ନୂଆଦିଲ୍ଲୀ, ୨୮/୦୪ : ସୁରକ୍ଷା ଏଜେନ୍ସିକୁ ବଡ଼ ସଫଳତା। କୁଖ୍ୟାତ ଡ୍ରଗ୍ସ ମାଫିଆ ଦାଉଦ୍ ଇବ୍ରାହିମର ମୁଖ୍ୟ ସହଯୋଗୀ ସଲିମ ଡୋଲା ଗିରଫ। ସଲିମକୁ ତୁର୍କୀର ଇସ୍ତାନବୁଲରୁ ଗିରଫ କରାଯାଇଛି। ମଙ୍ଗଳବାର କଡ଼ା ସୁରକ୍ଷା ବଳୟ ଭିତରେ ଏକ ସ୍ଵତନ୍ତ୍ର ବିମାନ ଯୋଗେ ତାକୁ ଭାରତ ଅଣାଯାଇଛି। ଦିଲ୍ଲୀରେ ଏବେ ପଚରାଉଚରା ଚାଲିଛି। ଜେରା କରି ସାରିବା ପରେ ସାଲିମକୁ ମୁମ୍ଵାଇ ସ୍ଥିତ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋକୁ ହସ୍ତାନ୍ତର କରାଯିବ।
ସଲିମ ଡୋଲା ୧୯୬୬ ମସିହାରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲା। ସେ ବହୁତ କମ୍ ବୟସରେ ଅଣ୍ଡରୱାର୍ଲ୍ଡ ଜଗତରେ ପାଦ ଥାପିଥିଲା। ସେ ଦାଉଦର ଘନିଷ୍ଠ ସହଯୋଗୀ ଛୋଟା ଶକିଲ ସହିତ ମିଳାମିଶା କରୁଥିଲା। ସେ ଗୁଟଖା ବିକ୍ରିରୁ ବ୍ୟବସାୟ ଆରମ୍ଭ କରି ୫୦୦୦ କୋଟିର ନିଶା କାରବାରର ମାଲିକ ପାଲଟିଥିଲା। ୨୦୧୨ ମସିହାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସଲିମକୁ ଗିରଫ କରିଥିଲା। ସେ ପାଞ୍ଚ ବର୍ଷ ଜେଲରେ ରହିବା ପରେ ମୁକ୍ତ ହୋଇଥିଲା। ପରେ, ସେ ସିନ୍ଥେଟିକ୍ ଡ୍ରଗ୍ସ ତିଆରି କରିବା ପାଇଁ ଏକ ୟୁନିଟ୍ ତିଆରି କରିଥିଲେ। ୨୦୧୮ ମସିହାରେ, ତାକୁ ପୁଣି ମୁମ୍ବାଇରେ ଗିରଫ କରାଯାଇଥିଲା। ହେଲେ ଚାରି ମାସ ପରେ ତାଙ୍କୁ ଜାମିନ ମିଳିଯାଇଥିଲା। ସେ ଭାରତ ଛାଡି ୟୁଏଇ ପଳାୟନ କରିଥିଲା।
ସଲିମ ଡୋଲା ଗିରଫ ହେବା ପରେ ଦାଉଦର ଡ୍ରଗ୍ସ ନେଟୱାର୍କକୁ ଜୋରଦାର୍ ଝଟକା ଲାଗିଛି। ଏହାଦ୍ଵାରା ଅନ୍ତରାଷ୍ଟ୍ରୀୟ ଡ୍ରଗ୍ସ ତସ୍କରୀ ନେଟୱାର୍କ ଆହୁରି ଦୁର୍ବଳ ହେବ ବୋଲି କୁହାଯାଉଛି।
ଏହି ଖବରଟିକୁ ପଢନ୍ତୁ- PM Modi in Sikkim: ପୂର୍ବ ଭାରତର ସ୍ଵର୍ଗ ସିକ୍କିମ, ୫୦ ବର୍ଷ ପୂର୍ତ୍ତି ଅବସରରେ ୪ ହଜାର କୋଟିର ପ୍ରକଳ୍ପ ଭେଟି ଦେଲେ ପ୍ରଧାନମନ୍ତ୍ରୀ