ରାୟପୁର,୩୦/୦୫: ଛତିଶଗଡ଼ର ଅବୁଝମଡ଼ ଜଙ୍ଗଲରେ ଗତ ୨୧ ତାରିଖରେ ଯବାନଙ୍କ ଏନକାଉଣ୍ଟରରେ ସିପିଆଇ-ମାଓବାଦୀର ମହାସଚିବ ନମ୍ବାଲା କେଶବରାଓ ଓରଫ ବାସବରାଜ ନିହତ ହେବା ପରେ ନକ୍ସଲ ସଙ୍ଗଠନ ନେତୃତ୍ୱ ବିହୀନ ହୋଇପଡ଼ିଛି । ଏଭଳି ସ୍ଥିତିରେ ସିପିଆଇ-ମାଓବାଦୀର ପୂର୍ବତନ ମହାସଚିବ ତଥା ପରାମର୍ଶଦାତା ମୁପ୍ପାଲା ଲକ୍ଷ୍ମଣ ରାଓ ଓରଫ ଗଣପତି ବିଦେଶରୁ ଫେରି ଆସିଥିବା ଖବର ମିଳିଥିବା ଛତିଶଗଡ଼ର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ।
ପ୍ରାୟ ୧୫ ବର୍ଷ ଧରି ମହାସଚିବ ଦାୟିତ୍ୱରେ ରହିବା ପରେ ୨୦୧୮ ମସିହାରେ ଗଣପତି ତାଙ୍କ ଶିଷ୍ୟ ବାସବରାଜଙ୍କୁ ଏହି ପଦରେ ବସାଇଥିଲେ । ସଙ୍ଗଠନରେ ସବୁଠାରୁ ଅଧିକ ସକ୍ରିୟ ନେତା ଭାବେ ବାସବରାଜ ପରିଗଣିତ ହୋଇଥିଲେ । ତାଙ୍କ ମୃତ୍ୟୁ ପରେ ସଙ୍ଗଠନ ଦିଗହରା ହୋଇଥିବା ବେଳେ ଦୈନିକ କ୍ୟାଡରମାନେ ଆତ୍ମସମର୍ପଣ କରୁଛନ୍ତି ।
ସଙ୍ଗଠନର ଅଧିକାଂଶ ପଲିଟିବ୍ୟୁରୋ ଏବଂ କେନ୍ଦ୍ରୀୟ କମିଟି ନେତା ବୟସାଧିକ୍ୟ କାରଣରୁ ନେତୃତ୍ୱ ନେବା ସମ୍ଭବ ନୁହେଁ । ତେବେ ମାଲୋଜୁଲ୍ଲା ଭେନୁଗୋପାଳ ଓରଫ ସୋନୁ ଏବଂ ଥିପ୍ପରି ଥିରୁପତି ଓରଫ ଦେବଜୀଙ୍କ ମଧ୍ୟରୁ କେହି ନୂତନ ମହାସଚିବ ହୋଇପାରନ୍ତି ବୋଲି ଅନୁମାନ କରାଯାଉଥିଲା । ଅପରପକ୍ଷରେ ଝାଡ଼ଖଣ୍ଡ ଓ ଓଡ଼ିଶାରେ ସକ୍ରିୟ ଥିବା ମିଶିର ବେସ୍ରା କିମ୍ବା ଛତିଶଗଡ଼ରେ ଆତଙ୍କ ସୃଷ୍ଟି କରିଥିବା ମାଡଭୀ ହିଡ଼ମା ଓରଫ ହିଡମାଳୁ ଓରଫ ସନ୍ତୋଷ ମଧ୍ୟ ଯୁବ ନେତୃତ୍ୱ ଭାବେ ମହାସଚିବ ପଦର ଦାବିଦାର ରହିଛନ୍ତି । କିନ୍ତୁ ସଙ୍ଗଠନରେ ତେଲଗୁ ନେତାଙ୍କ ପ୍ରଭାବ ଅଧିକ ଥିବାରୁ ସୋନୁ କିମ୍ବା ଦେବଜୀଙ୍କୁ ଏହି ଦାୟିତ୍ୱ ମିଳିପାରେ ବୋଲି କୁହାଯାଉଛି ।
