ରାଉରକେଲା, ୨୬।୧୦: ମରାମତି କରିବାକୁ କହି ନେଲେ, ସ୍କୁଟିକୁ ବିକ୍ରି କରିଦେଲେ । ଏଭଳି ଅଭିଯୋଗ ଆସିଛି ରାଉରକେଲାର ଜଣେ ଗ୍ୟାରେଜ୍ ମେକାନିକଙ୍କ ନାଁରେ । ଥାନାରେ ଏତଲା ପରେ ମେକାନିକଙ୍କୁ ବନ୍ଧିଲା ସେକ୍ଟର-୩ ଥାନା ପୋଲିସ । ଏଥିସହ ଚୋରି ଗାଡ଼ି କିଣିଥିବା ଅଭିଯୋଗରେ ୪ଜଣ ଅଟକ ଏବଂ ୪ଟି ଗାଡ଼ି ଜବତ ।
ଜୋନ-୧ ଡିଏସପି ଯୋଗେଶ ପଣ୍ଡାଙ୍କ ସୂଚନା ମୁତାବକ, ସେକ୍ଟର-୧୯ ଅଞ୍ଚଳ ଗ୍ୟାରେଜ୍ କରିଥିବା ଅମନ ଅଧିକାରୀ ଏନଆଇଟିର ଜଣେ ଛାତ୍ରଙ୍କ ସ୍କୁଟି ମରାମତି ପାଇଁ ନେଇଥିଲେ । ହେଲେ ସ୍କୁଟି ସଜାଡ଼ିବା ବଦଳରେ ଅନ୍ୟ ଜଣଙ୍କୁ ବିକି ଦେଇଥିଲେ । ଏହା ପରେ ମୋବାଇଲ ଫୋନ ସ୍ୱିଚ୍ ଅଫ୍ କରି ଫେରାର ହୋଇ ଯାଇଥିଲେ । ସ୍କୁଟି ନ ପାଇବାରୁ ଛାତ୍ର ଜଣଙ୍କ ସେକ୍ଟର-୩ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ମୋବାଇଲ ଫୋନ୍ ଟ୍ରାକିଂ କରି ଅମନଙ୍କୁ ଧରିଛି । ତାଙ୍କୁ ପଚରାଉଚରା କରିବା ପରେ ସେ ସ୍କୁଟି ବିକ୍ରି କରିଥିବା ସତ ମାନିଥିଲେ । ସେ ଅନ୍ୟ ୩ଟି ସ୍କୁଟି ବି ଏଭଳି ଠକେଇ କରି ବିକ୍ରି କରିଥିବା ପ୍ରକାଶ କରିଥିଲେ । ପୁଲିସ ୪ଟି ସ୍କୁଟି ଜବତ କରିବା ସହ ଗାଡ଼ି କିଣିଥିବା ୪ଜଣଙ୍କୁ ଥାନାରେ ଅଟକ ରଖିଛି । ମୁଖ୍ୟ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।