ବାଲିଗୁଡ଼ା,୨୦/୫: କନ୍ଧମାଳରେ ଲଜ୍ଜା ଜନକ ଘଟଣା। ଗଣଦୁଷ୍କର୍ମ ଅଭିଯୋଗରେ ବାଲିଗୁଡ଼ା ପୁଲିସ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଉଗ୍ରସେନ ନାୟକ, ସତ୍ୟବ୍ରତ ନାୟକ ଓ ବିଜୁ ନାୟକ । ଏନେଇ ସୋମବାର ବାଲିଗୁଡ଼ା ଥାନା ପୁଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଏସ୍ଡିପିଓ ରମେନ୍ଦ୍ର ପ୍ରସାଦ।
ସୂଚନା ମୁତାବକ, ବାଲିଗୁଡ଼ା ଥାନାର ବାରଖମା ଫାଣ୍ଡି ଅଞ୍ଚଳର ଜଣେ ଝିଅ ୧୧ ତାରିଖରେ ବାଲିଗୁଡ଼ା ପାର୍କକୁ ବୁଲିବାକୁ ଯାଇଥିଲେ । ଫେରିବା ସମୟରେ ଜଣେ ଅଟୋ ଡ୍ରାଇଭର ତାଙ୍କୁ ଛାଡ଼ିଦେବାକୁ କହି ବାଲିଗୁଡ଼ା ଅଞ୍ଚଳରେ ଗୋଟିଏ ଭଡ଼ାଘରକୁ ଜୋର ଜବରଦସ୍ତି ନେଇ ଯାଇଥିଲେ । ପରେ ସେଠାରେ ୬ ଦିନ ରଖି ଦୁଇ ସହଯୋଗୀଙ୍କ ସହ ମିଶି ଗଣଦୁଷ୍କର୍ମ କରିଥିଲେ । ଝିଅର ଚିତ୍କାର ଶୁଣି ସାହି ପଡ଼ୋଶୀ ସନ୍ଦେହ କରିଥିଲେ । ଏନେଇ ବାଲିଗୁଡ଼ା ଥାନାକୁ ଜଣାଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଝିଅକୁ ଉଦ୍ଧାର କରିବା ସହ ଅଟୋ ଚାଳକ ଓ ଅନ୍ୟ ଦୁଇ ଜଣଙ୍କୁ ଥାନାକୁ ଆଣିଥିଲା । ଡାକ୍ତରୀ ମାଇନା ପରେ ପୀଡ଼ିତାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏପଟେ ପୁଲିସ ଏକ ଗଣଦୁଷ୍କର୍ମ ମାମଲା ରୁଜୁ କରି ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ଏହି ମାମଲାରେ ଗୋଟିଏ ଅଟୋ ଜବତ ହୋଇଛି ।