରିଥାନ୍ତି । କୋୟାସିଙ୍ଗ ନୃତ୍ୟକୁ ବଞ୍ଚାଇ ରଖି ଦେଶ ବିଦେଶରେ ପରିଚିତ କରିବା ପାଇଁ ଉଦ୍ୟମ ଜାରି ରଖିଥିବା ଗରିବ କୋୟା ଆଦିବାସୀ ମହିଳା ଶାନ୍ତିଙ୍କ ପ୍ରଚେଷ୍ଟାକୁ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ ଜିଲ୍ଲାବାସୀ ଦାବି କରିଛନ୍ତି ।