୨୧ ତାରିଖରେ ବାସବରାଜ ନିହତ ହେବା ପରେ କେନ୍ଦ୍ରୀୟ କମିଟି ନେତାମାନେ ପରବର୍ତ୍ତୀ ମହାସଚିବ ବାଛିବାକୁ ଚେଷ୍ଟା କରି ବିଫଳ ହୋଇଥିବା ଜଣାପଡ଼ିଛି । ତେଣୁ ଚିକିତ୍ସା ପାଇଁ ବିଦେଶରେ ଥିବା ଗଣପତି ଇତି ମଧ୍ୟରେ ଗୁପ୍ତ ଭାବେ ଫେରି ଅବୁଝମଡ଼ କିମ୍ବା ବସ୍ତରର କୌଣସି ସ୍ଥାନରେ ଥିବା ସୂଚନା ମିଳିଛି । କୁହାଯାଉଛି ଯବାନଙ୍କ ଘେରାବନ୍ଦୀ ଥିବାରୁ ଏବେ କେନ୍ଦ୍ରୀୟ କମିଟି ବୈଠକ ଡକାଯିବ ନାହିଁ । ମହାସଚିବ ଚୟନ କରିବା ବିଳମ୍ବ ହେବା ଜଣାପଡ଼ୁଥିବାରୁ ଗଣପତି ସାମୟିକ ଭାବେ ଏହି ଦାୟିତ୍ୱ ନିର୍ବାହ କରିପାରନ୍ତି ।
ଅନ୍ୟ ଏକ ଗୁଇନ୍ଦା ସୂତ୍ର କହୁଛି ଯେ, ମହାସଚିବ ଦାୟିତ୍ୱ ଯିଏ ନେବେ ତାଙ୍କ ନାମ ସାଧାରଣରେ ଘୋଷଣା କରାଯାଇନପାରେ । ଯବାନଙ୍କ ଆଡୁ ବିପଦ ଏବଂ ସଙ୍ଗଠନରେ ତେଲଗୁ ଓ ଛତିଶଗଡ଼ୀ କ୍ୟାଡରଙ୍କ ଭିତରେ ମତଭେଦକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇପାରେ । କିଛି ବର୍ଷ ପୂର୍ବେ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ସଚିବ ରମନ୍ନା ହୃଦଘାତରେ ପ୍ରାଣ ହରାଇବା ପରେ ରାମଚନ୍ଦ୍ର ରେଡିଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲେ ବି ଆଜି ପର୍ଯ୍ୟନ୍ତ ସଙ୍ଗଠନ ତାହା ଘୋଷଣା କରିନାହିଁ ।
ଗୁଇନ୍ଦା ଅଧିକାରୀଙ୍କ ମତରେ ସଙ୍ଗଠନ ସମ୍ମୁଖରେ ଏବେ ଦୁଇଟି ରାସ୍ତା । ଯବାନଙ୍କ ସହ ଲଢ଼ି ନିଜେ ନିପାତ ହେବା କିମ୍ବା ସରକାରଙ୍କୁ ଶାନ୍ତି ପ୍ରସ୍ତାବରେ ରାଜି କରାଇ ପୁନଃସଙ୍ଗଠିତ ହେବାକୁ ସମୟ ନେଇଯିବା । ତେବେ ସୁରକ୍ଷା ବାହିନୀର ବ୍ଲୁ ପ୍ରିଣ୍ଟ ଅନୁସାରେ ଆଉ ମାଓବାଦୀଙ୍କ ଶାନ୍ତି ପ୍ରସ୍ତାବକୁ ଗ୍ରହଣ କରାଯିବ ନାହିଁ । କେବଳ ଗୋଟିଏ ରାସ୍ତା- ସେମାନେ ଆତ୍ମସମର୍ପଣ କରିବେ । ବସ୍ତର ଆଇଜିପି ସୁନ୍ଦରରାଜନଙ୍କ ମତରେ, ଯେ କେହି ବାସବରାଜଙ୍କ ସ୍ଥାନରେ ମହାସଚିବ ହେଲେ ମଧ୍ୟ ସୁରକ୍ଷା ବାହିନୀ ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ । ସମସ୍ତଙ୍କୁ ନିପାତ କରିବାକୁ ଯବାନମାନେ ଏବେ ସକ୍ଷମ । ମାଓ ନେତା ମାନେ କେବଳ ‘ଉଧାର କୀ ଜିନ୍ଦେଗୀ’ରେ ବଞ୍ଚିଛନ୍ତି ।