ବିନା କୋଚିଂରେ UPSC କ୍ରାକ୍, ସର୍ବଭାରତୀୟ ରାଙ୍କିଂରେ ଦ୍ବିତୀୟ ସ୍ଥାନରେ ଗାରିମା ଲୋହିଆ

ନୂଆଦିଲ୍ଲୀ ୨୪/ ୦୫: ୟୁପିଏସ୍ସି ପକ୍ଷରୁ ଆୟୋଜିତ ସିଭିଲ୍ ସର୍ଭିସ୍ ପରୀକ୍ଷା ୨୦୨୨ର ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି । ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି ଇଶିତା କିଶୋ । ରାଙ୍କିଂରେ ପୁଣି ଦେଖିବାକୁ ମିଳିଛି ଝିଅଙ୍କ ଦବଦବା । ଶୀର୍ଷ ୧୦ ଜଣଙ୍କ ମଧ୍ୟରେ ଅଧିକାଂଶ ଝିଅ ରହିଥିବା ବେଳେ ୨ୟ ସ୍ଥାନରେ ରହିଛନ୍ତି ଗାରିମା ଲୋହିଆ ।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସର୍ବଭାରତୀୟ ସ୍ତରରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ଗାରିମା ଲୋହିଆ, ବିନା କୌଣସି କୋଚିଂରେ ଅଭୂତପୂର୍ବ ସଫଳତା ପାଇଛନ୍ତି । ୟୁପିଏସ୍ସିରେ ସଫଳତା ପାଇବା ପରେ ଗାରିମା କହିଛନ୍ତି, ‘ଫଳାଫଳକୁ ନେଇ ମୁଁ ବେଶ୍ ଖୁସି ଅଛି । ଏଭଳି ଦିନ ପାଇଁ ମୁଁ ନିଜକୁ ଗୌରବାନ୍ବିତ ମନେ କରିବା ସହିତ ଭାଗ୍ୟବାନ୍ ମନେ କରୁଛି’।
ବିହାର ଛୋଟିଆ ସହର ବକ୍ସରର ଗାରିମା ଲୋହିଆ ଦ୍ବିତୀୟ ପ୍ରୟାସରେ ୟୁପିଏସ୍ସି ପରୀକ୍ଷା ପାସ୍ କରିଛନ୍ତି । ପ୍ରଥମ ପ୍ରୟାସରେ ସେ ଫେଲ୍ ହୋଇଥିବା ବେଳେ ୨ୟ ଥର ସେ ସର୍ବଭାରତୀୟ ସ୍ତରରେ ସମସ୍ତଙ୍କୁ ପଛରେ ପକାଇ ୨ୟ ସ୍ଥାନ ଅଧିକାର କରିଛନ୍ତି । ବ୍ୟକ୍ତିଗତ ଜୀବନରେ ଅନେକ ଝଡର ସାମ୍ନା କରିଥିବା ଗାରିମା କେବେ ପଛକୁ ଫେରି ଚାହିଁ ନାହାନ୍ତି । ୪ ବର୍ଷ ପୂର୍ବରୁ ବାପା, ନାରାୟଣ ପ୍ରସାଦ ଲେହିଆଙ୍କ ଦେହାନ୍ତ ପରେ ସେ ପୂରାପୂରି ଭାବେ ଭାଙ୍ଗି ପଡିଥିଲେ । ତଥାପି ହାର୍ ନମାନି ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଆରମ୍ଭ କରିଦେଇଥିଲେ ପ୍ରୟାସ । ଆଉ ଶେଷରେ ସେ ସଫଳତା ପାଇଛନ୍ତି ।
ଗାରିମା କହିଛନ୍ତି, ‘୨୦୨୦ କରୋନା ଲକଡାଉନ୍ ସମୟରେ ୟୁପିଏସ୍ସି ସିଭିଲ୍ ସର୍ଭିସ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲି । ଏଥିପାଇଁ ଉପଲବ୍ଧ ବହି ପଢିବା ଆରମ୍ଭ କରିବା ସହିତ ଇଣ୍ଟରନେଟ୍ର ସହଯୋଗ ନେଉଥିଲି । ଦିନକୁ ୮ରୁ ୧୦ ଘଣ୍ଟା ଲେଖାଏଁ ପରିଶ୍ରକ କରୁଥିଲି । ପରିବାର ଲୋକଙ୍କ ସହଯୋଗ ବିନା ଏହା କେବେ ବି ସମ୍ଭବ ହୋଇନଥାନ୍ତା’।