ମହାରାଷ୍ଟ୍ର ୨୪/୧୨: ମହାରାଷ୍ଟ୍ରର ନାଗପୁରରେ ଫିଲ୍ମପ୍ରେମୀ ଥିଏଟରରେ ଫିଲ୍ମ ‘ପୁଷ୍ପା-୨’ରେ ଆକ୍ସନ୍-ଡ୍ରାମାର ମଜା ନେଉଥିଲେ । କିନ୍ତୁ ସତସତିକା ଆକ୍ସନ୍ ଦେଖିବାକୁ ମିଳିଲା, ଯାହା ବିଷୟରେ ସେମାନେ କେବେ କଳ୍ପନା କରିନଥିବେ । ‘ପୁଷ୍ପା-୨’ର ନାଇଟ୍ ଶୋ’ ଚାଲିଥିବାବେଳେ ପୁଲିସ ସିନେମା ହଲ୍କୁ ପଶିଆସିଲା ଏବଂ ଜଣେ ବ୍ୟକ୍ତିକୁ ଗିରଫ କଲା । ବ୍ୟକ୍ତି ଜଣକ ହତ୍ୟା ଓ ଡ୍ରଗ୍ସ କାରବାର ମାମଲାରେ ୱାଣ୍ଟେଡ୍ ଥିଲା । ଗତ ୧୦ ମାସ ହେଲା ସେ ପୁଲିସକୁ ଚକ୍ମା ଦେଇଆସୁଥିଲା । କିନ୍ତୁ ଶେଷରେ ଅଲ୍ଲୁଙ୍କ ଗ୍ୟାଙ୍ଗ୍ଷ୍ଟର ଡ୍ରାମା ଫିଲ୍ମର ମୋହ ତାକୁ ଧରା ପକାଇଦେଲା ।

ପାଚପାୱଲି ପୁଲିସର ଜଣେ ଅଧିକାରୀ କହିଛନ୍ତି, ଅଲ୍ଲୁଙ୍କ ଗ୍ୟାଙ୍ଗ୍ଷ୍ଟର ଡ୍ରାମା ଫିଲ୍ମରେ ମେଶରମ ନାମକ ଏହି ଅଭିଯୁକ୍ତର ରୁଚି ବିଷୟରେ ଜାଣିବା ପରେ ତାକୁ ଗିରଫ କରିବାରେ ପୁଲିସ ସକ୍ଷମ ହେଲା । ମେଶରମ ବିରୋଧରେ ୨୭ ମାମଲା ରୁଜୁ ହୋଇଛି । ତନ୍ମଧ୍ୟରେ ଦୁଇଟି ହତ୍ୟା ଏବଂ ଡ୍ରଗ୍ କାରବାର ସାମିଲ । ହିଂସାତ୍ମକ ପ୍ରକୃତି ପାଇଁ ସେ କୁଖ୍ୟାତ । ପୂର୍ବରୁ ପୁଲିସ ଉପରେ ସେ ଆକ୍ରମଣ ମଧ୍ୟ କରିସାରିଛି । ସାଇବର ସର୍ଭିଲାନ୍ସ ଓ ତା’ର ଏସ୍ୟୁଭି କାର୍ର ଗତିବିଧିକୁ ଟ୍ରାକ୍ କରି ପୁଲିସ ଲଗାତାର ତା’ପଛରେ ପଡ଼ିଥିଲା । ନିକଟରେ ସିନେମା ହଲ୍ରେ ଗ୍ୟାଙ୍ଗ୍ଷ୍ଟରକୁ ଧରିବା ପାଇଁ ପୁଲିସ ପ୍ରଥମେ ତା’ର କାର୍ ଟାୟାରକୁ ପଂଚର କରିଥିଲା । ‘ପୁଷ୍ପା-୨’ର କ୍ଲାଇମାକ୍ସ ସମୟରେ ପୁଲିସ ସିନେମା ହଲ୍ରେ ପ୍ରବେଶ କଲା । ମେଶରମ ଫିଲ୍ମରେ ମଜ୍ଜି ଯାଇଥିଲେ । ପୁଲିସ କର୍ମଚାରୀ ତାକୁ ଘେରିଗଲେ ଏବଂ ତୁରନ୍ତ ଗିରଫ କଲେ । ମେଶରମ ଏବେ ନାଗପୁର ସେଣ୍ଟ୍ରାଲ ଜେଲରେ ଅଛି । ଖୁବ୍ଶୀଘ୍ର ତାକୁ ନାସିକ ଜେଲ ପଠାଯିବ ।