କହିବା ପାଇଁ କେତେ ଭଲ ଲାଗେ ସତେ "ସକଳ ଘଟେ ନାରାୟଣ, ବସନ୍ତି ଅନାଦି କାରଣ’ । ଶୁଣିବାକୁ ବି । କିନ୍ତୁ ମାନିବା ପାଇଁ ବା କରିବା ପାଇଁ? ହଁ, କହିବା ଓ କରିବା ଭିତରେ ପାଟିରୁ ନେଇ ହାତର ଦୂରତ୍ୱ! ନହେଲେ କ’ଣ ଆମେ ମନ୍ଦିରରେ ବୃଷଭଙ୍କୁ ଦେଖି ମୁଣ୍ଡିଆ ମାରୁଥିଲାବେଳେ ବାହାରେ ରକ୍ତମାଂସର ସତ ଭୋକିଲା ବୃଷଭକୁ ଖାଦ୍ୟ ଦେବା ପରିବର୍ତ୍ତେ ଗରମ ପାଣି ଫିଙ୍ଗି ଓ ଠେଙ୍ଗା ଉଠାଇ ପାହାରରେ ସ୍ୱାଗତ କରନ୍ତେ! ମନ୍ଦିରରେ ହନୁମାନଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରୁଥିବାବେଳେ ବାହାରେ ହନୁମାଙ୍କଡ଼କୁ ଦେଖିଲେ ଟେକା ଫିଙ୍ଗନ୍ତେ । ଆଉ ମଣିଷଙ୍କ କଥା, ମଣିଷର ରୂପ ଧରିଥିବା କାଠ ପଥରର ଭଗବାନଙ୍କୁ ଫୁଲ ଚନ୍ଦନ ଦୀପ ଧୂପ ଓ ନୈବେଦ୍ୟ ଅର୍ପଣ କଲାବେଳେ ରକ୍ତମାଂସଧାରୀ ସତ ମଣିଷକୁ...! ସାଧାରଣତଃ ଆମେ ସାଧାରଣ ଲୋକେ ମଣିଷର ବାହାରର ଚିତ୍ରକୁ ଦେଖି ତାର ଭିତରର ଚରିତ୍ରକୁ ଆକଳନ କରିଥାଉ । ତାର ବେଶଭୂଷା, ଚାଲିଚଳନ, କଥାବାର୍ତ୍ତା, ପଦବି, କ୍ଷମତା ଓ ପ୍ରତିପତ୍ତିକୁ ଦେଖି ତା’ ବିଷୟରେ ଧାରଣାଟିଏ ମନରେ ଜନ୍ମାଇଥାଉ । ହେଲେ ଅନେକ ସମୟରେ ଆମର ଏହି ଧାରଣାଟି ଆମକୁ ଧୋକା ଦେଇଥାଏ । ମଳିମୁଣ୍ଡିଆ ଦିଶୁଥିବା ମଣିଷଟି ସୁନାମୁଣ୍ଡିଆ ପ୍ରମାଣିତ ହେଉଥିଲାବେଳେ ସୁନାମୁଣ୍ଡା ପରି ଚକମକ ଦିଶୁଥିବା ଲୋକଟିର ମୁଣ୍ଡ ମଳରେ ଭରା ଦେଖି ଆମେ ହେଉ ଆଚମ୍ବିତ । ବୋଧେ ଏଇଥିପାଇଁ କୁହାଯାଇଛି, ସବୁ ଚିକ୍‌ମିକ୍‌ ଦିଶୁଥିବା ଚିଜ ସୁନା ନୁହେଁ ବୋଲି । ସେତେବେଳେ ବରଗଡ଼ର ସୋହେଲାରେ ଆମେ ଥାଉ । ଘରୋଇ ସହାୟିକା ଭାବେ ମୋ ନିକଟରେ ଥାଆନ୍ତି ଶାନ୍ତି ନାମ୍ନୀ ମହିଳାଟିଏ । ଜୀବନରେ ଅନେକଙ୍କ ସଂସ୍ପର୍ଶରେ ଆସିଥିଲେ ବି ତାଙ୍କ ସରଳ ଅମାୟିକ ବ୍ୟକ୍ତିତ୍ୱଟି ଆଜିବି ମୁଁ ପାସୋରି ପାରିନାହିଁ । ସମ୍ବଲପୁରୀ ସୂତାଶାଢ଼ିଟିଏ ଦେହରେ ବେଢ଼ିଥିବ, ନା ସାୟା ନା ବ୍ଲାଉଜ୍‌, ନା ମୁଣ୍ଡରେ ଓଢ଼ଣା । କିନ୍ତୁ ସମ୍ଭ୍ରମତାର ସେ ମୂର୍ତ୍ତିଟି ନିକଟରେ ଆପଣାଛାଏଁ ଦେଖଣାହାରୀର ମୁଣ୍ଡ ନଇଁଯିବ । ପିଲାଙ୍କ କାମ ସହିତ ଘରକାମ ବି ଏତେ ଅପଣାର ସାଜି ସେ କରିଯାଆନ୍ତି ଯେ, କେତେବେଳେ ମନେ ହୋଇନାହିଁ କୌଣସି ବାହାର ଲୋକ ବୋଲି । ଅନେକ ସମୟରେ ତାଙ୍କ ପାଖରେ ବସି ମୁଁ ତାଙ୍କୁ ଶୁଣେ । ଜୀବନକୁ ଅତି ନିକଟରୁ ଅନୁଭବ କରିଥିବା ଏହି ଅନୁଭବୀଙ୍କ ଜୀବନ କାହାଣୀ କରେ ମତେ ଚମତ୍କୃତ ।

ଥରେ ଘରର କୌଣସି ଅସୁବିଧା ବିଷୟରେ ସେ କହୁଥାନ୍ତି । "ଜାଣିଲ ମା’, ଆଜି ଅସୁବିଧା ପଡ଼ିଚି ବୋଲି ମୁଁ ଘର ବାହାରକୁ ଗୋଡ଼ କାଢ଼ିଛି । ମୋ ସ୍ୱାମୀ ଥିଲାବେଳେ ମତେ ବାହାରକୁ ଛାଡ଼ିନଥିଲେ’ । ସେ ଗପିଲେ ତାଙ୍କ ଜୀବନର କଥା- “ସ୍ୱାମୀଙ୍କର ଗୋଟିଏ ସାଇକେଲ ମରାମତି ଦୋକାନ ଥିଲା, ଏଇ ସୋହେଲା ବଜାର ଉପରେ । ବେଶ୍‌ ଭଲ ଚାଲିଥିଲା । ସବୁ ସେ ଆଣି ମୋ ପାଖରେ ଯୋଗାଇ ଦିଅନ୍ତି । ଖାଲି ପିଇବା ପାଣି ଟିକିଏ ପାଇଁ ମତେ ଯିବାକୁ ପଡୁଥିଲା ଖଣ୍ଡେ ଦୂର । ଗୋଟିଏ କୂଅର ମିଠାପାଣି ପାଇଁ ମୁଁ ସେଠାକୁ ଦୁଇଥର ଯାଇ ଦୁଇ ତିନି ଗରା ପାଣି ନେଇଆସେ । ସେବର୍ଷ ଖୁବ୍‌ ଖରା ହୋଇଥାଏ । ସଞ୍ଜବେଳେ ଘରକାମ ସାରି ରାତି ପାଇଁ ଗରାଏ ପାଣି ଧରି ଫେରୁଛି, ପଦମପୁରରୁ ଆସି ପହଞ୍ଚିଲା ବସ୍‌ଟିଏ । ଲୋକ କିଛି ଓହ୍ଲାଇଲେ । ସେଥିରୁ ବାହାରି ଦୁଇଟା ପିଲା ମୋ ପାଖକୁ ଆସି, ମାଉସୀ ଟିକେ ପାଣି ଦେ ପିଇବାକୁ ବୋଲି କହିଲେ । ହେଲେ ଏତେ ଦୂର ଯାଇ ପାଣି ଗରେ ଆଣିଛି, ଦେବିନି, କହି ମୁଁ ଆଗକୁ ବଢ଼ିଲି । ସେମାନେ ମତେ ଖୁବ୍‌ ନେହୁରା ହେଲେ, ହେଲେ ଚଣ୍ଡାଳୁଣୀ, ମୋ ମନରେ ଦୟା ଟିକେ ବି ଆସିଲାନାହିଁ । ପାଣି ଧରି ମୁଁ ଚାଲିଆସିଲି । କିନ୍ତୁ ମା’, ମୋ କର୍ମର ଫଳ ମତେ ସଙ୍ଗେ ସଙ୍ଗେ ମିଳିଗଲା । ୟା’ପରେ ପରେ ମୋ ସ୍ୱାମୀ ବେମାର ପଡ଼ିଲେ । ତାଙ୍କ ଚିକିତ୍ସା ପାଇଁ ଦୋକାନ ସହିତ ମୋର ସବୁ ଚାଲିଗଲା । ଆଜି ପିଲା ଦୁହିଁଙ୍କୁ ଧରି ମୁଁ ସଂଘର୍ଷ କରୁଛି । "ଦୀର୍ଘ ଶ୍ୱାସଟିଏ ଛାଡି ସେ ଯୋଡ଼ିଲେ, ଆଜି ପାଣି କ’ଣ, ଖାଇବା ପାଇଁ ବି କେହି ମାଗିଲେ ପାରୁପର୍ଯ୍ୟନ୍ତ ମୁଁ ଦେବାକୁ ଚେଷ୍ଟାକରେ । ଭାବେ ମୋ କର୍ମ ମୋ ପିଲାଙ୍କ ମଙ୍ଗଳ ପାଇଁ ଉଦ୍ଦିଷ୍ଟ” । ପୁଣି ଯେଉଁଦିନ କାମ ଟିକେ ଜଲ୍‌ଦି ସରେ, ସେଦିନ ମୁଁ ଖାଲି ଚା ଓ

