ବେଜିଂ: ଚୀନରେ ଶନିବାର ଠାରୁ ବିଶ୍ୱର ସର୍ବବୃହତ ଜାତୀୟ ଉଚ୍ଚଶିକ୍ଷା ପ୍ରବେଶିକା ପରୀକ୍ଷା ‘ଗାଓକାଓ’ ଆରମ୍ଭ ହୋଇଛି। ଚଳିତ ବର୍ଷ ୧ କୋଟି ୩୩ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ଏହି କଠିନ ପରୀକ୍ଷାରେ ଅଂଶଗ୍ରହଣ କରୁଛନ୍ତି। ଯାହା ଗତ ବର୍ଷ (୧କୋଟି ୩୪ଲକ୍ଷ) ତୁଳନାରେ ସାମାନ୍ୟ କମ୍ ରହିଛି। ଏହି ପରୀକ୍ଷା ଚୀନର ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ନାମଲେଖା ପାଇଁ ଏକ ମୁଖ୍ୟ ମାନଦଣ୍ଡ ଭାବେ ଗ୍ରହଣ କରାଯାଏ। ଯାହା ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଉନ୍ନତ ଭବିଷ୍ୟତ ନିର୍ଦ୍ଧାରଣ କରିଥାଏ।

ଏହାସହ ପରୀକ୍ଷା କେନ୍ଦ୍ର ବାହାରେ ଅଭିଭାବକମାନେ ଫୁଲତୋଡ଼ା ଓ ଖାଦ୍ୟ ସହିତ ଅପେକ୍ଷା କରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ଦୀର୍ଘ ଦିନ ହେବ କଡ଼ା ପରିଶ୍ରମ କରିଥିଲେ। ଏଣୁ ସେମାନଙ୍କୁ ପରୀକ୍ଷା ପରବର୍ତ୍ତୀ ଅବସାଦରୁ ଦୁରେଇ ରଖିବା ପାଇଁ ସେମାନଙ୍କ ଅଭିଭାବକମାନେ ହସିହସି ସମସ୍ତ ଛାତ୍ରଙ୍କୁ ସ୍ୱାଗତ କରିଥିଲେ। ସେହିଭଳି ପରୀକ୍ଷାର ସୁରକ୍ଷା ଓ ନିରପେକ୍ଷତା ପାଇଁ ପୁଲିସ ଡ୍ରୋନ, ଏଆଇ-ଚାଳିତ ନିରୀକ୍ଷଣ ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରିଛି। ନକଲ ଓ ଅସାଧୁ କାର୍ଯ୍ୟକଳାପକୁ ରୋକିବା ପାଇଁ ଚାଇନା ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି।

ଚାଇନାର ଉପ-ପ୍ରଧାନମନ୍ତ୍ରୀ ଡିଙ୍ଗ ଜୁଏସିଆଙ୍ଗ ଶାନସି ପ୍ରଦେଶରେ ଏକ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରି ଏହାର ଆୟୋଜନ ଓ ନିଷ୍ପକ୍ଷ ପରୀକ୍ଷା ପରିଚାଳନା ଉପରେ ଗୁରୁତ୍ୱ ଦେଇଥିଲେ। ୧୯୭୭ରେ ପୁନଃସ୍ଥାପିତ ହେବା ପରେ ଗାଓକାଓ ଲକ୍ଷାଧିକ ଛାତ୍ରଙ୍କ ଜୀବନକୁ ଯୋଗ୍ୟତାଭିତ୍ତିକ ଚୟନ ମାଧ୍ୟମରେ ପରିବର୍ତ୍ତନ କରିଛି।

୨୦୨୩ ସୁଦ୍ଧା ଚୀନର ଉଚ୍ଚଶିକ୍ଷା ନାମାଙ୍କନ ହାର ୬০% ଅତିକ୍ରମ କରିଛି। ଚାଇନାର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ସୂଚନା ମୁତାବକ, ଯେଉଁଥିରେ ପ୍ରାୟ ୪.୭ କୋଟିରୁ ଅଧିକ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି। ଗାଓକାଓ କେବଳ ଏକ ପରୀକ୍ଷା ନୁହେଁ, ଏହାକୁ ଚୀନର ସାଂସ୍କୃତିକ ଓ ଯୋଗ୍ୟତାଭିତ୍ତିକ ମୂଲ୍ୟବୋଧର ଏକ ପ୍ରତୀକ ଭାବେ ଗ୍ରହଣ କାରଯାଇଥାଏ। ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ଉନ୍ନତ ଜୀବନଯାପନ ଓ ସାମାଜିକ ସ୍ଥିତି ବିଷୟରେ ଅବଗତ ହୋଇଥାନ୍ତି।