ନୂଆଦିଲ୍ଲୀ: ରାଜସ୍ଥାନର ସିକରରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଜିଲ୍ଲାର ଲକ୍ଷ୍ମଣ ଗଡ ଅଞ୍ଚଳରେ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଘରୋଇ ବସ୍ ଲକ୍ଷ୍ମଣ ଗଡ ପୋଲ ଉପରେ ନିୟନ୍ତ୍ରଣ ହରାଇଥିଲା । ଦେଖୁ ଦେଖୁ ବସ୍ଟି ପୋଲର ଦୁଇ କାନ୍ଥକୁ ଧକ୍କା ଦେଇଥିଲା। କୁହାଯାଉଛି ଯେ, ବସ୍ରେ ପାଖାପାଖି ପ୍ରାୟ ୪୦ ଲୋକ ବସିଥିଲେ। ଦୁର୍ଘଟଣା ପରେ ବସ୍ରେ ବସିଥିବା ଯାତ୍ରୀମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ତୁରନ୍ତ ପୋଲିସକୁ ଏ ସମ୍ପର୍କରେ ଅବଗତ କରାଇ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
ସୂଚନା ପାଇବା ପରେ ସିକର ସିଟି ଡିଏସପି ଏବଂ ଏଡିଏମ୍ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ଅନୁସନ୍ଧାନ ଆରମ୍ଭ କରିଥିଲେ। ସିକର ଏସପିଙ୍କ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି । ୨୦ ରୁ ଅଧିକ ଲୋକ ମଧ୍ୟ ଆହତ ହୋଇଛନ୍ତି। ସେ କହିଛନ୍ତି ଯେ ବସ୍ରେ ୪୦ ରୁ ଅଧିକ ଲୋକ ଯାତ୍ରା କରୁଥିଲେ।