ନୂଆଦିଲ୍ଲୀ,୧୦/୦୧: ଜାନୁଆରୀ ୧୨ ତାରିଖରେ ୱାଶିଂଟନରେ ଅନୁଷ୍ଠିତ ହେବାକୁ ଥିବା ଜି-୭ ଅର୍ଥମନ୍ତ୍ରୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବା ପାଇଁ ଆମେରିକା ଭାରତକୁ ନିମନ୍ତ୍ରଣ କରିଛି। ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ଯୋଗାଣ ସୁରକ୍ଷିତ କରିବା ଉପରେ ଗୁରୁତ୍ୱାରୋପ କରାଯିବ। ତେବେ ଏହି ନିମନ୍ତ୍ରଣକୁ ଭାରତ ଗ୍ରହଣ କରିଛି କି ନାହିଁ, ତାହା ନିଶ୍ଚିତ ହୋଇନାହିଁ ବୋଲି କହିଛନ୍ତି ଆମେରିକାର ଅର୍ଥ ସଚିବ ସ୍କଟ୍ ବେସେଣ୍ଟ। ପାଶ୍ଚାତ୍ୟ ଦେଶମାନେ ଚୀନ୍ ଉପରେ ସେମାନଙ୍କର ନିର୍ଭରଶୀଳତା ହ୍ରାସ କରିବାକୁ ଚେଷ୍ଟା କରୁଥିବା ସମୟରେ ଏପରି ଏକ ବୈଠକ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।
ଜି-୭ ଦେଶମାନଙ୍କ ମଧ୍ୟରେ ଯୁକ୍ତରାଷ୍ଟ୍ର, ବ୍ରିଟେନ, ଜାପାନ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ ଏବଂ କାନାଡା ଅନ୍ତର୍ଭୁକ୍ତ। ୟୁରୋପୀୟ ସଂଘ ମଧ୍ୟ ଏହାର ଏକ ଅଂଶ। ଏହି ସମସ୍ତ ଦେଶ ଅନେକ ଅତ୍ୟାବଶ୍ୟକୀୟ ଖଣିଜ ପଦାର୍ଥ ପାଇଁ ଚୀନ୍ ଉପରେ ଅତ୍ୟଧିକ ନିର୍ଭରଶୀଳ। ଏହି ଖଣିଜ ପଦାର୍ଥଗୁଡ଼ିକ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା, ଅର୍ଦ୍ଧପରିବାହୀ, ନବୀକରଣଯୋଗ୍ୟ ଶକ୍ତି ପ୍ରଣାଳୀ, ବ୍ୟାଟେରୀ ଏବଂ ଶିଳ୍ପ ବିଶୋଧନ ଭଳି ଆଧୁନିକ ଶିଳ୍ପରେ ବହୁଳ ଭାବରେ ବ୍ୟବହୃତ ହୁଏ।
ସ୍କଟ୍ ବେସେଣ୍ଟ କହିଛନ୍ତି ଯେ ଗତ ଗ୍ରୀଷ୍ମ ଋତୁରେ ଜି-୭ନେତାମାନଙ୍କ ବୈଠକ ପରଠାରୁ ସେ ନିର୍ଦ୍ଦିଷ୍ଟ ଖଣିଜ ପଦାର୍ଥ ଉପରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ପାଇଁ ଚାପ ପକାଇ ଆସୁଛନ୍ତି। ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଡିସେମ୍ବରରେ ଅର୍ଥମନ୍ତ୍ରୀମାନେ ଏହି ବିଷୟ ଉପରେ ଏକ ଭର୍ଚୁଆଲ୍ ବୈଠକ କରିଥିଲେ। ଚୀନ୍ ବର୍ତ୍ତମାନ ବିଶ୍ୱରେ ପ୍ରମୁଖ ଖଣିଜ ପଦାର୍ଥ ଯୋଗାଣ ଶୃଙ୍ଖଳାରେ ପ୍ରାଧାନ୍ୟ ବିସ୍ତାର କରୁଛି। ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସିରୁ ମିଳିଥିବା ତଥ୍ୟ ଅନୁଯାୟୀ, ଚୀନ୍ ତମ୍ବା, ଲିଥିୟମ୍, କୋବାଲ୍ଟ, ଗ୍ରାଫାଇଟ୍ ଏବଂ ବିରଳ ଖଣିଜ ପଦାର୍ଥ ଭଳି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ୪୭% ରୁ ୮୭% ମଧ୍ୟରେ ବିଶୋଧନ କରେ। ସାମ୍ପ୍ରତିକ ବର୍ଷଗୁଡ଼ିକରେ, ପାଶ୍ଚାତ୍ୟ ଦେଶମାନେ ଚୀନ୍ ଉପରେ ନିର୍ଭରଶୀଳତା ହ୍ରାସ କରିବା ଏବଂ ଯୋଗାଣର ଅନ୍ୟାନ୍ୟ ଉତ୍ସ ଖୋଜିବା ପାଇଁ ପ୍ରୟାସ ବୃଦ୍ଧି କରିଛନ୍ତି। ବିରଳ ଖଣିଜ ଏବଂ ସମ୍ପର୍କିତ ଉତ୍ପାଦ ଉପରେ ଚୀନ୍ ରପ୍ତାନି ନିୟନ୍ତ୍ରଣକୁ କଡ଼ାକଡ଼ି କରିବା ଦ୍ୱାରା ଏହି ଚିନ୍ତା ଆହୁରି ବଢ଼ିଯାଇଛି।
ଯୋଗାଣ ଶୃଙ୍ଖଳକୁ ମଜବୁତ କରିବା ଉପରେ ଫୋକସ୍:
ଏହି ବୈଠକ ଏମିତି ଏକ ସମୟ ମଧ୍ୟରେ ହେବାକୁ ଯାଉଛି ଯେତେବଳେ ଚୀନ୍, ଜାପାନୀ କମ୍ପାନୀଗୁଡ଼ିକୁ ବିରଳ ଖଣିଜ ଏବଂ ଉଚ୍ଚ-ଶକ୍ତିଶାଳୀ ଚୁମ୍ବକ ରପ୍ତାନି ଉପରେ ରୋକ ଲଗାଇବା ସହିତ ଜାପାନୀ ସେନାକୁ କିଛି ସାମଗ୍ରୀ ପଠାଇବା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଥିଲା। ଏହା ସତ୍ତ୍ୱେ, ବେସେଣ୍ଟ କହିଛନ୍ତି ଯେ ଚୀନ୍ ଆମେରିକାରୁ ସୋୟାବିନ୍ କିଣିବା ଏବଂ ଆମେରିକୀୟ କମ୍ପାନୀଗୁଡ଼ିକୁ ପ୍ରମୁଖ ଖଣିଜ ପଦାର୍ଥ ଯୋଗାଣ ପାଇଁ ତାର ପ୍ରତିଶ୍ରୁତି ପୂରଣ କରୁଛି। ଜୁନ୍ ମାସରେ ଏକ ବୈଠକରେ, ଜି-୭ ନେତାମାନେ ଯୋଗାଣ ଶୃଙ୍ଖଳକୁ ସୁଦୃଢ଼ କରିବା ଏବଂ ଆର୍ଥିକ ସ୍ଥିରତା ବୃଦ୍ଧି କରିବା ପାଇଁ ଏକ କାର୍ଯ୍ୟ ଯୋଜନା ଉପରେ ସହମତ ହୋଇଥିଲେ। ତେବେ ଆଗାମୀ ବୈଠକରେ ତମାମ ପ୍ରସଙ୍ଗ ଉପରେ କି ପଦକ୍ଷେପ ଗ୍ରହଣ କରାଯାଉଛି, ଦେଖିବାକୁ ବାକି ରହିଲା।
ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: ମନଇଛା ପିଟିଲେ, ଶେଷରେ ବିଷ ପିଆଇଦେଲେ; ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା...