ନୂଆଦିଲ୍ଲୀ: ଦିଲ୍ଲୀର ମଣ୍ଡୋଲି ଜେଲରେ ଗ୍ୟାଙ୍ଗଷ୍ଟର ସଲମାନ ତ୍ୟାଗୀ ଆତ୍ମହତ୍ୟା କରିଥିବା ଜଣାପଡିଛି। ଜେଲର ୧୫ ନମ୍ବର ବାରାକରେ ତାଙ୍କ ମୃତଦେହ ଚାଦରରେ ଝୁଲୁଥିବା ଅବସ୍ଥାରେ ମିଳିଛି। ଜେଲ ପ୍ରଶାସନ ତାଙ୍କ ମୃତଦେହକୁ ତଳକୁ ଆଣି ପୋଷ୍ଟମର୍ଟମ ପାଇଁ ପଠାଇଛି। ସୂଚନାଥାଉକି ଯେ, ସଲମାନ ତ୍ୟାଗୀ ମକୋକା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ସେବେଠାରୁ ଜେଲରେ ବନ୍ଦୀ ଥିଲେ।
ସଲମାନ ତ୍ୟାଗୀଙ୍କ ବିରୋଧରେ ହତ୍ୟା, ଦାଦାବଟି ଆଦାୟ, ଅସ୍ତ୍ରଶସ୍ତ୍ର ଆଇନ ଭଳି ବହୁ ମାମଲା ରୁଜୁ ହୋଇଥିଲା। ପୋଲିସ କହିଛି ଯେ, ମାମଲାର ତଦନ୍ତ ଚାଲିଛି। ସେ ଆତ୍ମହତ୍ୟା ଭଳି ପଦକ୍ଷେପ କାହିଁକି ନେଲେ, ତାହା ଜାଣିବାକୁ ଚେଷ୍ଟା କରାଯାଉଛି।
ପୋଲିସ ରେକର୍ଡ ଅନୁଯାୟୀ, ସଲମାନ ତ୍ୟାଗୀ ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳର ଜଣେ ସକ୍ରିୟ ଅପରାଧୀ ଥିଲେ। ସେ ଅନେକ ଥର ଜେଲ ଯାଇଛନ୍ତି । ଜେଲ ପ୍ରଶାସନର ସୂତ୍ର ଅନୁଯାୟୀ, ସକାଳେ ପାଟ୍ରୋଲିଂ ସମୟରେ କଏଦୀ ମାନଙ୍କୁ ଗଣନା କରାଯାଉଥିଲା, ସଲମାନଙ୍କୁ ତାଙ୍କ ବାରାକରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ।
ଏହି ଘଟଣାର ଖବର ଚାରିଆଡେ ଖେଳିଯିବା ମାତ୍ରେ ଜେଲରେ ହଇଚଇ ସୃଷ୍ଟି ହୋଇଛି । ଏହି ଆତ୍ମହତ୍ୟା ମାମଲା ପରେ ଜେଲର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି । ଜେଲରେ କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ, ସଲମାନ ତ୍ୟାଗୀ କିପରି ଫାଶୀ ତିଆରି କରିବା ପାଇଁ ସାମଗ୍ରୀ ସଂଗ୍ରହ କରିଥିଲେ ? ଜେଲ ପ୍ରଶାସନ ଏ ବିଷୟରେ କୌଣସି ସୁରାକ ପାଇନଥିଲା କେମିତି ?
ବର୍ତ୍ତମାନ, ଜେଲ ପ୍ରଶାସନ ଏବଂ ପୋଲିସର ଏକ ମିଳିତ ଟିମ୍ ତଦନ୍ତ କରୁଛି ଯେ ସଲମାନ ତ୍ୟାଗୀ କାହାଠାରୁ ସାହାଯ୍ୟ ନେଇଥିଲେ କି ଏହି ପଦକ୍ଷେପ ଏକା ନେଇଥିଲେ । ଏବେ ସଲମାନ ତ୍ୟାଗୀଙ୍କ ପାଖରେ ରହୁଥିବା ଅନ୍ୟ କଏଦୀ ମାନଙ୍କୁ ମଧ୍ୟ ପଚରାଉଚରା କରାଯାଉଛି।