ଶାନ୍ତିନାନୀ ଚା ସହିତ ମୁଢ଼ି ଧରି ଖୋଲିଦିଅନ୍ତି ତାଙ୍କ ଗପର ପେଡ଼ି । ଜୀବନଠାରୁ ନେଇ ଜଞ୍ଜାଳ ଯାକେ କିଛି ସେ ଶୁଣନ୍ତି ଆଉ ବେଶି ଶୁଣାନ୍ତି । “ଜାଣିଲ ମା’! ଆମ ଘରପାଖରେ ମାଳତୀ ମାଆ ବୋଲି ବୁଢ଼ୀଟିଏ ରହୁଚି । ଏତେ ଛୁଆଁ ଅଛୁଆଁ ବାରଣ ତାର ଯେ, କହିଲେ ନସରେ । ସକାଳୁ ସେ ଘର ଧୋଇଥିବ ବୋଲି ତା’ ଘର ଆଗ ଦେଇ କେହି ଯାଇପାରିବ ନାହିଁ । ଦୂର ଦୂର, ଭାଗ୍‌ ଭାଗ୍‌... ଏମିତି ହେବ ଯେ ସାଇଟା ସାରା ତାକୁ ଡରି ଚଳୁଥିଲା । ୟାର ପାଣି ପଡ଼ିଗଲା, ତାର ଛାଇ ପଡ଼ିଗଲା କହି ଏମିତି ଶୋଧିବ ଯେ, ଲୋକ ଯିବା ପାଇଁ ବାଟ ପାଇବ ନାହିଁ । ଯେତେବେଳେ ଦେଖ ପୂଜାପାଠ କରୁଥିବ, କିନ୍ତୁ ଯୋଉ ମୁହଁରେ ରାମ୍‌ ରାମ୍‌ କହୁଥିବ, ସେଇ ମୁହଁରେ ମର୍‌ ମର୍‌ କହିବାକୁ ତାକୁ ଖରାପ ଲାଗେନି କେମିତି କେଜାଣି! ପୁଅ ଝିଅ ସବୁ ଯାଇ ଦୂରରେ, ସ୍ୱାମୀ ଗଲାଣି । ଏଇନା ତା’ ଅବସ୍ଥା କ’ଣ ଶୁଣିବ, ଖଟରେ ପଡିଚି, ହାତଗୋଡ଼ ଆଉ ଚାଲୁନାହିଁ । ଜାତି ଅଜାତି ଭୁଲି ଯିଏ ମୁଠାଏ ଦଉଛି, ଲୁହ ଗଡ଼େଇ ସେ ଖାଉଚି । ଜାତି ଚାଲିଯିବ କହି ଯୋଉମାନଙ୍କୁ ସେ ଦୂରେଇ ହେଇ ଚଳୁଥିଲା, ଆଜି ସେଇମାନଙ୍କ ଦୟାରେ ସେ ଚଳୁଛି । ଜୀବନ ତ ଅଛି ନା.. ନିଜର କଥା କ’ଣ ତା’ର ମନେ ପଡୁନଥିବ!” ଶାନ୍ତିନାନୀ ତାର କଥା କହିଦେଇ ଚାଲିଯାଇଥିଲା । ହେଲେ ନିଜର ଅଜାଣତରେ ମୋ ଆଗରେ ଧର୍ମଭୀରୁ ଓ ଧର୍ମାନ୍ଧତାର ଦୁଇଟି ଚମତ୍କାର ଉଦାହରଣ ରଖିଦେଇଥିଲା । ହଁ ସତ ନୁହେଁ କି, ଧର୍ମଭୀରୁ ହେଲେ ମଣିଷ ନିଜକୁ ଜଗେ, ଅନୁଚିତ୍‌ କର୍ମ କରିବା ପୂର୍ବରୁ ଚିନ୍ତା କରେ, ଭଲ-ମନ୍ଦର ବିଚାର କରେ, ସ୍ରଷ୍ଟାଙ୍କୁ ସୃଷ୍ଟିରେ ଦେଖେ, ଜୀବ ମଧ୍ୟରେ ଶିବଙ୍କୁ ଦର୍ଶନ କରେ । ଅନ୍ୟ ଓଠରେ ହସ ଫୁଟାଇବା ପାଇଁ ଚେଷ୍ଟା କରୁ ବା ନକରୁ ମାତ୍ର ଅନ୍ୟ ଆଖିରେ ଲୁହର କାରଣ ସାଜେନା । ପଡିଥିବା ଲୋକଟିକୁ ସାହାଯ୍ୟର ହାତ ବଢ଼େଇଦିଏ । ତା’ର ବିଶ୍ୱାସ ଯେ, ତା’ ହୃଦୟ ଭିତରେ ଥିବା ତାର ବିବେକରୂପୀ ଈଶ୍ୱର ତାର ଚିନ୍ତାଠାରୁ ନେଇ କର୍ମ ପର୍ଯ୍ୟନ୍ତ ସବୁକିଛିର ସାକ୍ଷୀ ହୋଇ ରହିଛନ୍ତି । ବୋଧହୁଏ, ଏହିପରି ଉଚିତ୍‌ ଓ ଅନୁଚିତ୍‌ର ବିଚାରବୋଧ, ଅନୁଚିତ୍‌କୁ ବାଦ୍‌ ଦେଇ ଉଚିତ୍‌ କରିବା ପାଇଁ ଆଗ୍ରହ, ଅସତ୍‌କୁ ଡରିବା, ସତ୍‌ ପ୍ରତି ଶ୍ରଦ୍ଧାବାନ ହେବା, ଆମକୁ ମଣିଷ ପରି ମଣିଷଟିଏ କରିବାରେ ହୋଇଥାଏ ସକ୍ଷମ ।

ଅପରପକ୍ଷେ ଧର୍ମାନ୍ଧଟିଏ ଅନ୍ଧ ହୋଇ ପଥର ଭିତରେ ଠାକୁରଙ୍କୁ ଖୋଜୁଥିଲାବେଳେ, ପ୍ରକୃତ ଠାକୁର ତା’ ଦୁଆରୁ ଅପମାନିତ ହୋଇ ଫେରିଯାଆନ୍ତି । କାଠ ପଥର ଆଗରେ ନବ ନୈବେଦ୍ୟ ଥୋଇ ମୁଣ୍ଡିଆ ମାରୁଥିବା ଧର୍ମାନ୍ଧଟି ନିକଟରେ ଭୋକିଲା ଠାକୁରଙ୍କ ପାଇଁ ବାସିରୁଟି ଖଣ୍ଡେ ବି ନଥାଏ । ନର ଦେହେ ନାରାୟଣ ବୋଲି ମୁହଁରେ କହିଲେ ବି ତା’ର ନାରାୟଣ ତା’ ଠାକୁର ଘର ଭିତରେ ସୀମିତ ରୁହନ୍ତି । ନାରାୟଣଙ୍କୁ ଦେଖାଇ ନିଜ ପେଟକୁ ଯାଉଥିବାରୁ, ଏ ପର୍ବରେ ଏମିତି ସେ ପୂଜାରେ ସେମିତି କହି ସେ ଭୋଗରାଗରେ ଆଡମ୍ବର ଦେଖାଏ । ସତରେ ଯଦି ନାରାୟଣ ଖାଇବାକୁ ଆସନ୍ତେ! ସେ ଧର୍ମକୁ ଆଖିଠାର ମାରେ, ନିଜ ସୁବିଧା ଅନୁସାରେ ଧର୍ମକୁ ମାଡ଼ି ମକଚି ଆଗେଇଚାଲେ । ପ୍ରଭୁଙ୍କ ତିଆରି ମୂର୍ତ୍ତି ଆଗରେ ତାକୁ ମଣିଷ ତିଆରି ମୂର୍ତ୍ତି ଅଧିକ ଉଜ୍ଜ୍ୱଳ ଦିଶେ । ପ୍ରକୃତରେ ଧର୍ମକୁ ଜାଣିବା, ଆଉ ଧର୍ମକୁ ଆଚରଣ କରିବା ଭିତରେ ଆକାଶ ଓ ପାତାଳର ପ୍ରଭେଦ । ଚିତା ଚଇତନ ହୋଇ ରୁଦ୍ରାକ୍ଷ ଗଡ଼ାଇବା ସହଜ, ମାତ୍ର ଚିନ୍ତା ଓ ଚେତନା ମଧ୍ୟରେ ସମନ୍ୱୟ ରକ୍ଷାକରି ଜୀବ ମଧ୍ୟରେ ଶିବଙ୍କୁ ଦର୍ଶନ କରିବା ଅସହଜ । ତେବେ ଏହି ଅସହଜ କାମକୁ ବେଶ୍‌ ସହଜରେ କରିଯାଆନ୍ତି ମଣିଷ ଭିତରେ ଥିବା ମହାତ୍ମାମାନେ ।

​​​​​​​