ଥ୍ରିଲର୍ ଫିଲ୍ମ ‘ଗ୍ୟାସ୍ଲାଇଟ୍’ର ଟ୍ରେଲର୍ ରିଲିଜ୍, ଇନ୍ଷ୍ଟାଗ୍ରାମ୍ରେ ସେୟାର କଲେ ସାରା

ନୂଆଦିଲ୍ଲୀ, ୧୯/୦୩ : ପୱନ କୃପାଲାନିଙ୍କ ନିର୍ଦ୍ଦେଶିତ ଅପ୍କମିଙ୍ଗ୍ ଥ୍ରିଲର୍ ଫିଲ୍ମ ‘ଗ୍ୟାସ୍ଲାଇଟ୍’ର ଟ୍ରେଲର୍ ରିଲିଜ୍ ପରେ ଫିଲ୍ମର ପ୍ରମୋଶନ୍ ଆରମ୍ଭ କରିଛନ୍ତି ସାରା ଅଲି ଖାନ୍। ତାଙ୍କ ସହ ପ୍ରମୋଶନ୍ରେ ଯୋଗ ଦେଇଛନ୍ତି ଫିଲ୍ମର ମୁଖ୍ୟ କଳାକାର ବିକ୍ରାନ୍ତ ମେସି ଓ ଚିତ୍ରାଙ୍ଗଦା ସିଂହ। ଆସନ୍ତା ୩୧ ତାରିଖରେ ଫିଲ୍ମଟି ମୁକ୍ତିଲାଭ କରିବ।
ସାରା ଇନ୍ଷ୍ଟାଗ୍ରାମ୍ରେ ଏହାର ଟ୍ରେଲର୍ ଶେୟାର କରି ଲେଖିଛନ୍ତି ଯେ, ‘ଶକ୍ କା ଘେରା ହୈ ବଢ୍ତା ଜା ରହା… ଆଖିର୍ ଖୁନି ହୈ କୌନ୍? ଟ୍ରେଲର୍ ଏବେ ଦେଖନ୍ତୁ!’ ସାରାଙ୍କର ଏହି ବହୁ ପ୍ରତୀକ୍ଷିତ ଫିଲ୍ମ ଦେଖିବାକୁ ପ୍ରଶଂସକମାନେ ବେଶ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ତାଜା ଖବର ଅନୁସାରେ, ଏହାର ରିଲିଜ୍ ପୂର୍ବରୁ ସାରା ଆଉ ଏକ ଫିଲ୍ମ ସାଇନ୍ କରିଛନ୍ତି। ନିର୍ଦ୍ଦେଶକ ଶାରନ ଶର୍ମାଙ୍କ ଅପ୍କମିଙ୍ଗ ଫିଲ୍ମରେ ସେ ନଜର ଆସିବେ । ଏହା ପୂର୍ବରୁ ଶାରନ ‘ଗୁଞ୍ଜନ୍ ସକ୍ସେନା: ଦ କାରଗିଲ ଗର୍ଲ’ର ନିର୍ଦ୍ଦେଶନା ଦେଇଥିଲେ।
ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି, ତାଙ୍କ ଅପ୍କମିଙ୍ଗ ପ୍ରୋଜେକ୍ଟର କାହାଣୀ ଖୁବ୍ ମଜାଦାର। ଏଥିପାଇଁ ସାରା ଏକ୍ଦମ ଫିଟ୍ ବୋଲି ଶାରନ ଅନୁଭବ କରୁଛନ୍ତି । ଏଥିପାଇଁ ସବୁ ଔପଚାରିକତା ଶେଷ ହୋଇଛି। ଖୁବ୍ଶୀଘ୍ର ଫିଲ୍ମର ସୁଟିଂ ଆରମ୍ଭ ହେବ। ଦିନେଶ ଭିଜନଙ୍କ ‘ଜରା ହଟ୍କେ ଜରା ବଚ୍କେ’ରେ ଭିକି କୌଶଲଙ୍କ ସହ ନଜର ଆସିବେ ସାରା। ‘ଏ ୱତନ୍ ମେରେ ୱତନ୍’ ସମେତ ଅନୁରାଗ ବାସୁଙ୍କ ‘ମେଟ୍ରୋ ଇନ୍ ଡିନୋ’ରେ ତାଙ୍କୁ ଦେଖିବାକୁ ପାଇବେ ସିନେପ୍ରେମୀ, ଯାହା ଆସନ୍ତା ଡିସେମ୍ବର ୮ ତାରିଖରେ ମୁକ୍ତିଲାଭ କରିବ। ଭୂଷଣ କୁମାରଙ୍କର ଏହି ପ୍ରୋଜେକ୍ଟରେ ଆଦିତ୍ୟ ରୟ କପୁର, ନୀନା ଗୁପ୍ତା, ପଙ୍କଜ ତ୍ରିପାଠୀ, ଅନୁପମ ଖେର, ଅଲି ଫଜଲ, ଫାତିମା ସନା ଶୈଖ ଓ କୋଙ୍କଣା ସେନ୍ ଶର୍ମା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।